ମା’ମାନେ ଦାୟିତ୍ୱ ନିଅନ୍ତୁ
ସମାରୋହରେ ବିଜେଡି ପାଳିଲା ପ୍ରତିଷ୍ଠା ଦିବସ
ପୁରୀ, ୨୬ା୧୨(ବୁ୍ୟରୋ): ସୋମବାର ପୁରୀ ତାଳବଣିଆ ପଡ଼ିଆରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ସମାରୋହରେ ଉଦ୍ବୋଧନ ଦେଇ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହଜାର ହଜାର କାର୍ଯ୍ୟକର୍ତ୍ତା ଓ ନେତାଙ୍କୁ ମନପ୍ରାଣ ଦେଇ ରାଜ୍ୟବାସୀଙ୍କ ସେବା କରିବା ଲାଗି ଆହ୍ୱାନ ଦେଇଛନ୍ତି । ଆଉ ୧୨ ବର୍ଷ ପରେ ରାଜ୍ୟ ଗଠନର ଶହେ ବର୍ଷ ପୂର୍ତ୍ତି ପାଳନ କରିବ ଓଡ଼ିଶା । ବିଜେଡିର ରୌପ୍ୟ ଜୁବିଲି ପାଳନ ଅବସରରେ ଓଡ଼ିଶାର ଉନ୍ନତି କାମନା କରୁଥିବା କ୍ରୀଡ଼ାବିତ୍, ଚାକିରିଆ, କଳାକାର, ଚାଷୀ ଆଦି ଯେକୌଣସି କ୍ଷେତ୍ରର ବ୍ୟକ୍ତିମାନଙ୍କୁ, ବିଶେଷ କରି ଯୁବପିଢ଼ିକୁ ବିଜୁ ଜନତା ଦଳରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ମା’ମାନେ ଚାହିଁଲେ ଓ ଆଶୀର୍ବାଦ କଲେ ବିଜେଡି ପଚିଶ ବା ପଚାଶ ବର୍ଷ କ’ଣ, ଶହେ ବର୍ଷ ରାଜ୍ୟର ସେବା କରିଚାଲିବ । ୨୦ବର୍ଷ ତଳେ ଓଡ଼ିଶା କେଉଁଠି ଥିଲା, ଏବେ କେଉଁଠି ଅଛି ତାହା ସାରା ବିଶ୍ୱ ଜାଣିଛି । ୨୦୦୦ ପରେ ରାଜ୍ୟର ନାନାବିଧ ଉନ୍ନତି ହୋଇଛି । ଏହାରି ମଧ୍ୟରେ ଦଳ ସବୁ ସମସ୍ୟାକୁ ସାମ୍ନା କରିଛି । ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ, କୋଭିଡ୍ ବେଳେ ଟେଷ୍ଟିଂ ତଥା ଟ୍ରିଟ୍ମେଣ୍ଟ, ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ, କ୍ରାନ୍ତିକାରୀ ବିଜୁ ସ୍ୱାସ୍ଥ୍ୟ ବୀମା ସ୍କିମ୍ ଲାଗୁ ଆଦି କ୍ଷେତ୍ରରେ ବିଜେଡିକୁ ସାରା ବିଶ୍ୱରେ ପ୍ରଶଂସା ମିଳୁଛି । ମୋ ସରକାର, ନାଗରିକ ମତାମତ ଜରିଆରେ ଲୋକଙ୍କ ପାଖକୁ ସରକାରଙ୍କ ନୀତିକୁ ପହଞ୍ଚାଉଛନ୍ତି ବିଜେଡି ପରିବାରର ସଦସଗଣ । ତୃଣମୂଳ ସ୍ତରରେ ବିଭିନ୍ନ ଯୋଜନା ପହଞ୍ଚାଇ ବିଜେଡି ବିଶ୍ୱାସର ପାତ୍ର ହେବା ସହ ସାମାଜିକ ଆନେ୍ଦାଳନ ଜାରି ରଖିଛି । ଗୋଟିଏ ଆଞ୍ଚଳିକ ଦଳର ମୁଖ୍ୟ କର୍ତ୍ତବ୍ୟ ହେଉଛି ରାଜ୍ୟବାସୀଙ୍କୁ ଆଖିରେ ରଖି ସେମାନଙ୍କ ସେବାକୁ ଏକମାତ୍ର ଏଜେଣ୍ଡା କରିବା । ମୁଁ ଜଣେ ବିଜେଡି କେବେ ବି ଏହି ଏଜେଣ୍ଡାରୁ ହଟି ନାହିଁ । ଓଡ଼ିଶାର ସ୍ୱାର୍ଥ, ଉନ୍ନତି, ଗୌରବ, ଭାଷା, ସଂସ୍କୃତି ଓ ସ୍ୱାଭିମାନ ପାଇଁ ଦଳ କାମ କରିଆସୁଛି । ରାଜ୍ୟବାସୀଙ୍କ ଆଶୀର୍ବାଦ ବର୍ଷ ବର୍ଷ ଧରି ମିଳିବା ପଛରେ ଦ୍ୱିତୀୟ ବଡ଼ କାରଣଟି ହେଉଛି ବିଜୁ ବାବୁଙ୍କ ଆଦର୍ଶ । ବିଜୁବାବୁଙ୍କ ପ୍ରତି ରକ୍ତ ବିନ୍ଦୁରେ ଓଡ଼ିଶାର ଉନ୍ନତି ଭରି ରହିଥିଲା । ସେ ମହାଜନନାୟକ । ସେ ଯେଉଁ ରାସ୍ତା ଦେଖାଇଛନ୍ତି, ସହି ରସ୍ତାରେ ମୁଁ କାମ କରୁଛି, ଆଗକୁ ମଧ୍ୟ କରିବି । ମାଲକାନଗିରିରୁ ମୟୂରଭଞ୍ଜ ଓ ବରଗଡ଼ରୁ ପୁରୀ ପର୍ଯ୍ୟନ୍ତ ସବୁ ଲୋକଙ୍କ ଉନ୍ନତି ଲାଗି ବିଜେଡି କାର୍ଯ୍ୟ କରିଆସୁଛି ।
ମହିଳା ସଶକ୍ତୀକରଣକୁ ଆମ ଦଳ ଓ ସରକାର ସର୍ବାଧିକ ଗୁରୁତ୍ୱ ଦେଇ ଆସୁଛି । ଯେବେଠୁ ମା’ମାନେ ଆଶୀର୍ବାଦ ଦେଇ ଆସିଛନ୍ତି ସେବେଠୁ ଦଳ ଉନ୍ନତି କରିଛି । ମା’ମାନଙ୍କ ଉନ୍ନତି ହେଲେ ଓଡ଼ିଶା ଆଗକୁ ଯାଇପାରିବ ବୋଲି ମୋର ବିଶ୍ୱାସ । ସେଥିପାଇଁ ମିଶନଶକ୍ତି ଗଣଦୌଡ଼ରେ ସାମିଲ୍ ହୋଇପାରିଛି । ମା’ସଶକ୍ତ ହେଲେ ପରିବାର, ରାଜ୍ୟ ଓ ଦେଶ ସଶକ୍ତ ହେବ । ମା’ମାନେ ନେତୃତ୍ୱ ନେବା ପାଇଁ ଆଗେଇ ଆସନ୍ତୁ ।
ଏହି ସମାରୋହରେ ରାଜ୍ୟର ମନ୍ତ୍ରୀ, ସାଂସଦ, ବିଧାୟକ ଦଳର ସମସ୍ତ ବରିଷ୍ଠ ନେତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାର ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତିସଭ୍ୟ, ୱାର୍ଡସଭ୍ୟ ସମେତ ବହୁ କର୍ମୀ ଯୋଗ ଦେଇଥିଲେ ।