ଦ୍ୱିତୀୟ ଟେଷ୍ଟ ଜିତାଇଲେ ଅଶ୍ୱିନ-ଶ୍ରେୟାସ
ବାଂଲାଦେଶ ଶୃଙ୍ଖଳା ପୋଛିଲା ଭାରତ
ଅଶ୍ୱିନ ମ୍ୟାଚ୍ ଓ ପୂଜାରା ଶୃଙ୍ଖଳା ଶ୍ରେଷ୍ଠ
ମୀରପୁର, ୨୫ା୧୨ (ଏଜେନ୍ସି): ବାଂଲାଦେଶ ବିପକ୍ଷ ଦ୍ୱିତୀୟ ତଥା ଶେଷ ଟେଷ୍ଟରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଅଷ୍ଟମ ୱିକେଟ୍ ପାଇଁ ଶ୍ରେୟାସ ଆୟର ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଅପରାଜିତ ୭୧ ରନ୍ର ଭାଗୀଦାରୀ ବଳରେ ଭାରତ ରବିବାର ଚତୁର୍ଥ ଦିନ ୩ ୱିକେଟ୍ରେ ବିଜୟୀ ହୋଇ ଶୃଙ୍ଖଳାକୁ ୨-୦ରେ ମୂଳପୋଛ କରିଛି । ଅଶ୍ୱିନ ‘ପ୍ଲେୟାର୍ ଅଫ୍ ଦ ମ୍ୟାଚ୍’ ଓ ଚେତେଶ୍ୱର ପୂଜାରା ‘ପ୍ଲେୟାର୍ ଅଫ୍ ଦ ସିରିଜ୍’ ବିବେଚିତ ହୋଇଛନ୍ତି ।
ଭାରତୀୟ ଟିମ୍ ଚତୁର୍ଥ ଥର ବାଂଲାଦେଶ ବିପକ୍ଷରେ ତା’ରି ମାଟିରେ ଟେଷ୍ଟ ଶୃଙ୍ଖଳା ମୂଳପୋଛ କରିଛି । ଏହାଛଡ଼ା ଏହି ଟିମ୍ ବିପକ୍ଷରେ ଭାରତର ଏହା ମୋଟ୍ ସପ୍ତମ ଟେଷ୍ଟ ଶୃଙ୍ଖଳା ବିଜୟ । ଟିମ୍ ଇଣ୍ଡିଆ ଟେଷ୍ଟରେ ବାଂଲାଦେଶ ବିପକ୍ଷରେ ୧୧ତମ ବିଜୟ ହାସଲ କରିଛି । ଉଭୟ ଟିମ୍ ମଧ୍ୟରେ ଏ ଯାବତ ୧୩ ଟେଷ୍ଟ ମ୍ୟାଚ୍ ଖେଳାଯାଇଛି । ସେଥି ମଧ୍ୟରେ ଭାରତ ୧୧ ମ୍ୟାଚ୍ ଜିତିଥିବା ବେଳେ ଦୁଇ ମ୍ୟାଚ୍ ଅମୀମାଂସିତ ରହିଥିଲା ।
ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ର ପଏଣ୍ଟ ଟେବୁଲ୍ରେ ଦ୍ୱିତୀୟ ସ୍ଥାନରେ ରହିଛି । ଟିମ୍ର ପଏଣ୍ଟ ୫୮.୯୩ ପ୍ରତିଶତ ରହିଛି । ଅଷ୍ଟ୍ରେଲିଆ ୭୬.୯୨ ପ୍ରତିଶତ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଅଛି ।
ଚତୁର୍ଥ ଦିନ ପ୍ରଥମ ସତ୍ରରେ ଭାରତୀୟ ଟିମ୍ ଶ୍ରେୟାସ ଓ ଅଶ୍ୱିନଙ୍କ ଅର୍ଦ୍ଧଶତକୀୟ ଭାଗୀଦାରୀ ସହାୟତାରେ ଦ୍ୱିତୀୟ ଇନିଂସ୍ରେ ୭ ୱିକେଟ୍ ହରାଇ ଆବଶ୍ୟକ ୧୪୫ ରନ୍ ସଂଗ୍ରହ କରିଥିଲା । ଆୟର ୪୬ ବଲ୍ରୁ ୪ ଚୌକା ସହାୟତାରେ ୨୯ ଏବଂ ଅଶ୍ୱିନ ୬୨ ବଲ୍ରେ ୪ ଚୌକା ଓ ୧ ଛକା ସହାୟତାରେ ୪୨ ରନ୍ କରି ଅପରାଜିତ ଥିଲେ ।
୯୦ ବର୍ଷ ପରେ ଭାରତୀୟ ବ୍ୟାଟର୍ ଟେଷ୍ଟର ଚତୁର୍ଥ ଇନିଂସ୍ରେ ଅଷ୍ଟମ ୱିକେଟ୍ ପାଇଁ ୭୦+ ରନ୍ ଯୋଗ କରିଥିଲେ । ଏହା ପୂର୍ବରୁ ୧୯୩୨ରେ ଅମର ସିଂହ ଓ ଲାଲ୍ ସିଂହଙ୍କ ମଧ୍ୟରେ ୭୪ ରନ୍ର ଭାଗୀଦାରୀ ହୋଇଥିଲା ।
ଏହା ପୂର୍ବରୁ ଭାରତୀୟ ଟିମ୍ ୪୫/୪ ସ୍କୋର୍ରୁ ଅସମାପ୍ତ ଦ୍ୱିତୀୟ ଇନିଂସ୍ ବ୍ୟାଟିଂ ଆରମ୍ଭ କରିଥିଲା । ଟିମ୍କୁ ବିଜୟ ପାଇଁ ଆହୁରି ୧୦୦ ରନ୍ ଆବଶ୍ୟକ ଥିଲା । ପୂର୍ବ ଦିନ ଅପରାଜିତ ଥିବା ଅକ୍ଷର ପଟେଲ୍ ଓ ଜୟଦେବ ଉନାଦକଟଙ୍କ ଯୋଡ଼ି ବେଶୀ ବାଟ ଯାଇ ନ ଥିଲା । ଜୟଦେବ (୧୩) ନିଜ ପୂର୍ବ ସ୍କୋର୍ରେ ୧୦ ରନ୍ ଯୋଗ କରି ଶାକିବ୍ ଅଲ୍ ହସନ୍ଙ୍କ ବଲ୍ରେ ଏଲ୍ବିଡବ୍ଲୁ୍ୟ ହୋଇଥିଲେ ।
ପ୍ର୍ରଥମ ଇନିଂସ୍ରେ ଦୃଢ଼ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିବା ରିଷଭ ପନ୍ତ ମାତ୍ର ୯ ରନ୍ କରି ମେହଦୀ ହସନ୍ ମୀରାଜଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଅକ୍ଷର ବ୍ୟକ୍ତିଗତ ୩୪ ରନ୍ରେ ମୀରାଜଙ୍କ ଆଉ ଏକ ଶିକାର ହୋଇଥିଲେ । ୭୪ ରନ୍ରେ ସପ୍ତମ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା ଟିମ୍ । କିନ୍ତୁ ଶ୍ରେୟାସ ଓ ନୂଆ ବ୍ୟାଟର ଅଶ୍ୱିନ ଦୃଢ଼ତାର ସହ ଖେଳିଥିଲେ । ଉଭୟ ଆଉ ୱିକେଟ୍ ପଡ଼ିବାକୁ ନ ଦେଇ ଟିମ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ । ବିପକ୍ଷ ବୋଲର୍ ମେହଦୀ ୫ ଓ ଶାକିବ୍ ୨ ୱିକେଟ୍ ନେଇଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ଇନିଂସ୍ରେ ବାଂଲାଦେଶ ୨୨୭ ରନ୍ କରିଥିବା ବେଳେ ଭାରତ ୩୧୪ ରନ୍ ସଂଗ୍ରହ କରିଥିଲା । ଏହାପରେ ବାଂଲାଦେଶ ଦ୍ୱିତୀୟ ଇନିଂସ୍ରେ ୨୩୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା ।