ଓଡ଼ିଶାର ଜୋର୍ଦାର ଆରମ୍ଭ
ସନ୍ତୋଷ ଟ୍ରଫି ଫୁଟ୍ବଲ୍
ଭୁବନେଶ୍ୱର, ୨୪ା୧୨ (ବୁ୍ୟରୋ): ଶନିବାର ଠାରୁ ବିଭିନ୍ନ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି ୭୬ତମ ଜାତୀୟ ଫୁଟ୍ବଲ୍ ଚାମ୍ପିଅନ୍ସିପ୍ ସନ୍ତୋଷ ଟ୍ରଫି ୨୦୨୨-୨୩ । ପ୍ରଥମ ଦିନ ତିନି ମ୍ୟାଚ୍ ଖେଳାଯାଇଛି । ଓଡ଼ିଶା ଟିମ୍ ଆଣ୍ଡାମାନ ଓ ନିକୋବର ବିପକ୍ଷରେ ଜୋର୍ଦାର ଢଙ୍ଗରେ ଅଭିଯାନ ଆରମ୍ଭ କରିଛି ।
କ୍ୟାପିଟାଲ୍ ଫୁଟ୍ବଲ୍ ଆରେନାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ତେଲେଙ୍ଗାନା ୫-୧ରେ ପୁଡୁଚେରୀକୁ ହରାଇଥିଲା । ତେଲେଙ୍ଗାନା ପକ୍ଷରୁ ରସିକ୍ ଅହମଦ ଖାନ୍ (୨ୟ, ୪ର୍ଥ, ୧୭ତମ, ୨୮ତମ) ଚାରିଟି ଗୋଲ୍ ସ୍କୋର୍ କରିଥିବା ବେଳେ ବଦଳ ଖେଳାଳି ସୟଦ ୟୁସୁଫ୍ (୭୯ତମ) ଗୋଟିଏ ଗୋଲ୍ ଦେଇଥିଲେ । ପୁଡୁଚେରୀର ଅସଲାମ ଅମନୁଲ୍ଲା (୫୮ତମ) ଗୋଟିଏ ଗୋଲ୍ କରିଥିଲେ ।
କ୍ୟାପିଟାଲ୍ ଫୁଟ୍ବଲ୍ ଆରେନାରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ରେ ଓଡ଼ିଶା ୭-୦ରେ ଆଣ୍ଡାମାନ-ନିକୋବରକୁ ମାତ୍ ଦେଇଥିଲା । ପ୍ରଥମାର୍ଦ୍ଧରେ ଚାରି ଓ ଦ୍ୱିତୀୟାର୍ଦ୍ଧରେ ତିନି ଗୋଲ୍ ହୋଇଥିଲା । ଓଡ଼ିଶା ଟିମ୍ ପକ୍ଷରୁ ସଞ୍ଜିତ ଖୋରା (୫ମ, ୧୮ତମ ମିନିଟ୍) ଦୁଇଟି ଗୋଲ୍ ସ୍କୋର୍ କରିଥିବା ବେଳେ ଅଦ୍ୱିନ ତିର୍କୀ (୬ଷ୍ଠ), ବିକାଶ କୁମାର ସାହୁ (୧୩ତମ), ଚନ୍ଦ୍ର ମୁଦୁଲୀ (୬୧ତମ), ବଦଳ ଖେଳାଳି ଚନ୍ଦ୍ର ମୋହନ ମୁର୍ମୁ (୮୬ତମ) ଓ ରାହୁଲ ମୁଖୀ (୯୦+୧ତମ) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ । ଆଣ୍ଡାମାନ-ନିକୋବର ଗୋଟିଏ ବି ଗୋଲ୍ କରିପାରି ନ ଥିଲା ।
ଓଡ଼ିଶା ଫୁଟ୍ବଲ୍ ଏକାଡେମୀ (ସପ୍ତମ ବାଟାଲିଅନ୍)ରେ ଅନୁଷ୍ଠିତ ତୃତୀୟ ମ୍ୟାଚ୍ରେ ମେଘାଳୟ ଓ ସିକିମ୍ ମଧ୍ୟରେ ଚାଲିଥିବା ମ୍ୟାଚ୍ ଗୋଲ୍ଶୂନ୍ୟ ଡ୍ର’ ରହିଥିଲା । ଧାର୍ଯ୍ୟ ସମୟ ମଧ୍ୟରେ କେହି କାହା ବିପକ୍ଷରେ ଗୋଲ୍ ଦେଇପାରି ନ ଥିଲେ ।
ଉଦ୍ଘାଟନୀ ସମାରୋହରେ କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର ଜେନା ମୁଖ୍ୟ ଅତିଥି ଓ ଶବିର ଅଲୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଫୁଟ୍ବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶାର ସମ୍ପାଦକ ଆଶୀର୍ବାଦ ବେହେରା, କୋଷାଧ୍ୟକ୍ଷ ଭକ୍ତ ବଲ୍ଲଭ ଦାସ ଓ ଯୁଗ୍ମ ସମ୍ପାଦକ ଅଭିଜିତ୍ ପାଲ୍ ଉପସ୍ଥିତ ଥିଲେ ।