କଅଁସ ଜଙ୍ଗଲରେ ୧୧ ହାତୀ
ଦାନଗଦି (ଆପ୍ର): କଟକ ବନଖଣ୍ଡ ଟମକା ରେଞ୍ଜ୍ କଅଁସ ଫରେଷ୍ଟ୍ ସେକ୍ସନ ଅଧୀନ ପିଚରପାଣି ଜଙ୍ଗଲରେ ସୋମବାର ଦିନ ତମାମ ୧୧ ଟିକିଆ ହାତୀପଲ ଲୁଚିଥିବା ନେଇ ବନ ବିଭାଗ ସୂଚନା ଦେଇଛି । ଏହି ଦଳରେ ୨ ଦନ୍ତା, ୫ ମାଈ ଓ ୪ଟି ଛୁଆ ଥିବା ବେଳେ ୧୦ ରୁ ୧୨ ଦିନ ଧରି ଢେଙ୍କାନାଳ ଓ ଯାଜପୁର ଜିଲ୍ଲା ସୀମାନ୍ତରେ ଏମାନେ ବିଚରଣ କରୁଥିବା ଜଣାପଡ଼ିଛି । ଏହି ପଲ କେନ୍ଦୁଝର ଜିଲ୍ଲାର ବୋଲି ବନ ବିଭାଗ ସ୍ପଷ୍ଟ କରିଥିବା ବେଳେ ହାତୀପଲ ଏବେ ଘରମୁହାଁ ହେବାକୁ ବ୍ୟାକୁଳ ଥିଲେ ମଧ୍ୟ ବାଟ ଭୁଲି ଯାଇଥିବା ବନ ବିଭାଗ କହିଛି ।
ସ୍ଥାୟୀ ବାସସ୍ଥଳୀ ତେଲକୋଇ ରେଞ୍ଜ୍ ଅଧୀନ ତେଲକୋଇ ଜଙ୍ଗଲରୁ ବାହାରିଥିବା ଏହି ହାତୀପଲ ଦଣ୍ଡାଧର ନଦୀବନ୍ଧ ପାଖ ଜଙ୍ଗଲ ବାଟରେ କାମାକ୍ଷାନଗର (ପଶ୍ଚିମ) ରେଞ୍ଜ୍ ଅଧୀନ କଣ୍ଡାର, କୋଇ, କଳସପୁର ଓ ବାଟଗାଁ ଜଙ୍ଗଲରେ ପଶିଥିଲେ । ପରେ କାମାକ୍ଷାନଗର(ପୂର୍ବ) ରେଞ୍ଜ୍ ଅଧୀନ ବିଭିନ୍ନ ଜଙ୍ଗଲ ମୁହାଁଇଥିଲେ । ଅଜଣା ଜଙ୍ଗଲରେ ବୁଲିବୁଲି ବାଟବଣା ହେବା ପରେ ଗତ ୨୧ରେ ଭୁବନ ରେଞ୍ଜ୍ ଅଧୀନ ଶାମଳ, ଧଳପଡ଼ା, କୁମୁରସିଂହା ଓ ଅନଳ ଗାଁ ଜଙ୍ଗଲରେ ପଶିଥିଲେ । ୨୨ ରାତିରେ ହାତୀପଲ ରେଙ୍ଗାଲି ବାମ କେନାଲର ଭାଲୁକିପାତଳା ପୋଲ ଉପରେ ଅତିକ୍ରମ କରି ସୁକିନ୍ଦା ରେଞ୍ଜ୍ ଅଧୀନ ମହାଗିରି ପାହାଡ଼ ଓ ସୁରକ୍ଷିତ ଜଙ୍ଗଲ ହୋଇ କାକୁଡ଼ିଆ ଓ ପନାସିଆ ଜଙ୍ଗଲରେ ଦିନଟିଏ ରହିଥିଲେ । ପରଦିନ ମହାଗିରି ପାହାଡ଼ ଡେଇଁ କଅଁସ ମହୁକଣ୍ଟାସାହି ଜଙ୍ଗଲକୁ ଓହ୍ଲାଇଥିଲେ । କିନ୍ତୁ ସେଠାରେ ବନ ବିଭାଗ ତାଙ୍କ ରାସ୍ତା ବଦଳାଇଥିବାରୁ ହାତୀପଲ ପଛକୁ ଫେରି ଆଜି ପିଚରପାଣି ଜଙ୍ଗଲରେ ଥିବା ଜଣାପଡ଼ିଛି । କାଳିଆପାଣି ଥାନା ଅଧୀନ ଖଣିଅଞ୍ଚଳ ହାତପାଆନ୍ତାରେ ୪ ଦିନ ଧରି ଏହି ହାତୀପଲ କଅଁସ ସେକ୍ସନର ବିଭିନ୍ନ ଜଙ୍ଗଲରେ ବୁଲାବୁଲି କରୁଥିଲେ ମଧ୍ୟ ଏଯାଏ କ୍ଷୟକ୍ଷତି ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇନାହିଁ । ସେହିପରି ମହାଗିରି ଜଙ୍ଗଲରେ ବାସ କରୁଥିବା ୧୦ ଟିକିଆ ହାତୀପଲ ସହ ଏହି ହାତୀପଲର ମୁହାଁମୁହିଁ ମଧ୍ୟ ହୋଇନାହିଁ । ଟମକା ରେଞ୍ଜର ବଳରାମ ସାହୁଙ୍କ ତତ୍ତ୍ୱାବଧାନରେ କଅଁସ ବନପାଳ ଗଣେଶ ଚନ୍ଦ୍ର ଦାସ ଓ ଟମକା ବନପାଳ ଚିତ୍ତରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ୩୦ରୁ ଅଧିକ ପ୍ରୋଟେକ୍ସନ ସ୍କ୍ୱାଡ୍୍ ସଜାଗ ଥିବା ସୂଚନା ମିଳିଛି ।