ରାଜ୍ୟକୁ ଋଣ ଦେବାକୁ ଜାପାନ ଆଗ୍ରହୀ
ଭୁବନେଶ୍ୱର,୨୫ା୧୨ (ତଥ୍ୟ) ଓଡିଶା ସରକାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଲାଗି ଜାପାନୀ ଋଣ ଆଣିବାକୁ ଆଗ୍ରହୀ ଥିବାବେଳେ ଜାପାନ ସରକାର ମଧ୍ୟ ରାଜ୍ୟର ବିକାଶ ଲାଗି ଏଥିପାଇଁ ଆଗ୍ରହୀ । ଜାପାନର ଏଭଳି ସହାୟତା ପାଇଁ ଭାରତ ସରକାର ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି ।
ତଦନୁଯାୟୀ ରାଜ୍ୟ ସରକାର ସମସ୍ତ ବିଭାଗକୁ ଜାପାନ ସରକାରଙ୍କ ଠାରୁ ଜାପାନ ଆର୍ନ୍ତଜାତିକ ସହଯୋଗ ସଂସ୍ଥା (ଜାଇକା)ର ସରକାରୀ ବିକାଶ ସହାୟତା (ଓଡିଏ) ଋଣ ପାଇଁ ପ୍ରସ୍ତାବ ଦେବାକୁ କହିଛନ୍ତି । କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧିନରେ ଥିବା ଅର୍ଥନୈତିକ ବ୍ୟାପାର ବିଭାଗର ଅନୁରୋଧ ଅନୁଯାୟୀ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଏବଂ ସମସ୍ତ ବିଭାଗର ସଚିବଙ୍କୁ ଏହି ମର୍ମରେ ପତ୍ର ଲେଖିଛନ୍ତି ।
ଅର୍ଥ ବିଭାଗ ଲେଖିଥିବା ପତ୍ରରେ ଜାଇକା-ଓଡିଏ ଋଣ ପାଇବା ପାଇଁ ରାଜ୍ୟ ସ୍ତରୀୟ ପ୍ରକଳ୍ପ ମନିଟରିଂ କମିଟି ନିକଟରେ ପ୍ରସ୍ତାବ ଦାଖଲ କରିବାକୁ କୁହାଯାଇଛି । ଆଗ୍ରହୀ ବିଭାଗଗୁଡିକୁ ସେମାନଙ୍କ ପ୍ରସ୍ତାବ ଇ-ପିପିଆର (ଷଗ୍ଧଗ୍ଧକ୍ଟ୍ର://ରବକ୍ଟ୍ରୟରବ.ଶକ୍ଟଙ୍ଖ.ସଦ୍ଭ/କ୍ଟ୍ରକ୍ଟ୍ରକ୍ସ) ପୋର୍ଟାଲରେ ଦାଖଲ କରିବାକୁ କୁହାଯାଇଛି । ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ଆର୍ଥିକ ବ୍ୟାପାର ବିଭାଗ ସଚିବ ଅଜୟ ସେଠ୍ ଲେଖିଥିବା ପତ୍ରର ଉଲ୍ଲେଖ କରିଛନ୍ତି ଯେ ୨୦୨୨ ମାର୍ଚ୍ଚ ୧୦ରେ ଅନୁଷ୍ଠିତ ଶେଷ ଭାରତ-ଜାପାନ ଶିଖର ସମ୍ମିଳନୀରେ ଉଭୟ ଭାରତ ଓ ଜାପାନର ପ୍ରଧାନମନ୍ତ୍ରୀ ଆସନ୍ତା ୫ ବର୍ଷରେ ଭାରତରେ ଜାପାନର ୫ ଟ୍ରିଲିୟନ ଜାପାନୀ ୟେନ୍ (ଜେପିୱାଇ) ଘରୋଇ ଓ ସରକାରୀ ନିବେଶ ହେବାନେଇ ମତ ଦେଇଥିଲେ । ଧାର୍ଯ୍ୟ ଲକ୍ଷ୍ୟର ଅତି କମ୍ରେ ୫୦ ପ୍ରତିଶତ ଓଡିଏ ଭାବେ ପରବର୍ତ୍ତୀ ପାଞ୍ଚ ବର୍ଷରେ ଆସିବା ନେଇ ଆଶା କରାଯାାଉଛି । ତେଣୁ ସରକାରୀ ନିବେଶ ସହିତ ଜାପାନରୁ ପୁଞ୍ଜି ଆସିବା କ୍ଷେତ୍ରରେ ଜାଇକାର ପ୍ରମୁଖ ଭୂମିକା ରହିଛି । ଦୁଇ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଧାର୍ଯ୍ୟ ଲକ୍ଷ୍ୟ ହାସଲ ଲାଗି ଜାଇକା ସହ ସହଭାଗିତା ପାଇଁ ପ୍ରଭାବଶାଳୀ ତଥା ଅଭିନବ ପ୍ରକଳ୍ପ ଆଣିବା ଆମର ବଡ ଦାୟିତ୍ୱ ବୋଲି ସଚିବ କହିଛନ୍ତି ।
ରାଜ୍ୟ ଠାରୁ ଏଭଳି ପ୍ରସ୍ତାବ ମାଗି ସେ କହିଛନ୍ତି ଯେ ବର୍ତ୍ତମାନ ଯେଉଁ ପ୍ରକଳ୍ପଗୁଡିକ ଜାଇକା ଅଧିନରେ ରହିଛି କିନ୍ତୁ ଏଥିରେ ଅଗ୍ରଗତି ପରିଲକ୍ଷିତ କରିନାହାନ୍ତି ତାହାର ଡିପିଆର ପ୍ରସ୍ତୁତି, ବୈଧାନିକ ଅନୁମୋଦନ, ଜମି ଅଧିଗ୍ରହଣ ଆଦିର ସମୀକ୍ଷା କରାଯାଇପାରେ ଯାହାଦ୍ୱାରା ଜାଇକା/ଜାପାନ ସରକାରଙ୍କ ସହ ପ୍ରକଳ୍ପ ପ୍ରସ୍ତାବ ଗ୍ରହଣ କରିବାପାଇଁ ଏକ ପ୍ରଭାବଶାଳୀ ଉପାୟ ଅବଲମ୍ବନ କରାଯାଇପାରିବ ।