ନେତୃତ୍ୱ ନେବେ ହାର୍ଦ୍ଦିକ!
ଭାରତ-ଶ୍ରୀଲଙ୍କା ଟି-୨୦ ଆନ୍ତର୍ଜାତିକ ଶୃଙ୍ଖଳା
ମୁମ୍ବାଇ, ୨୫ା୧୨ (ଏଜେନ୍ସି): ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ର ଟି-୨୦ ଶୃଙ୍ଖଳା ଆସନ୍ତା ବର୍ଷ ଜାନୁଆରୀ ୩ରୁ ଆରମ୍ଭ ହେବ । ଏଥିପାଇଁ କିଛି ଦିନ ମଧ୍ୟରେ ଟିମ୍ ଚୟନ କରାଯିବ । ଶ୍ରୀଲଙ୍କା ବିପକ୍ଷ ଟି-୨୦ ଶୃଙ୍ଖଳାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଖେଳି ନ ପାରନ୍ତି । ସେ ଅଦ୍ୟାବଧି ବାମ ବୃଦ୍ଧାଙ୍ଗୁଳି ଯନ୍ତ୍ରଣାରୁ ସୁସ୍ଥ ହୋଇ ନାହାନ୍ତି । ଏପରିସ୍ଥଳେ ଅଲ୍ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍ର ନେତୃତ୍ୱ ନେଇପାରନ୍ତି ।
ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ମୁମ୍ବାଇ ଠାରେ ଖେଳାଯିବ । ଦ୍ୱିତୀୟ ମ୍ୟାଚ୍ ୫ରେ ପୁନେ ଏବଂ ତୃତୀୟ ତଥା ଶେଷ ମ୍ୟାଚ୍ ୭ରେ ରାଜକୋଟ ଠାରେ ଆୟୋଜିତ ହେବ ।
ଟି-୨୦ ଟିମ୍ରେ ଓପନିଂ ବ୍ୟାଟର୍ ଲୋକେଶ ରାହୁଲଙ୍କ ସ୍ଥାନ ଏବେ ସୁରକ୍ଷିତ ନୁହେଁ । ଅନୁମାନ କରାଯାଉଛି ଯେ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାରୁ ତାଙ୍କୁ ବାଦ୍ ଦିଆଯାଇପାରେ । ଏହି ଫର୍ମାଟ୍ରେ ରାହୁଲଙ୍କ ଫର୍ମ ଚିନ୍ତାର ବିଷୟ ହୋଇଛି । ସେ ପୂର୍ବ ଛଅ ଇନିଂସ୍ରେ ଦୁଇ ଅର୍ଦ୍ଧଶତକ ଲଗାଇଥିଲେହେଁ ଉଭୟ ଅପେକ୍ଷାକୃତ ଦୁର୍ବଳ ଟିମ୍ ବିପକ୍ଷରେ ଥିଲା । ରାହୁଲ ପାକିସ୍ତାନ ବିପକ୍ଷରେ ୪, ନେଦରଲାଣ୍ଡ୍ସ ବିପକ୍ଷରେ ୯, ଦକ୍ଷିଣ ଆଫ୍ରିକା ବିପକ୍ଷରେ ୯, ବାଂଲାଦେଶ ବିପକ୍ଷରେ ୫୦, ଜିମ୍ବାୱେ ବିପକ୍ଷରେ ୫୧ ଓ ଇଂଲଣ୍ଡ ବିପକ୍ଷରେ ୫ ରନ୍ କରିଥିଲେ । ସେହିପରି ବିରାଟ କୋହଲିଙ୍କୁ ମଧ୍ୟ ଟି-୨୦ ଫର୍ମାଟ୍ରୁ କିଛି ଦିନ ପାଇଁ ବିଶ୍ରାମ ଦିଆଯାଇପାରେ ।
ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ଚୟନ କମିଟିହିଁ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳା ପାଇଁ ଟିମ୍ ଚୟନ କରିବ, କାରଣ ନୂଆ ଚୟନ କମିଟି ଘୋଷଣା ହେବାକୁ ଏବେ ଆଉ ଗୋଟିଏ ସପ୍ତାହ ଲାଗିପାରେ । ଟି-୨୦ ବିଶ୍ୱକପ୍ରେ ଭାରତୀୟ ଟିମ୍ର ଖରାପ ପ୍ରଦର୍ଶନ ପରେ ଏହି ଚୟନ କମିଟିକୁ ଭଙ୍ଗ କରାଯାଇଥିଲା । କ୍ରିକେଟ୍ ପରାମର୍ଶଦାତା କମିଟି ଦ୍ୱାରା ଚୟନ କମିଟି ସଦସ୍ୟମାନଙ୍କୁ ବାଛିବା ପାଇଁ ପ୍ରାର୍ଥୀଙ୍କ ସାକ୍ଷାତକାର ଡିସେମ୍ବର ୨୬ରୁ ୨୮ ମଧ୍ୟରେ ହେବ ବୋଲି ସୂଚନା ମିଳିଛି ।
ବିସିସିଆଇର ଏକ ସୂତ୍ରରୁ କୁହାଯାଉଛି, “ଶ୍ରୀଲଙ୍କା ବିପକ୍ଷ ଧଳା ବଲ୍ ଟିମ୍ର ଚୟନ ପୁରୁଣା କମିଟି କରିବ । ଏ ଯାଏଁ ଲାଗୁ ନାହିଁ ଯେ ରୋହିତ ଶର୍ମାଙ୍କ ଅଙ୍ଗୁଳି ଆଘାତ ଟି-୨୦ ଶୃଙ୍ଖଳା ପୂର୍ବରୁ ଠିକ୍ ହୋଇପାରିବ । ସେହି ସ୍ଥିତିରେ ହାର୍ଦ୍ଦିକ ଟିମ୍ର ନେତୃତ୍ୱ ନେବେ । ଟି-୨୦ରେ ଲୋକେଶ ରାହୁଲଙ୍କ ଆଉ ବେଶୀ ଦିନ ନାହିଁ ।”
ହାର୍ଦ୍ଦିକଙ୍କୁ ଭବିଷ୍ୟତର ଟି-୨୦ ଅଧିନାୟକ ଦୃଷ୍ଟିରୁ ବିଚାର କରାଯାଉଛି । ସେ ପୂର୍ବରୁ ମଧ୍ୟ ରୋହିତଙ୍କ ଅନୁପସ୍ଥିତିରେ ଭାରତୀୟ ଟି-୨୦ ଟିମ୍ର ନେତୃତ୍ୱ ନେଇସାରିଛନ୍ତି । ସେ ଆୟରଲାଣ୍ଡ ଓ ନୁ୍ୟଜିଲାଣ୍ଡ ଗସ୍ତରେ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ଭାରତ ଉଭୟ ଶୃଙ୍ଖଳା ଜିତିଥିଲା । ଏହାଛଡ଼ା ଜୁନ୍ରେ ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳା ପାଇଁ ଉପ-ଅଧିନାୟକ କରାଯାଇଥିଲା । ରିଷଭ ପନ୍ତ ସେହି ଟିମ୍ର ନେତୃତ୍ୱ ନେଇଥିଲେ ଏବଂ ଶୃଙ୍ଖଳା ୨-୨ରେ ବରାବର ରହିଥିଲା ।
ହାର୍ଦ୍ଦିକ ଏହା ପୂର୍ବରୁ ଚଳିତ ବର୍ଷ ଆଇପିଏଲ୍ରେ ନବାଗତ ଗୁଜରାଟ ଟାଇଟନ୍ସ ଟିମ୍କୁ ଅପ୍ରତ୍ୟାଶିତ ଭାବେ ବିଜେତା କରାଇଥିଲେ । ଏହାଛଡ଼ା ସେ ୧୫ ମ୍ୟାଚ୍ ଖେଳି ୪୪.୨୭ ଆଭରେଜ୍ରେ ୪୮୭ ରନ୍ ସଂଗ୍ରହ କରିଥିଲେ ଏବଂ ୮ ୱିକେଟ୍ ମଧ୍ୟ ନେଇଥିଲେ ।