କୁସୁମୀ, ବୃତ୍ତଙ୍ଗ ପ୍ରକଳ୍ପକୁ ଗୁରୁତ୍ୱ

ନୟାଗଡ଼ରେ ମୁଖ୍ୟ ସଚିବ
ଭୁବନେଶ୍ୱର/ନୟାଗଡ଼ (ବୁ୍ୟରୋ): ନୟାଗଡ଼ ଗସ୍ତରେ ଆସି ଶନିବାର ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଶ୍ରୀ ମହାପାତ୍ର ପ୍ରଥମେ ନୟାଗଡ଼ ବଲାଙ୍ଗୀ ପାର୍କ ପରିଦର୍ଶନ କରିବା ସହ ବିଭିନ୍ନ ବିଭାଗ ଦ୍ୱାରା କରାଯାଉଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ପରେ ବଲାଙ୍ଗୀ ପାର୍କ ଜଳାଶୟ, ଶିଶୁପାର୍କ, ୱାଚ ଟାୱାର ପରିଦର୍ଶନ କରିଥିଲେ । ଶିଶୁ ପାର୍କରେ ସ୍ଥାପନ ହୋଇଥିବା ପଥର କାରୁକାର୍ଯ୍ୟକୁ ମୁଖ୍ୟ ଶାସନ ସଚିବ ଦେଖିବା ସହ ପ୍ରଶଂସା କରିଥିଲେ । ବିଭିନ୍ନ ସ୍ଥାନରେ ଆବଶ୍ୟକ କରୁଥିବା କାର୍ଯ୍ୟ ଗୁଡ଼ିକ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହାସହ ନୟାଗଡ଼ରେ ଚାଲିଥିବା ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ।
ବଲାଙ୍ଗୀ ପାର୍କ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ନିର୍ମାଣ ଚାଲୁଥିବା ଶହେ ଶର୍ଯ୍ୟା ବିଶିଷ୍ଟ ଡାକ୍ତରଖାନା ଗୃହ, ଷ୍ଟାଫ କ୍ୱାର୍ଟର ବୁଲି ଦେଖିବା ସହ ନିର୍ମାଣ ହେବାକୁ ଥିବା ଆଶ୍ରୟସ୍ଥଳ ଓ ଅନ୍ୟାନ ବିକାଶ ମୂଳକ କାର୍ଯ୍ୟର ତଦାରଖ କରିଥିଲେ । ଏହା ପରେ କୁସୁମୀ ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି । ୩ ଶହ କୋଟି ଟଙ୍କାରୁ ଉଦ୍ଧ୍ୱର୍ ବ୍ୟୟରେ ନିର୍ମାଣ କରାଯାଉଥିବା ଏହି ଜଳସେଚନ ପ୍ରକଳ୍ପ ଦ୍ୱାରା ହଜାର ହଜାର ହେକ୍ଟର ଚାଷ ଜମି ଜଳସେଚିତ ହେବ । ଏହାର ନିର୍ମାଣ କାମ ୫ ମାସରେ ଶେଷ କରିବା ଉପରେ ମୁଖ୍ୟ ଶାସନ ଗୁରୁତ୍ୱ ଦେବା ସହ ଜଳସେଚନ ପାଇଁ ପାଇପ ଲାଇନ କାମ ଆରମ୍ଭ କରାଯିବ ବୋଲି କହିଛନ୍ତି ।
ପରେ ଶରଣକୁଳ ଝାଡ଼େଶ୍ୱରୀ ଇକୋ ଟୁରିଜିମ୍ ପ୍ରକଳ୍ପ, ରାମସାଗର ପାର୍କ ଏବଂ ରଘୁନାଥଜୀଉଙ୍କ ମନ୍ଦିର ଗସ୍ତରେ ଯାଇଥିଲେ । ରଘୁନାଥଜୀଉଙ୍କୁ ଦର୍ଶନ କରିବା ପରେ ମନ୍ଦିରକୁ ରୂପାନ୍ତରିତ ଯୋଜନାରେ ସାମିଲ କରିବାକୁ ସ୍ଥାନୀୟ ଜନସାଧାରଣ ଏବଂ ସେବାୟତମାନେ ଦାବି ରଖିଥିଲେ । ଏହା ଉପରେ ବିସ୍ତୁତ ଆଲୋଚନା କରି ପଦକ୍ଷେପ ନେବେ ବୋଲି ମୁଖ୍ୟ ଶାସନ ସଚିବ କହିଥିବା ଜଣାଯାଇଛି । ଏହି ଗସ୍ତରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଡିଏଫଓ କ୍ଷମା ଷଡ଼ଙ୍ଗୀ ପ୍ରମୂଖ ସାମିଲ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *