ଗୁମର ଖୋଲିବ ମୁଲାକାତ ଡାଏରୀ!

ଭୁବନେଶ୍ୱର (ବୁ୍ୟରୋ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍ସାଇନ୍ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ମୃତୁ୍ୟ ଘଟଣାରେ କ୍ରାଇମ୍ ବ୍ରାଞ୍ଚ୍ର ତଦନ୍ତ ଜାରି ରହିଛି । ଏହି ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍ ରବିବାର ଗୋବିନ୍ଦ ରହିଥିବା କଣ୍ଟାବାଞ୍ଜି ଉପକାରାଗାରରେ କିଛି ଅନ୍ତେବାସୀଙ୍କୁ ଜେରା କରିଛି । ଏଥି ସହ ଟିମ୍ ଜେଲ୍ରେ ଗୋବିନ୍ଦଙ୍କୁ ଭେଟିଥିବା ଲୋକଙ୍କ ତାଲିକା ଯାଞ୍ଚ କରିଛି । ସେହିପରି ଜେଲ୍ ‘ମୁଲାକାତ୍ ଡାଏରୀ’ ଯାଞ୍ଚ କରିଛି ।
ଟିମ୍ ଗତ ୫ଦିନ ତଦନ୍ତ କଲା ପରେ ଅନେକ ତଥ୍ୟ ଏବଂ ନମୂନା ସଂଗ୍ରହ କରିଛି । ସାଇଟିଫିକ୍ ଦଳ ସହ ମିଶି ଟିମ୍ ଗୋବିନ୍ଦ ସାହୁର ଆତ୍ମହତ୍ୟା କରିଥିବା ସ୍ଥାନରୁ ନେଇ ତାର ଘର, କଲେଜ ଏବଂ ଜେଲ ଭିତରେ ରହିଥିବା ସେଲ୍ର ତଦନ୍ତ ସାରିଛି । ମହାଲିଙ୍ଗ କଲେଜକୁ ଯାଇ ଗୋବିନ୍ଦ ସେଠାରେ ବ୍ୟବହାର କରିଥିବା ରେଜିଷ୍ଟାର୍ ଏବଂ ଘରେ ଥିବା ଏକ ଡାଏରୀ ମଧ୍ୟ ଜବତ କରିଛି । ସେପଟେ ଗୋବିନ୍ଦଙ୍କ ଆତ୍ମହତ୍ୟାକୁ ୫ ଦିନ ବିତିଥିଲେ ମଧ୍ୟ ଆଜିବି ଆତ୍ମହତ୍ୟାର ରହସ୍ୟ ଉପରୁ ପରଦା ଉଠି ପାରିନାହିଁ । କ୍ରାଇମ୍ ବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଥିବାବେଳେ ଏପର୍ଯ୍ୟନ୍ତ କୌଣସି ଠୋସ୍ ପ୍ରମାଣ କ୍ରାଇମ୍ ବ୍ରାଞ୍ଚ୍ ଟିମ୍କୁ ମିଳିପାରି ନାହିଁ । ଅନ୍ୟପକ୍ଷେ ଗୋବିନ୍ଦ ସାହୁର ଆତ୍ମହତ୍ୟାକୁ ନେଇ ରାଜ୍ୟରାଜନିତି ସରଗରମ ହୋଇଛି । ବିରୋଧୀ ଶାସକ ଦଳକୁ ଟାର୍ଗେଟ କରିବା ସହ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛି । ଏହି ମଧ୍ୟରେ ଗୋବିନ୍ଦ ଆତ୍ମହତ୍ୟା ଘଟଣାକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଗୋବିନ୍ଦ ସାହୁ ମୃତୁ୍ୟର ତଦନ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ କରିବେ । ଏନେଇ ନିଦେ୍ର୍ଦଶ ଜାରି ହୋଇଛି । ବଲାଙ୍ଗିର ଜିଲ୍ଲାପାଳଙ୍କୁ ସମସ୍ତ ବ୍ୟବସ୍ଥା ପାଇଁ ଜେଲ ନିଦେ୍ର୍ଦଶକ ନିଦେ୍ର୍ଦଶ ଦେଇଛନ୍ତି । ଏତ୍ଦବ୍ୟତୀତ ଗାଇଡଲାଇନ ଅନୁଯାୟୀ ଗୋବିନ୍ଦ ଆତ୍ମହତ୍ୟା ଘଟଣାର ତଦନ୍ତ କରି ରିପୋର୍ଟ ଦିଆଯିବାକୁ ନିଦେ୍ର୍ଦଶ ଦିଆଯାଇଛି । ଏଥିସହ ଇନସୁଏଷ୍ଟ, ପୋଷ୍ଟମର୍ଟମ, ଭିସେରା ଆଦିର ରିପୋର୍ଟ ପଠାଇବାକୁ ମାଜିଷ୍ଟ୍ରେଟ୍ କହିଛନ୍ତି ।
ସୂଚନାଯୋଗ୍ୟ, ଚଳିତମାସ ୨୦ ତାରିଖରେ ବିଚାର ଧୀନ ଥିବା ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିଥିଲା । ସନସାଇନ୍ ପବ୍ଲିକ ସ୍କୁଲର ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୋବିନ୍ଦ ସାହୁ ୨୦ ତାରିଖରେ ଜେଏମଏଫସି କୋର୍ଟରେ ହାଜର ହୋଇଥାନ୍ତା । କିନ୍ତୁ ତା ପୂର୍ବରୁ ସେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *