ମଥୁରାରେ ସର୍ଭେ ଆଦେଶ

ଜାନୁଆରୀ ୨ରୁ ଅମିନ ସର୍ଭେ
୨୦ ସୁଦ୍ଧା ରିପୋର୍ଟ ଦାଖଲ
ମସଜିଦ ତଳେ ମନ୍ଦିର ଅଛି: ହିନ୍ଦୁ ପକ୍ଷ
ମଥୁରା, ୨୪ା୧୨: ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ଓ ଶାହୀ ଈଦଗାହ ମାମଲାରେ ଜିଲ୍ଲା କୋର୍ଟ ଅମିନ ସର୍ଭେ ପାଇଁ ଶନିବାର ଆଦେଶ ଜାରି କରିଛନ୍ତି । ବନାରସର ଜ୍ଞାନବାପୀ ପରିସର ଭଳି ଏଠାରେ ଜାନୁଆରୀ ୨ରୁ ମସଜିଦ ସର୍ଭେ ଆରମ୍ଭ ହେବ ଏବଂ ୨୦ ତାରିଖ ସୁଦ୍ଧା ନକ୍ସା ସମେତ ବିବାଦୀୟ ଜମିର ସର୍ଭେ ରିପୋର୍ଟ କୋର୍ଟରେ ଦାଖଲ କରାଯିବ । ସର୍ଭେ ପାଇଁ ମଥୁରା ଜିଲ୍ଲା ଅଦାଲତରେ ବର୍ଷକ ତଳେ ପିଟିସନ ଦାଖଲ କରାଯାଇଥିଲା ।
ମଥୁରା କୋର୍ଟରେ ଶ୍ରୀକୃଷ୍ଣ ଜନ୍ମସ୍ଥାନ ଓ ଈଦଗାହ ମସଜିଦ ସମ୍ବନ୍ଧୀୟ ୧୨ରୁ ଅଧିକ ମାମଲା ଚାଲିଛି । ସବୁଥିରେ ଭଗବାନଙ୍କ ୧୩.୩୭ ଏକର ଜମିକୁ କବ୍ଜାମୁକ୍ତ କରିବା ପାଇଁ ଦାବି ହୋଇଛି । ଉଲ୍ଲେଖଯୋଗ୍ୟ ଯେ ଏହି ମସଜିଦ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିର ପରିସରକୁ ଲାଗିଛି ।
ହିନ୍ଦୁ ପକ୍ଷ ଦାବି କରିଛନ୍ତି ଯେ ଶାହି ଈଦଗାହରେ ଥିବା ସ୍ୱସ୍ତିକ ଚିହ୍ନରୁ ସ୍ପଷ୍ଟ ଯେ ମସ୍ଜିଦ୍ ତଳେ ଭଗବାନ ଶ୍ରୀକୃଷ୍ଣଙ୍କ ଗର୍ଭଗୃହ ଅଛି । ଔରଙ୍ଗଜେବ ଶ୍ରୀକୃଷ୍ଣ ଜନ୍ମସ୍ଥାନର ୧୩.୩୭ ଏକର ଜମିରେ ଥିବା ପ୍ରାଚୀନ କେଶବନାଥ ମନ୍ଦିରକୁ ଭାଙ୍ଗି ୧୬୬୯-୭୦ରେ ମସଜିଦ ତୋଳାଇଥିଲେ । ଶାହୀ ଈଦଗାହରେ ଥିବା ହିନ୍ଦୁ ସ୍ଥାପତ୍ୟ କଳାର ପ୍ରମାଣ ବୈଜ୍ଞାନିକ ସର୍ଭେ ପରେ ସାମ୍ନାକୁ ଆସିବ ।
୧୮୦୩ରେ ମରାଠା ଶାସକଙ୍କୁ ପରାସ୍ତ କରି ଇଂରେଜମାନେ ମଥୁରାରେ ପହଞ୍ଚôଥିଲେ । ୧୮୧୫ରେ ଇଷ୍ଟଇଣ୍ଡିଆ କମ୍ପାନୀ କଟରା କେଶବଦେବଙ୍କ ନାମରେ ଥିବା ୧୩.୩୭ ଏକର ଜମିର ଖୋଲା ନିଲାମ କରିଥିଲେ । ଏହାକୁ କିଣିଥିଲେ ବନାରସର ରାଜା ପଟନୀମଲ । ରାଜା ତାଙ୍କ ଜୀବଦ୍ଦଶାରେ ମନ୍ଦିର ତୋଳି ପାରିଲେ ନାହିଁ । ପଣ୍ଡିତ ମଦନମୋହନ ମାଲବ୍ୟଙ୍କ ଉଦ୍ୟମ ଓ ଶିଳ୍ପପତି ଯେ କେ ବିରଳାଙ୍କ ସହାୟତାକ୍ରମେ ରାଜା ପଟନୀମଲଙ୍କ ଉତ୍ତରାଧିକାରୀମାନେ ଜମିଦଖଲକୁ ନେବା ପରେ ୧୯୫୧ରେ ବିରଳା ଟ୍ରଷ୍ଟ ଆନୁକୁଲ୍ୟରେ ବର୍ତ୍ତମାନର ମନ୍ଦିର ତୋଳା ଯାଇଥିଲା । ୧୯୫୧ରେ ଏହି ଜମି ଶ୍ରୀକୃଷ୍ଣ ଜନ୍ମଭୂମି ଟ୍ରଷ୍ଟ ଦ୍ୱାରା ଅଧିଗୃହୀତ ହେଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *