ବମ୍ ସାଇକ୍ଲୋନ୍: ମୃତୁ୍ୟସଂଖ୍ୟା ୨ଠକୁ ବୃଦ୍ଧି
ୱାଶିଂଟନ୍ (ଏଜେନ୍ସି): ଆମେରିକାରେ ଏବେ କୋଟି କୋଟି ଲୋକ ବମ୍ ସାଇକ୍ଲୋନ୍ ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି । ଏମାନଙ୍କ ପାଇଁ ବଡଦିନ ପାଳନ ମଧ୍ୟ ଫିକା ପଡ଼ିଯାଇଛି । ଭୟଙ୍କର ବରଫ ଝଡ ସାଙ୍ଗକୁ ତୁହାକୁ ତୁହା ବର୍ଷା ଏବଂ ବନ୍ୟା ସ୍ଥିତି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ଆମେରିକାର ଅନେକ ସହରରେ ଏପ୍ରକାର ସ୍ଥିତି ପରିଲକ୍ଷିତ ହୋଇଛି । ଘରେ ଥିବା ଲୋକ ଘରେ ରହିବାକୁ ସୁରକ୍ଷିତ ମଣୁଥିବା ବେଳେ ରାସ୍ତାରେ ଯାଉଥିବା ଲୋକେ ଫସିଯାଇଛନ୍ତି । ସେହିପରି ଅନେକ ସହରରେ ବିମାନ ଉଡାଣକୁ ହଠାତ୍ ବନ୍ଦ କରିଦିଆଯାଇଥିବାରୁ ବିମାନବନ୍ଦରକୁ ଆସିଯାଇଥିବା ଲୋକେ ସମସ୍ୟାରେ ପଡ଼ିଯାଇଛନ୍ତି । ସେମାନଙ୍କୁ ଏବେ ଏହିଠାରେ ରହିବାକୁ ପରାମର୍ଶ ଦିଆଯାଉଛି । ଏସବୁ ମଧ୍ୟରେ ଏହି ଭୟଙ୍କର ବରଫ ଝଡ଼ କାରଣରୁ ପ୍ରାୟ ୨ଠଜଣ ପ୍ରାଣ ହରାଇସାରିଲେଣି ।
ଘଣ୍ଟାପ୍ରତି ୭ଠ କିମି ବେଗରେ ବରଫ ଝଡ (ବରଫ ପାତ ସହ ଦ୍ରୁତ ବେଗରେ ପ୍ରବାହିତ ଥଣ୍ଡା ପବନ) ଜାରି ରହିଥିବା ବେଳେ ମିଶିଗାନ୍ ସମେତ ଅନେକ ସହରରେ ତାପମାତ୍ରା -୧୭ଡିଗ୍ରୀ ତଳକୁ ଖସିଆସିଛି । ଫଳରେ ଉତ୍ତପ୍ତ ପାଣି ମଧ୍ୟ ନିମିଷକେ ବରଫ ପାଲଟିଯାଉଛି । ନଦୀ, ଝରଣା ପାଣି ମଧ୍ୟ ବରଫ ପାଲଟିଯାଇଛି । ସ୍ଥିତିକୁ ଦେଖି ବର୍ତ୍ତମାନ ସୁଦ୍ଧା ପ୍ରାୟ ୧ଠହଜାର ବିମାନ ଉଡାଣକୁ ବନ୍ଦ ରଖାଯାଇଛି । ବରଫ ଝଡ ସାଙ୍ଗକୁ ବର୍ଷା କାରଣରୁ ପ୍ରାୟ ୨ଠ କୋଟି ଲୋକଙ୍କ ଘରେ ବିଜୁଳି ସରବରାହ ବ୍ୟାହତ୍ ହୋଇଛି । ଏମାନେ ଏବେ ଅନ୍ଧକାରରେ ଜୀବନ କାଟୁଛନ୍ତି । ଅନ୍ୟପକ୍ଷେ ରାସ୍ତାଘାଟ ଚାରିଆଡେ ବରଫର ମୋଟା ଆସ୍ତରଣ ଜମି ରହିଛି । ନୁ୍ୟୟର୍କରେ ଏମରଜେନ୍ସି ପରିସ୍ଥିତି ଘୋଷଣା କରାଯାଇଛି । ରାଷ୍ଟ୍ରପତି ଜୋ ବାଇଡନ୍ ତୁଷାର ଝଡ ବେଳେ ଲୋକଙ୍କୁ ସଚେତନ କରାଇବା ସହ ଘରୁ ନ ବାହାରିବା ପାଇଁ ନିବେଦନ କରିଛନ୍ତି । ଇତିହାସରେ ଏହାକୁୂ ପ୍ରଥମ ବମ୍ ସାଇକ୍ଲୋଇନ୍ ଭାବେ ଅଭିହିତ କରାଯାଉଛି ଯାହାକି ସର୍ବାଧିକ କ୍ଷତି ପହଞ୍ଚାଇଛି ।