୭ରେ ମକ୍ ଡ୍ରିଲ୍
ସବୁ ଜିଲ୍ଲାରେ ବଢ଼ିବ ଟେଷ୍ଟିଂ
ଭୁବନେଶ୍ୱର, ୨୫ା୧୨ (ବୁ୍ୟରୋ): ଭୁବନେଶ୍ୱରସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ, ରାଉରକେଲା ସରକାରୀ ହସ୍ପିଟାଲ ସମେତ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଥିବା ଡାକ୍ତରଖାନାରେ ଡିସେମ୍ବର ୨୭ରେ ମକ୍ଡ୍ରିଲ୍ ହେବ । ସବୁ ଜିଲ୍ଲାରେ କୋଭିଡ ଟେଷ୍ଟିଂ ବଢ଼ାଇବାକୁ ନିଦେ୍ର୍ଦଶ ଦିଆଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ନିରଞ୍ଜନ ମିଶ୍ର କହିଛନ୍ତି । ରାଜ୍ୟରେ କୋଭିଡ ମୁକାବିଲା ନେଇ ଭିସିରେ ଉଚ୍ଚସ୍ତରୀୟ ବୈଠକ ପରେ ଶ୍ରୀ ମିଶ୍ର କହିଛନ୍ତି, କୋଭିଡ ମୁକାବିଲା ନେଇ ରାଜ୍ୟ ସରକାର ପୂରା ପ୍ରସ୍ତୁତ ଅଛନ୍ତି ।
ସେହିପରି ରାଜ୍ୟରେ ଆଉ ୨ ଜଣ ଓମିକ୍ରନ୍ ସବ୍ ଭ୍ୟାରିଆଣ୍ଟ ବିଏ.୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ କେହି ମେଡିକାଲରେ ଭର୍ତ୍ତି ହୋଇ ନ ଥିବାବେଳେ ଉଭୟ ଆକ୍ରାନ୍ତଙ୍କ ଦେହରେ ସ୍ୱଳ୍ପ ତଥା ଲକ୍ଷଣବିହୀନ ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି । ଏ ସମ୍ପର୍କରେ ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡାକ୍ତର ମିଶ୍ର ସୂଚନା ଦେଇଛନ୍ତି । ରାଜ୍ୟରେ ଦୁଇଟି ଟିକା ନେବା ପରେ ଲୋକଙ୍କ ଭିତରେ ହାଇବ୍ରିଡ ଇମୁ୍ୟନିଟି ସୃଷ୍ଟି ହୋଇଛି । ସଚେତନତା ବି ବଢ଼ିଛି । ରାଜ୍ୟରେ ପ୍ରତି ଜିଲ୍ଲା ହସପିଟାଲରେ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ କରାଯାଇଛି । କୋଭିଡର ଆଉ ଏକ ଲହର ଆସିଲେ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି ।
ଆବଶ୍ୟକ ଔଷଧ ମଧ୍ୟ ମହଜୁଦ ରହିଥିବା ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ କହିଛନ୍ତି । ସୂଚନାଯୋଗ୍ୟ, ବିଦେଶ (ଜାପାନ, କୋରିଆ, ଆମେରିକା, ଫ୍ରାନ୍ସ, ବ୍ରାଜିଲ୍, ଜର୍ମାନି ଓ ଚୀନ୍)ରେ କରୋନା ଓମିକ୍ରନ୍ର ନୂଆ ଭାରିଆଣ୍ଟ ଖୁବ୍ ଶୀଘ୍ର ବ୍ୟାପୁଥିବାବେଳ ରାଜ୍ୟ ସରକାର ଏ ସମ୍ପର୍କରେ ଅବଗତ ହୋଇ ଜନସାଧାରଣଙ୍କ ପାଇଁ ଗାଇଡ୍ଲାଇନ୍ ଜାରି କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିସନର ତଥା ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାର ଜନସାଧାରଣଙ୍କୁ ମାସ୍କ ପିନ୍ଧିବା, ହାତ ଧୋଇବା, ଲକ୍ଷଣ ଦେଖାଗଲେ ଗୃହରେ ଅନ୍ୟମାନଙ୍କଠାରୁ ଅଲଗା ରହିବା ଏବଂ ସର୍ବସାଧାରଣସ୍ଥଳରେ ଛେପ ନ ପକାଇବା ପାଇଁ ପରାମର୍ଶ ଦେଇଛନ୍ତି ।
ଓମିକ୍ରନ୍ର ନୂଆ ଭାରିଆଣ୍ଟ ସେତେ ଭୟଙ୍କର ନୁହେଁ । କିନ୍ତୁ ସମସ୍ତଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି । କରୋନାର ନୂତନ ଲହରକୁ ନେଇ ଚିନ୍ତିତ ହେବାର ଆବଶ୍ୟକତା ନାହିଁ । ରାଜ୍ୟ ସରକାର କୋଭିଡ୍ ଟେଷ୍ଟିଂକୁ ଗୁରୁତ୍ୱ ଦେଉଛନ୍ତି । ଏଥି ପାଇଁ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଟେଷ୍ଟିଂ ଜାରି ରହିଛି । ଜାତୀୟ ହାର ତୁଳନାରେ ଓଡ଼ିଶାରେ ଦେନିକ ଅଧିକ ଟେଷ୍ଟିଂ କରାଯାଉଛି । ନୂଆ ଭାଇରସ୍ ପାଇଁ ଭୁବନେଶ୍ୱରର ଆଇଏଲ୍ଏସ୍ ଓ ଆରଏମ୍ଆରସି ଏବଂ ଏସ୍ସିବିରେ ଜିନୋମ ସିକ୍ୱେନ୍ସିଂ କରାଯାଉଛି ।
କୋଭିଡ ଚିକିତ୍ସା ଲାଗି ଏସ୍ସିବି, ଏମ୍କେସିଜି ଓ ବୁର୍ଲା ମେଡିକାଲରେ ୨୦ ଲେଖାଏଁ ବେଡ ପ୍ରସ୍ତୁତ ରହିଛି । ଏଥିରେ ୧୫ ଅକ୍ସିଜେନ ବେଡ୍ ଓ ୫ ଆଇସିୟୁ ବେଡ୍ ସାମିଲ ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ୨୦ ଲେଖାଏଁ ବେଡ ସଂଖ୍ୟା ବୃଦ୍ଧି କରାଯାଇପାରେ । ଜିଲ୍ଲା ଡାକ୍ତରଖାନାରେ ୧୦ ଲେଖାଏଁ ଅକ୍ସିଜେନ ସପୋର୍ଟ ଥିବା ବେଡର ବ୍ୟବସ୍ଥା କରାଯାଇଛି ।