ନେପାଳରେ ପୁଣି ମାଓବାଦୀ ସରକାର
ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ ପ୍ରଚଣ୍ଡ
କାଠମାଣ୍ଡୁ, ୨୫ା୧୨: ନେପାଳରେ ଶାସନ କ୍ଷମତା ପୁଣି ଥରେ ମାଓବାଦୀ ନେତା ପୁଷ୍ପ କମଳ ଦହଲ ‘ପ୍ରଚଣ୍ଡ’ଙ୍କ ହାତକୁ ଆସିବାକୁ ଯାଉଛି । ସେ ପ୍ରଧାନମନ୍ତ୍ରୀ ରୂପେ ସୋମବାର ଶପଥ ନେବେ । ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ରବିବାର ପ୍ରଚଣ୍ଡଙ୍କ ନିଯୁକ୍ତି ଘୋଷଣା କରିଛନ୍ତି । ପ୍ରଚଣ୍ଡଙ୍କ ନେତୃତ୍ୱକୁ ୬ଟି ଦଳ ସମର୍ଥନ ଦେଇଛନ୍ତି ।
ସାଧାରଣ ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳି ନ ଥିଲା । ତେବେ ଏକ ନାଟକୀୟ ଘଟଣା କ୍ରମରେ ବିରୋଧୀ ସିପିଏନ୍-ୟୁଏମ୍ଏଲ୍ ଓ ଅନ୍ୟ ୪ଟି ଛୋଟ ଦଳ ସମର୍ଥନ ଦେବାକୁ ସହମତ ହେବାରୁ ପ୍ରଚଣ୍ଡ ତୃତୀୟ ବାର ପ୍ରଧାନମନ୍ତ୍ରୀ ହେବା ସୁନିଶ୍ଚିତ ହୋଇଛି । ରାଷ୍ଟ୍ରପତିଙ୍କୁ ପ୍ରଚଣ୍ଡ ଦେଇଥିବା ପତ୍ରରେ ଲେଖିଛନ୍ତି,
ପ୍ରଧାନମନ୍ତ୍ରୀ ପଦ ପାଇଁ ସ୍ୱାଧୀନ ସାଂସଦମାନଙ୍କ ସମେତ ୧୬୯ ସାଂସଦଙ୍କ ସମର୍ଥନ ସେ ପାଇଛନ୍ତି । ଏହି ପତ୍ର ମିଳିବା ପରେ ରାଷ୍ଟ୍ରପତି ତାଙ୍କୁ ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତ କରିଛନ୍ତି ।
ଏହି ୫ଦଳିଆ ମେଣ୍ଟ ସରକାର ଗଠନରେ ସର୍ତ୍ତ ଅଛି ଯେ ପ୍ରଚଣ୍ଡ ପ୍ରଥମ ଅଢେଇ ବର୍ଷ ପ୍ରଧାନମନ୍ତ୍ରୀ ପଦରେ ରହିବେ । ଏହା ପରେ ସିପିଏନ୍-ୟୁଏମ୍ଏଲ୍ କ୍ଷମତାସୀନ ହେବ ।
୧୯୫୪ ରେ ଜାତ ପ୍ରଚଣ୍ଡ ନେପାଳରେ ୧୯୯୬ରୁ ୨୦୦୬ ପର୍ଯ୍ୟନ୍ତ ସିପିଏନ୍-ମାଓବାଦୀ ଦଳରେ ଥାଇ ସଶସ୍ତ୍ର ସଂଘର୍ଷର ନେତୃତ୍ୱ ନେଇଥିଲେ । ୨୦୦୬ ନଭେମ୍ବରରେ ଏକ ଶାନ୍ତି ଚୁକ୍ତି ବଳରେ ସଂଘର୍ଷ ଶେଷ ହେଲା ଏବଂ ପ୍ରଚଣ୍ଡ ମୁଖ୍ୟ ଧାରାର ରାଜନୀତିରେ ସାମିଲ ହେଲେ । ସେ ୨୦୦୮ ରୁ ୨୦୦୯ ଏବଂ ୨୦୧୬ ରୁ ୨୦୧୭ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିଲେ । ନେପାଳ ସଂସଦର ସଦସ୍ୟ ସଂଖ୍ୟା ୨୭୫ । ପ୍ରଚଣ୍ଡଙ୍କ ନେତୃତ୍ୱକୁ ସିପିଏନ୍-ୟୁଏମ୍ଏଲ୍ର ୭୮, ସିପିଏନ୍-ଏନ୍ସିର ୩୨, ଆର୍ଏସ୍ପିର ୨୦, ଆର୍ପିପିର ୧୪, ଜେଏସ୍ପିର ୧୨, ଜନମତର ୬ ଓ ନାଗରିକ ଉନ୍ମୁକ୍ତି ପାର୍ଟିର ୩ ସାଂସଦ ସମର୍ଥନ ଦେଇଛନ୍ତି ।