ଶୃଙ୍ଖଳିତ ବଡ଼ଦିନ ପାଇଁ ପୁଲିସର ଫ୍ଲାଗ୍ମାର୍ଚ୍ଚ
ଘୁ. ଉଦୟଗିରି/ ଟିକାବାଲି (ଆପ୍ର): ବଡ଼ଦିନ ପର୍ବ ପାଳନ ପାଇଁ ସ୍ଥାନୀୟ ପୁଲିସ ଏବଂ ପ୍ରଶାସନର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଶୃଙ୍ଖଳାର ସହ ବଡ଼ଦିନ ପାଳିତ ନିମନ୍ତେ ପୁଲିସ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଛି । ଶନିବାର ସ୍ଥାନୀୟ ଆଇଆଇସି ଅଜୟ ସ୍ୱାଇଁଙ୍କ ନେତୃତ୍ୱରେ ସଶସ୍ତ୍ର ପୁଲିସ ବାହିନୀ ସହର ଏବଂ ଗ୍ରାମାଞ୍ଚଳରେ ଫ୍ଲାଗ୍ମାର୍ଚ୍ଚ କରିଥିବା ଦେଖୁବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳରେ ବହୁ ଆଡମ୍ବର ସହକାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଡିସେମ୍ବର ୨୫ରେ ପାଳନ ହେଉଥିବା ବେଳେ କୋଭିଡ୍ କଟକଣା ଯୋଗୁଁ ୨ ବର୍ଷ ବଡ଼ଦିନ ପର୍ବ ଫିକା ପଡିଥିଲା । ତେବେ ଚଳିତ ଥର ଏହାକୁ ଧୁମ୍ଧାମ୍ରେ ପାଳନ କରାଯିବ ବୋଲି ଜଣାପଡ଼ିଛି । ଥାନା ଅଞ୍ଚଳରେ ମୋଟ ୫୫ଟି ବିଭିନ୍ନ ଚର୍ଚ୍ଚ ଏବଂ ପ୍ରାର୍ଥନା ଗୃହରେ ବଡ଼ଦିନ ପାଳନ ହେବାକୁ ଥିବା ବେଳେ ସମୂହ ପ୍ରାର୍ଥନା, ବାଇବେଲ ପଠନ ସହ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଉତ୍ସବ ଅନୁଷ୍ଠିତ ହେବ ।
ସେହିପରି କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ୍ ଅଧୀନ ତେଙ୍ଗେଡାପଥର, ପାଣିଙ୍ଗିଆ, ବେହେରାଗାଁ, ବ୍ରେକା, ଗୋଦଗୁଡା, ବଡିମୁଣ୍ଡା, ଟୁଡୁବାଲି, ବୁର୍ବିନାଜୁ, ପାବୁରିଆ, ଗୁଟିଙ୍ଗିଆ, ପାଡାଙ୍ଗି ସ୍ଥାନରେ ଚର୍ଚ୍ଚ ଥିବା ସ୍ଥାନମାନଙ୍କରେ ଟିକାବାଲି ପୁଲିସ୍ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । ଥାନା ଅଧିକାରି କଲ୍ୟାଣିମୟୀ ଷେଣ୍ଢଙ୍କ ଆଦେଶ କ୍ରମେ, ୩ ଜଣ ଏଏସ୍ଆଇ ଏବଂ ଅନ୍ୟ ପୁଲିସ୍ ଫୋର୍ସ ଟିକାବାଲି ବଜାର ଦେଇ ତେଙ୍ଗେଡାପଥର, ମେଡିକାଲ୍ଛକ ଅଞ୍ଚଳରେ ଫ୍ଲାଗ୍ମାର୍ଚ୍ଚ କରିଛନ୍ତି । ସବୁ ଚର୍ଚ୍ଚରେ ପୁଲିସ୍ ମୁତୟନ ସହ ରାତିରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି । ବଡଦିନ ଓ ଇଂରାଜୀ ନବବର୍ଷକୁ ସୁରୁଖୁରୁରେ ପାଳନ କରିବାକୁ ସହରବାସୀଙ୍କୁ ପୁଲିସ୍ ପକ୍ଷରୁ ଅନୁରୋଧ କରାଯାଇଛି ।