ଭବିଷ୍ୟତ ନାଗରିକଙ୍କ ଆଶା ପୂରଣ କରୁ ବିଦ୍ୟାଳୟ

ସୈନିକ ସ୍କୁଲ୍ ହୀରକ ଜୟନ୍ତୀ
ଭୁବନେଶ୍ୱର, ୨୪ା୧୨ (ବୁ୍ୟରୋ): ସୈନିକ ସ୍କୁଲର ହୀରକ ଜୟନ୍ତୀ ଶନିବାର ଉଦ୍ଘାଟିତ ହୋଇଛି । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସୈନିକ ସ୍କୁଲ ଓଲ୍ଡ ବଏଜ୍ ଆସୋସିଏସନ୍ ପକ୍ଷରୁ ଏହି ଜୟନ୍ତୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଏହି ମହତ୍ୱପୂର୍ଣ୍ଣ ହୀରକ ଜୟନ୍ତୀ ଉତ୍ସବରେ ଯୋଗଦେଇ ବେଶ୍ ଆନନ୍ଦିତ । ଏହି ଗୌରବମୟ ଅବସରରେ ଆପଣ ସମସ୍ତଙ୍କୁ ମୋର ଅଭିନନ୍ଦନ । ୧୯୬୨ରେ କିମ୍ବଦନ୍ତୀ ନେତା ବିଜୁ ପଟ୍ଟନାୟକଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା ଭୁବନେଶ୍ୱରର ସୈନିକ ସ୍କୁଲ । ୬୦ ବର୍ଷ ପରେ ଗୁଣାତ୍ମକ ଶିକ୍ଷା, ଚରିତ୍ର ନିର୍ମାଣ ଏବଂ ବ୍ୟକ୍ତିତ୍ୱର ସମୃଦ୍ଧତା ପାଇଁ ଏହା ଏକ ମାନଦଣ୍ଡ ପାଲଟିଛି ।
ଏହି ବିଦ୍ୟାଳୟ କେବଳ ଆମ ଦେଶର କେତେକ ଶ୍ରେଷ୍ଠ ସୈନିକ ସୃଷ୍ଟି କରିନାହିଁ, ବରଂ ଏହାର ବହୁ ସଂଖ୍ୟକ କ୍ୟାଡେଟ ସିଭିଲ ସର୍ଭିସ୍, ଚିକିତ୍ସା ବିଜ୍ଞାନ, ଇଜିନିୟରିଂ, ମର୍ଚାଣ୍ଟ ନେଭି, ଶିଳ୍ପୋଦ୍ୟୋଗ ଆଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ମୁଁ ଆଶା କରୁଛି ବିଦ୍ୟାଳୟ ଆମର ଭବିଷ୍ୟତ ନାଗରିକଙ୍କର ମନୋବା‚ା ପୁରଣ କରିବା ଧାରା ଜାରି ରଖିବ । ବିଦ୍ୟାଳୟ ଏବଂ ଏହାର ଆଲୁମିନିମାନେ ଗୌରବମୟ ତଥା ସ୍ମରଣୀୟ ବର୍ଷକୁ ସମ୍ମାନିତ କରିବା ଏବଂ ଛାତ୍ରଛାତ୍ରୀଙ୍କ ମାନସିକତାକୁ ଅନୁକରଣ କରିବା ପାଇଁ ଏହା ଏକ ମୁହୂର୍ତ୍ତ ।
କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ କ୍ୟାଡେଟଙ୍କୁ ଜୀବନରେ ପାଇଥିବା ପ୍ରତ୍ୟେକ ସୁଯୋଗର ଉପଯୋଗପୂର୍ବକ ବିଦ୍ୟାଳୟ ତଥା ଦେଶର ଆଶା ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।
ସେହିପରି ଦୁଇ ଦିନିଆ ଉତ୍ସବ ଅବସରରେ ଆର୍ମି ଡଗ୍ ଶୋ, କାଉଣ୍ଟର ଟେରରିଜମ ଡେମନଷ୍ଟ୍ରେସନ, ନାଭାଲ ବ୍ୟାଣ୍ଡ, ଏରୋ ଡାଇନାମିକ ଶୋ ଅନୁଷ୍ଠିତ ହେବ । ପୂର୍ବତନ ଛାତ୍ରଛାତ୍ରୀ, ଯେଉଁମାନେ ବର୍ତ୍ତମାନ ସମୟରେ ଉଚ୍ଚ ପଦବୀରେ ରହି ଆସିଛନ୍ତି, ସେମାନେ କହିଛନ୍ତି, ରାଜ୍ୟରେ ଯେତେ ଗାଁ ରହିଛି ସେଠାରୁ ଯେତେ ଛାତ୍ର ଆସିବେ ସମସ୍ତେ ସୈନିକ ସ୍କୁଲରେ ତାଲିମ ନେବେ । ସେମାନେ ବହୁତ ଉପରକୁ ଯିବେ । ସ୍କୁଲର ଅନେକ ଛାତ୍ର ଅନେକ ଉଚ୍ଚ ପଦବୀରେ ରହିଛନ୍ତି । ସେମାନଙ୍କର ପ୍ରଶଂସା ସବୁ କ୍ଷେତ୍ରରେ କରାଯାଉଛି । ତେଣୁ ଅଧିକରୁ ଅଧିକ ପିଲା ପାଠ ପଢନ୍ତୁ ବୋଲି ସେମାନେ କହିଛନ୍ତି ।
ଏହି ସ୍କୁଲର ପୂର୍ବତନ ଛାତ୍ର ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରଦାପ ସ୍ୱାଇଁ କହିଛନ୍ତି, ଯେଉଁମାନଙ୍କର ଦେଶପ୍ରେମ ରହିଛି ସେମାନେ ଏଭଳି ସ୍କୁଲକୁ ପଠାଇବେ ବୋଲି ଆଶା କରିଛୁ । ଏହା ସହ ଏହି ସ୍କୁଲରେ ପାଠ ପଢିଥିବାରୁ ଗର୍ବିତ ବୋଲି କହିଛନ୍ତି ମନ୍ତ୍ରୀ । ସୂଚନାଯୋଗ୍ୟ, ସୈନିକ ସ୍କୁଲର ୬୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଦୁଇ ଦିନିଆ ହୀରକ ଜୟନ୍ତୀ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନ ଉଦଯାପନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେବାର କର୍ଯ୍ୟକ୍ରମ ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *