ରାଜରାସ୍ତାରେ ବାବା ଧବଳେଶ୍ୱରଙ୍କ ପୂଜକ
କଟକ (ବୁ୍ୟରୋ) : ଆଠଗଡର ପ୍ରସିଦ୍ଧ ବାବା ଧବଳେଶ୍ୱରଙ୍କ ପୀଠ ଦୀର୍ଘଦିନ ଧରି ବନ୍ଦ ରହିଥିବା ଯୋଗୁଁ ଆଜି ପୂଜକମାନେ ରାସ୍ତା ଉପରେ ଧାରଣା ଦେଇ ପ୍ରତିବାଦ କରିଛନ୍ତି । ବଡଓଷା ଠାରୁ ଝୁଲାପୋଲ ମରାମତି ଆଳରେ ଆଜି ପର୍ଯ୍ୟନ୍ତ ଠାକୁର ଦର୍ଶନ ବନ୍ଦ ରହିଛି । ଫଳରେ ପୂଜକଙ୍କ ରୋଜଗାର ଏକ ପ୍ରକାର ଠପ୍ ହୋଇଯାଇଛି । ତୁରନ୍ତ ଶ୍ରଦ୍ଧାଳୁଙ୍କୁ ଠାକୁର ଦର୍ଶନର ସୁଯୋଗ ଦେବା ସହ ପ୍ରଶାସନ ପକ୍ଷରୁ ଏ ବାବଦରେ ସ୍ପଷ୍ଟୀକରଣ ଦେବାକୁ ଦାବି କରାଯାଇଛି । ଏହାସହ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରିବାକୁ ପୂଜକମାନେ ଅଡ଼ି ବସିଛନ୍ତି । ପ୍ରଶାସନ ପଦକ୍ଷେପ ନ ନେଲେ ଆସନ୍ତାକାଲିଠୁ ପୁରୁଣା କଟକ-ସମ୍ବଲପୁର ରାସ୍ତା ଅବରୋଧ ସହ ଦିନକ ପରେ ଧବଳେଶ୍ୱରଙ୍କ ନୀତିକାନ୍ତି ସଂପୂର୍ଣ୍ଣ ବନ୍ଦ କରାଯିବ ବୋଲି ପୂଜକ ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି ।
ସେପଟେ ଆନେ୍ଦାଳନ ସ୍ଥଳରେ ଆଠଗଡ ତହସିଲଦାର ପ୍ରିୟବତ ଦାସ ଘଟଣାସ୍ଥଳରେ ପହଞ୍ଚି ପୂଜକଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଏନେଇ ତହସିଲଦାର କହିଛନ୍ତି, କୋଭିଡ୍ ସମୟରୁ ଓ ଚଳିତବର୍ଷ ପଞ୍ଚୁକରୁ ହଠାତ୍ ଝୁଲା ପୋଲ ବନ୍ଦ ରହିବା ଯୋଗୁ ପୂଜକମାନଙ୍କ ରୋଜଗାର ବନ୍ଦ ହୋଇଯାଇଛି । ଯାହାକୁ ନେଇ ସେମାନେ ପ୍ରଶାସନ ଠାରୁ ପରିବାର ପିଛା ୫୦ ହଜାର ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ଏ ବାବଦରେ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ଜଣାଇ ଏକ ବୈଠକରେ ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଏହାସହ ଝୁଲା ପୋଲ ମରାମତି ଯାଞ୍ଚ ଓ ମରାମତି ନିମନ୍ତେ ଟେଣ୍ଡର ଡକାଯିବ । ମରାମତି ସରିବା ପରେ ଭକ୍ତଙ୍କୁ ଯାତାୟତ ନିମନ୍ତେ ଅନୁମତି ଦିଆଯିବ ବେଲି ତହସିଲଦାର କହିଛନ୍ତି ।
ସୂଚନାଯୋଗ୍ୟ ଦୀର୍ଘଦିନ ହେଲା ଭକ୍ତମାନେ ଧବଳେଶ୍ୱରଙ୍କ ଦର୍ଶନ କରିବାରେ ବଞ୍ଚିତ ହୋଇଆସୁଛନ୍ତି । ବିନା ଭକ୍ତରେ ଚାଲିଛି ଠାକୁରଙ୍କ ନିତିକାନ୍ତି । ଝୁଲାପୋଲକୁ ପ୍ରଶାସନ ଅସୁରକ୍ଷିତ ଘୋଷଣା କରିବା ପରଠୁ ପୀଠକୁ ଯିବାକୁ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ବି କରାଯାଇନାହିଁ । ଅନ୍ୟପଟେ ଝୁଲାପୋଲ ମରାମତି ନିମନ୍ତେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏପରିକି ମରାମତି କେବେ ଆରମ୍ଭ ହେବ, କେତେ ଟଙ୍କା ଖର୍ଚ୍ଚ ହେବ ଏ ସମ୍ପର୍କରେ କାର୍ଯ୍ୟକାରୀ ସଂସ୍ଥା ଆରଡ଼ି ବିଭାଗ ପାଖରେ ବି କୌଣସି ଖବର ନାହିଁ । ଏପଟେ ଉପଜିଲ୍ଲାପାଳ ପୀଠକୁ ଭକ୍ତଙ୍କ ଯିବା ପାଇଁ ବୋଟ୍ ବ୍ୟବସ୍ଥା ଗ୍ରହଣ କରିବାକୁ ଚିଠି ଲେଖିଛନ୍ତି । କିନ୍ତୁ ଏ ସମ୍ପର୍କରେ କୌଣସି ସରକାରୀ ଅନୁମତି ଆସିନାହିଁ ।