ନୂଆ ଓଡିଶାର ସ୍ୱପ୍ନ ଦେଖୁଥିଲେ ବିଜେଡିରେ ଯୋଗ ଦିଅନ୍ତୁ
ପୁରୀ (ବୁ୍ୟରୋ): ବିଜେଡିକୁ ୨୫ ବର୍ଷ ପୂରିଛି । ସେଥିଲାଗି ସୋମବାର ଦଳ ରୌପ୍ୟ ଜୟନ୍ତୀ ପାଳନ କରିଛି । ଏଥିପାଇଁ ପୁରୀର ତାଳବଣିଆ ପଡ଼ିଆରେ ରାଜ୍ୟସ୍ତରୀୟ ସମାବେଶ ଆୟୋଜନ ହୋଇଥିଲା । କାର୍ଯ୍ୟକ୍ରମରେ ଦଳର ସଭାପତି ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ତତ୍ସହିତ ଦଳର ମନ୍ତ୍ରୀ, ସାଂସଦ, ବିଧାୟକ ଓ ବିଭିନ୍ନ ନିଗମର କର୍ମକର୍ତ୍ତା ଉପସ୍ଥିତ ଥିଲେ । ସେହିଭଳି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୫୦ ହଜାରରୁ ଊଦ୍ଧ୍ୱର୍ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଅନ୍ୟପକ୍ଷରେ ୨ଠ୨୪ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ସେଥିଲାଗି ଦଳର କାର୍ଯ୍ୟକର୍ତ୍ତାଙ୍କୁ ପ୍ରତିଷ୍ଠା ଦିବସରେ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଏପରିକି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁବର୍ଗର ଲୋକଙ୍କ ଅସୁବିଧା ସମୟରେ ଠିଆ ହେବାକୁ ନିଦେ୍ର୍ଦଶ ଦେଇଛନ୍ତି । ଏହି ଦଳ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ସେବା କରିବା ଲାଗି ଗଠନ କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ ନେତୃମଣ୍ଡଳୀ । ବିଜେଡି ଓଡ଼ିଶାରେ ଆଉ ଏକ ଦଳ ହୋଇ ନାହିଁ, ଏବେ ଦଳ ଏକ ସାମାଜିକ ଆନେ୍ଦାଳନ । ବରିଷ୍ଠ ନେତା ଦେଇଥିବା ମନ୍ତବ୍ୟକୁ ତଳେ ଉପସ୍ଥାପନ କରାଯାଇଛି ।
କାମରେ ବିଶ୍ୱାସ କରନ୍ତି ମୁଖ୍ୟମନ୍ତ୍ରୀ
କଥା ନୁହେଁ କାମରେ ବିଶ୍ୱାସ କରନ୍ତି ମୁ୍ଖ୍ୟମନ୍ତ୍ରୀ । ଓଡ଼ିଶା ଶାସ୍ତ୍ରୀୟ ମାନ୍ୟତା ପାଇଛି । ଦୁଇ ଦୁଇ ଥର ହକି ବିଶ୍ୱକପ୍ ଆୟୋଜନ କରି ସାରା ବିଶ୍ୱରେ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଛି । ଓଡ଼ିଶାବାସୀ ଯେତେବେଳେ ଯେଉଁ କଥା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରନ୍ତି ତାହାକୁ ସେ ସଙ୍ଗେ ସଙ୍ଗେ ପୂରଣ କରିଥାନ୍ତି । ସେଥିଲାଗି ସାଧାରଣ ମହିଳା ଓ ପୁରୁଷଙ୍କର ମୁଖ୍ୟମନ୍ତ୍ରୀ ଭରସା । ଯେଉଁଦିନ ଠାରୁ ଓଡ଼ିଶାର ଦାୟିତ୍ୱ ତାଙ୍କ ହସ୍ତରେ ରହିଛି ସେବେଠାରୁ ଓଡ଼ିଶାର ଉନ୍ନତି ହେବାରେ ଲାଗିଛି । ଏପରିକି ଓଡ଼ିଶାର ମାନଚିତ୍ରରେ ପରିବର୍ତ୍ତନ ହୋଇଛି । ମହାପ୍ରଭୁ ଆଶୀର୍ବାଦ କରନ୍ତୁ ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୁଅନ୍ତୁ ବୋଲି ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଥିଲେ ।
ରେଳ କ୍ଷେତ୍ରରେ ଓଡ଼ିଶାର ହକ୍ ମିଳୁନି
ପ୍ରତିଷ୍ଠା ଦିବସରେ କେନ୍ଦ୍ରର ବିଜେପି ସରକାର ଉପରେ ଗର୍ଜିଥିଲେ ବିଜେଡି ସାଂସଦ ସମ୍ବିତ୍ ପାତ୍ର । ସେ କହିଥିଲେ ରେଳ କ୍ଷେତ୍ରରେ ଓଡ଼ିଶାର ଆବଶ୍ୟକ ହକ୍ ମିଳୁନି । ୧୦ବର୍ଷରେ ୨ଲକ୍ଷ କୋଟି ଦେଇଛୁ, କିନ୍ତୁ ମିଳିଛି ୨୦ହଜାର କୋଟି । କୋଇଲା ରୟାଲିଟି ବୃଦ୍ଧି କରୁନାହାନ୍ତି । ଚାଷୀର ଆୟ ବୃଦ୍ଧି ହେଲାନାହିଁ କି ଧାନର ମୂଲ୍ୟ ବଢ଼ିଲାନି । ମୋବାଇଲ୍ ନେଟୱାର୍କ ଓ ଆବାସ ଯୋଜନାରେ ଘର ମିଳିନାହିଁ । କଟକ-ସମ୍ବଲପୁର ଜାତୀୟ ରାଜପଥ ଖରାପ ସ୍ଥିତି, କୋଷ୍ଟାଲ ହାଇୱେ କୁଆଡ଼େ ଗଲା । ସେହିଭଳି କେନ୍ଦୁପତ୍ରରେ ଜିଏସ୍ଟି ଛାଡ଼ କରୁନାହାନ୍ତି । ଓଡ଼ିଶାର ହକ୍ ପାଇଁ ବିଜେଡି ଲଢ଼େଇ କରୁଥିବାବେଳେ ରାଜ୍ୟ ବିଜେପି କାହିଁକି ନିରବ ବୋଲି ସାଂସଦ ଶ୍ରୀ ପାତ୍ର ପ୍ରଶ୍ନ କରିଥିଲେ ।
ବିକାଶର ନୂଆ ଇତିହାସ ଲେଖାଯିବ
ଦୀର୍ଘ ୨୫ବର୍ଷ ଧରି ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସକୁ ଜିତିପାରିଛି । ଆଗାମୀ ଦିନରେ ଓଡ଼ିଶାକୁ ନୂତନ ଭାବେ ଗଢ଼ି ତୋଳିବା ଲାଗି ଦଳ ସ୍ୱପ୍ନ ଦେଖିଛି । ସେଥିପାଇଁ ପଦକ୍ଷେପ ନିଆଯାଇଛି । ଏହି ବିକାଶର ସାରଥି ହେଉଛନ୍ତି ନବୀନ ପଟ୍ଟନାୟକ । ଏବେ ଏକ ମଡେଲ୍ ରାଜ୍ୟ ଭାବେ ସାରା ବିଶ୍ୱରେ ପରିଗଣିତ ହେଉଥିବା ବେଳେ ଆଗକୁ ଓଡ଼ିଶାର ବିକାଶରେ ନୂଆ ଇତିହାସ ଲେଖାଯିବ ବୋଲି ମତବ୍ୟକ୍ତ କରିଥିଲେ ବରିଷ୍ଠ ବିଜେଡି ନେତା ଦେବୀପ୍ରସାଦ ମିଶ୍ର ।
ଓଡ଼ିଶା ଆଜି ଆତ୍ମନିର୍ଭରଶୀଳ
ଆଜି ହେଉଛି ସଂକଳ୍ପ, ପ୍ରତିଜ୍ଞା ଓ ଆତ୍ମ ସମୀକ୍ଷାର ଦିବସ । ସେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ସ୍ମରଣ କରିଥିଲେ । ବିଜୁ ବାବୁ ସବୁବେଳେ ରାଜ୍ୟବାସୀଙ୍କ କଥା ଚିନ୍ତା କରୁଥିଲେ ଠିକ୍ ସେହିପରି ତାଙ୍କ ସୁପୁତ୍ର ମଧ୍ୟ ତାହାହିଁ ଚିନ୍ତା କରୁଛନ୍ତି । ନବୀନ ପଟ୍ଟନାୟକ କେବଳ ଓଡ଼ିଶାବାସୀଙ୍କ ସେବା କରିବାକୁ ଆସିଛନ୍ତି । ଆମେ ଏକ ରାଜନୈତିକ ଦଳ ନୁହେଁ, ଆମେ ନେତା କି ମନ୍ତ୍ରୀ କି ନିର୍ବାଚନ ଲଢ଼ିବା ପାଇଁ ନୁହେଁ, ଆମେ ସେବା ପାଇଁ ଆସିଛୁ । ଓଡ଼ିଶା ଆଜି ଆତ୍ମନିର୍ଭରଶୀଳ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ।
ମିଛୁଆ ରାଧୁଆ ଦଳକୁ କଡ଼ା ଜବାବ
ପୂର୍ବରୁ ବିଜୁ ପଟ୍ଟନାୟକ ମହିଳାଙ୍କ ଲାଗି ୩୩ ଭାଗ ସଂରକ୍ଷଣ ରଖୁଥିଲେ । ଏବେ ନବୀନ ପଟ୍ଟନାୟକ ତାହାକୁ ଅଧା କରି ଦେଇଛନ୍ତି । ଫଳରେ ଘରେ ମହିଳାମାନେ ହାତବାନ୍ଧି ବସୁ ନାହାନ୍ତି । ସେମାନେ ବାହାରକୁ ଗୋଡ଼ କାଢି ଆଜି ନିଜେ ଆତ୍ମନିର୍ଭରଶୀଳ ହେବା ସହ ପରିବାରକୁ ମଧ୍ୟ ପ୍ରତିପୋଷଣରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି । ଗତ ୨୦୦୦ମସିହା ଠାରୁ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ କରି ମହିଳାଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ଼ ହୋଇପାରିଛି । ଏହି ସମୟରେ ଗୋଟିଏ ଦଳ କହୁଛି ଆମେ ଗଢ଼ିବୁ, ଆଉ ଦଳେ କହୁଛନ୍ତି ଭାରତ ଯୋଡ଼ିବୁ, ହେଲେ ବିଜୁ ଜନତା ଦଳ ଓଡ଼ିଶାର ପ୍ରଗତି ଲାଗି ଲଢ଼େଇ ଜାରି ରଖିଛି । ଏହି ମିଛୁଆ ରାଧୁଆ ଦଳକୁ ମଧ୍ୟ ଆଗାମୀ ଦିନରେ ଦଳ କଡ଼ା ଜବାବ ଦେବ ବୋଲି ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ ।
କଥା କମ୍, କାମ ବେଶୀ
ରୌପ୍ୟ ଜୟନ୍ତୀରେ ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ, ବିଜେଡିକୁ ଚାଲେଞ୍ଜ କରିବା ଲାଗି କୌଣସି ବିକଳ୍ପ ନାହିଁ । ଆମ ଦଳ ଗୋଟିଏ ଆଞ୍ଚଳିକ ଦଳ ମାତ୍ର ତାହା ଜାତୀୟ ଦଳ ସହ ତୁଳନା କରାଯିବ ନାହିଁ । ଆମ ସ୍ୱାର୍ଥ କି ହକ୍କୁ ଉପେକ୍ଷା କଲେ ଆମେ ବରଦାସ୍ତ କରିବୁନି ବୋଲି ସ୍ପଷ୍ଟ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଗୋଟିଏ କଥା ଶିଖିଛି ତାହା ହେଲା କଥା କମ୍, କାମ ବେଶୀ ।
ପୁଲିସ୍ ସହ ଠେଲାପେଲା ହେଲେ ମହିଳା
ସୋମବାର ପୁରୀରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ ହେଉଥିବା ବେଳେ ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ରାଜ୍ୟର ତିନୋଟି ପରିବାର ପୁଲିସ୍ ଠାରୁ ନ୍ୟାୟ ନ ପାଇବାରୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ନ୍ୟାୟ ପାଇବା ଲାଗି ପୁରୀ ଅଭିମୁଖେ ଆସିଥିଲେ । ସେମାନେ ଶରଧାବାଲି ଠାରେ ପୁଲିସ୍ ସେମାନଙ୍କୁ ସଭାସ୍ଥଳକୁ ଛାଡ଼ି ନ ଥିଲା । ଫଳରେ ଏହାକୁ ନେଇ ପିହୁର ମା’ ମୋନାଲିସା ନାୟକ ପୁଲିସ୍ ସହ ଠେଲାପେଲା ହୋଇଥିଲେ । ସେହିପରି ନୟାଗଡ଼ରୁ ଆସିଥିବା ପରୀର ମା’ ସୌଦାମିନୀ ସାହୁ, ବ୍ରହ୍ମଗିରିରୁ ଆସିଥିବା ଚିତ୍ତରଞ୍ଜନଙ୍କ ପତ୍ନୀ ପ୍ରିୟଙ୍କା ନାୟକ ଓ ଖଣ୍ଡଗିରିରେ ହତ୍ୟାର ଶିକାର ହୋଇଥିବା ପୋଥାଳଙ୍କ ମା’ ସୁଭାସିନୀ ବେହେରା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବାକୁୂ ଅଡ଼ି ବସିଥିଲେ । ଏପରିକି ପୁଲିସ୍ର ଗୋଡ଼ ତଳେ ପଡ଼ିଥିଲେ ମଧ୍ୟ ପୁଲିସ୍ ସେମାନଙ୍କ ଛାଡ଼ି ନ ଥିଲା । ଫଳରେ ଏହାକୁ ନେଇ କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ।