ଅକ୍ସିଜେନ୍ ମହଜୁଦ ରଖ

କେନ୍ଦ୍ର ଜାରି କଲା ନୂଆ ଆଡ୍ଭାଇଜରୀ
ଭୁବନେଶ୍ୱର, ୨୪ା୧୨ (ବୁ୍ୟରୋ): କରୋନାର ନୂଆ ଭ୍ୟାରିଅଏଣ୍ଟ ସଂକ୍ରମଣକୁ ନଜରରେ ରଖି ମେଡିକାଲ ଅକ୍ସିଜେନ୍ ଓ ଭେଣ୍ଟିଲେଟର ପ୍ରସ୍ତୁତ ରଖିବାକୁ ନିଦେ୍ର୍ଦଶ ଦିଆଯାଇଛି । ଏନେଇ ସବୁ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଅତିରିକ୍ତ ସଚିବ । ଏବେ ଦେଶରେ କୋଭିଡ଼ ସଂକ୍ରମଣ କମ୍ ଥିଲେ ବି ପ୍ରସ୍ତୁତ ରହିବାକୁ ପଡ଼ିବ । ଭବିଷ୍ୟତରେ କିଛି ଚ୍ୟାଲେଞ୍ଜ ଆସିଲେ ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ନିଦେ୍ର୍ଦଶ ଦିଆଯାଇଛି । ଅକ୍ସିଜେନ ପ୍ରସ୍ତୁତକାରୀ ପ୍ଲାଣ୍ଟ ପୂର୍ଣ୍ଣ କାର୍ଯ୍ୟକ୍ଷମ ସହ ଅକ୍ସିଜେନ୍ ପ୍ରସ୍ତୁତି ଓ ନିର୍ବିଘ୍ନ ଯୋଗାଣ ପାଇଁ ବ୍ୟବସ୍ଥା କରିବାକୁ ନିଦେ୍ର୍ଦଶ ଦିଆଯାଇଛି ।
ସେହିପରି କରୋନା ସଂକ୍ରମଣକୁ ନଜରରେ ରଖି ବିମାନବନ୍ଦରରେ କଟକଣା ବଢିଛି । ୫ ଦେଶରୁ ଆସୁଥିବା ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଚୀନ, ଜାପାନ, ଦକ୍ଷିଣ କୋରିଆ, ହଂକଂ ଓ ଥାଇଲାଣ୍ଡରୁ ଆସୁଥିବା ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ସମ୍ପୃକ୍ତ ଦେଶରୁ ଆସୁଥିବା ଯାତ୍ରୀ ଏୟାର ସୁବିଧା ଫର୍ମ ପୂରଣ କରି ନିଜ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେବେ । ଏହି ଦେଶ ଗୁଡିକରୁ ଆସିଥିବା ଯାତ୍ରୀଙ୍କଠାରେ ଯଦି କରୋନା ଲକ୍ଷଣ କିମ୍ବା କରୋନା ପଜିଟିଭ୍ ଚିହ୍ନଟ ହୁଅନ୍ତି, ତେବେ ସେମାନଙ୍କୁ କ୍ୱାରେଣ୍ଟିନ୍ରେ ରଖାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି ।
ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି । ପ୍ରିକସନ୍ ଡୋଜ୍ ଟିକାଦାନ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ପରାମର୍ଶ ଦେଇଛି । ରାଜ୍ୟ ସରକାରଙ୍କ ସହ ମିଟିଂ ପରେ କେନ୍ଦ୍ର ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି । ପ୍ରିକସନ୍ ଡୋଜ୍ ନେବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପରାମର୍ଶ ଦିଆଯାଇଛି । ଆଗକୁ ଉତ୍ସବ ସମୟ ଥିବାରୁ, ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ପାଇଁ ପରାମର୍ଶ ଦିଆଯାଇଛି । ଗହଳି ଏଡ଼ାଇବା, ଗହଳି ଜାଗାରେ ମାସ୍କ ପରିଧାନକୁ ନିଶ୍ଚିତ କରିବା ପାଇଁ କୁହାଯାଇଛି ।
ସେପଟେ କିଛି ଦିନର ବ୍ୟବଧାନ ପରେ ପୁଣି ମୁଣ୍ଡବିନ୍ଧାର କାରଣ ପାଲଟିଛି ମହାମାରୀ । ତେବେ ଏହାର ମୁକାବିଲା ନେଇ ରାଜ୍ୟ ସରକାର ସମ୍ପୂର୍ଣ ସଜାଗ ଅଛନ୍ତି । କରୋନାର ନୂଆ ଭାରିଅଏଣ୍ଟ ବିଏଫ୍.୭କୁ ନେଇ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।
ଏହି ଭାରିଏଣ୍ଟ ଦୁଇ ବର୍ଷ ହେଲା ଅଛି । ଚୀନରେ ଏହି ଭାରିଏଣ୍ଟ ଯୋଗୁଁ ସଂକ୍ରମଣ ବଢୁଥିବାରୁ ଏ ନେଇ ଚର୍ଚ୍ଚା ଲାଗି ରହିଛି । ଏହି ଭାରିଏଣ୍ଟର ସଂକ୍ରମଣ କ୍ଷମତା ଅଧିକ ହେଲେ ମଧ୍ୟ କିନ୍ତୁ ଏହାର ମାରକ କ୍ଷମତା ବିଶେଷ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିଦେ୍ର୍ଦଶକ ବିଜୟ ମହାପାତ୍ର ।
ବିଗତ ୪ ଲହର ପାଇଁ ଆମ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଅଛି । ତେଣୁ ଏହା ଅଧିକ ସଂକ୍ରମିତ କରିପାରିବ ନାହିଁ । ୩ ମାସରୁ ଅଧିକ ହେଲାଣି ରାଜ୍ୟରେ ପଜିଟିଭ ରେଟ୍ ବଢ଼ିନାହିଁ । ହସ୍ପିଟାଲରେ ରୋଗୀ ଅଧିକ ନାହାନ୍ତି । ଆଗକୁ ଯଦି ସଂକ୍ରମଣ ବଢେ କିପରି ମୁକାବିଲା କରାଯିବ ସେନେଇ ଆମେ ପ୍ରସ୍ତୁତ ରହିଛୁ । ସର୍ଭେଲାନ୍ସକୁ ଜୋରଦାର କରାଯିବ । ଯେଉଁମାନଙ୍କଠାରେ ଲକ୍ଷଣ ଦେଖାଯାଉଛି ସେମାନେ ତୁରନ୍ତ ଟେଷ୍ଟ କରାନ୍ତୁ । ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ମଜଭୁତ ଅଛି । ବର୍ତ୍ତମାନ ରୋଗୀ ନ ଥିଲେ ମଧ୍ୟ ବେଡ଼ ମହଜୁଦ ରଖାଯାଇଛି । ଦରକାର ପଡ଼ିଲେ ବେଡ଼ ସଂଖ୍ୟା ବଢାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ୨୭ ତାରିଖରେ ସବୁ ଜିଲ୍ଲାରେ ମକ୍ ଡ୍ରିଲ୍ ହେବ । ସମସ୍ତଙ୍କୁ ଅନୁରୋଧ ଲୋକଙ୍କୁ ଭୟଭୀତ କଲାଭଳି ମନ୍ତବ୍ୟ ଦିଅନ୍ତୁ ନାହିଁ । ସରକାର ସବୁବେଳେ ରୋଗୀଙ୍କୁ ଉଚିତ ଚିକିତ୍ସା ଦେବାକୁ ପ୍ରତିଶ୍ରୁତିବଦ୍ଧ । ପୂର୍ବ ଲହର ପରି ଏଥର ମଧ୍ୟ ଯଦି ସଂକ୍ରମଣ ବଢ଼େ, ରାଜ୍ୟ ସରକାର ଚିକିତ୍ସା ଦାୟିତ୍ୱ ନେବେ । ଅନ୍ତର୍ଜାତିକ ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ଗାଇଡଲାଇନ୍ ଜାରି କରିଛନ୍ତି । ଓଡ଼ିଶାକୁ ସିଧାସଳଖ ଭାବରେ ଅନ୍ତର୍ଜାତୀୟ ବିମାନ ଆସୁନାହିଁ । ତେଣୁ ଯଦି କିଏ ଆସୁଛି । ଗାଇଡ ଲାଇନ ହିସାବରେ ଟେଷ୍ଟ କରାଯିବ ବୋଲି ଏହି ଅବସରରେ ପ୍ରକାଶ ପାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *