ଶେନ୍ ୱାର୍ଣ୍ଣଙ୍କ ନାଁରେ ପୁରସ୍କାର ଦେବ କ୍ରିକେଟ ଅଷ୍ଟ୍ରେଲିଆ
ମେଲବର୍ଣ୍ଣ, ୨୬ା୧୨ (ଏଜେନ୍ସି): ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ଶେନ ୱାର୍ଣ୍ଣଙ୍କୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ତାଙ୍କ ନାଁରେ ଖେଳାଳିମାନଙ୍କୁ ପୁରସ୍କାର ପ୍ରଦାନ ନିମିତ୍ତ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଘୋଷଣା କରାଯାଇଛି । ‘ପୁରୁଷ ଟେଷ୍ଟ୍ ପ୍ଲେୟାର ଅଫ ଦ ଇୟର’ ଆୱାର୍ଡକୁ ୱାର୍ଣ୍ଣଙ୍କ ନାଁରେ ନାମିତ କରାଯାଇଛି । ବର୍ଷ ସାରା ଟେଷ୍ଟରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଶେନ ୱାର୍ଣ୍ଣ ସମ୍ମାନ ଦିଆଯିବ । ମେଲବର୍ଣ୍ଣରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ଆରମ୍ଭ ହୋଇଛି । ଏହି ଅବସରରେ ୱାର୍ଣ୍ଣଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରାଯିବା ସହିତ ତାଙ୍କ ନାଁରେ ପୁରସ୍କାର ପ୍ରଦାନ ଲାଗି ଘୋଷଣା ହୋଇଛି ।
ଚଳିତ ବର୍ଷ ମାର୍ଚ୍ଚରେ ଶେନ ୱାର୍ଣ୍ଣ (୫୨)ଙ୍କର ଥାଇଲ୍ୟାଣ୍ଡରେ ଅଚାନକ ମୃତୁ୍ୟ ଘଟିଥିଲା । ତାଙ୍କ ଅକାଳ ବିୟୋଗ କ୍ରିକେଟ ଜଗତକୁ ସ୍ତବ୍ଧ କରିଦେଇଥିଲା । ତାଙ୍କ ସମ୍ମାନାର୍ଥେ କ୍ରିକେଟ ଅର୍ଷ୍ଟେଲିଆ ବଡ଼ ପଦକ୍ଷେପ ନେଇଛି । ୱାର୍ଣ୍ଣ ଉଭୟ ଟେଷ୍ଟ ଓ ଦିନିକିଆରେ ମୋଟ ୧୦୦୧ ୱିକେଟ ଦଖଲ କରିଥିଲେ । କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି, ପ୍ରତିବର୍ଷ ଶେନ ୱାର୍ଣ୍ଣ ମେନ୍ସ ଟେଷ୍ଟ ପ୍ଲେୟାର ଅଫ ଦ ଇୟର ଆୱାର୍ଡ ଦିଆଯିବ । ଆଲାନ ବର୍ଡର ମେଡାଲ ପରେ ଏହା ଦ୍ୱିତୀୟ ସମ୍ମାନଜନକ ପୁରସ୍କାର । ଆଲାନ ବର୍ଡର ମେଡାଲ ସବୁ ଫର୍ମାଟରେ ଦମଦାର ପ୍ରଦର୍ଶନ କରୁଥିବା ପୁରୁଷ କିମ୍ବା ମହିଳା କ୍ରିକେଟରଙ୍କୁ ଦିଆଯାଏ ।