ଆମ ପିଲା କାହାଠୁ କମ୍ ନୁହଁ

ଭୁବନେଶ୍ୱର, ୨୩ା୧୨ (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସର୍ଗିଫୁଲ ମହୋତ୍ସବର ଉଦ୍ୟାପନ ଦିବସରେ ଉଦ୍ବୋଧନ ଦେଇ ପ୍ରତିଯୋଗିତାମୂଳକ ମନୋଭାବ ନେଇ ଆଗକୁ ବଢିବାକୁ ପିଲାଙ୍କୁ ପରାମର୍ଶ ଦେଇଛନ୍ତି । ଏସ୍ସିଏସ୍ଟି ଉନ୍ନୟନ୍ ବିଭାଗ ଅନ୍ତର୍ଗତ ବିଦ୍ୟାଳୟ ସମୂହର ଏହି ଅନନ୍ୟ କାର୍ଯ୍ୟକ୍ରମରେ ପିଲାଙ୍କୁ ପ୍ରେରଣା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡିଶା ପିଲା କାହାଠୁ କମ୍ ନୁହଁ । ପ୍ରତିଯୋଗିତାମୂଳକ ମନୋଭାବ ନେଇ ଆଗକୁ ବଢ ଓ ଜୀବନରେ ପ୍ରତିଷ୍ଠା ଲାଭ କର । ତୁମେମାନେ ସଫଳତା ପାଇଁ ଉଦ୍ୟମ କର, ମୋ ଆଶୀର୍ବାଦ ତୁମ ସାଥିରେ ଅଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହି ସେମାନଙ୍କୁ ଉତ୍ସାହିତ କରିଥିଲେ ।
ତୁମ କାର୍ଯ୍ୟକ୍ରମରେ ମୁଁ ପ୍ରତିବର୍ଷ ଯୋଗ ଦେଉଛି ଏବଂ ତୁମ ଖୁସିରେ ମଧ୍ୟ ସାମିଲ ହେଉଛି । ବିଶିଷ୍ଟ କ୍ରୀଡାବିତ୍ ଦିଲ୍ଲୀପ ତିର୍କିଙ୍କ ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଲେ ସେ ଜଣେ ଓଡିଆ ପୁଅ । ନିଜ ଦକ୍ଷତା ଓ ପରିଶ୍ରମ ଯୋଗୁ ସେ ଭାରତୀୟ ହକି ଟିମ୍ର କ୍ୟାପଟେନ୍ ହେବା ସହ ଆଜି ହକି ଇଣ୍ଡିଆର ସଭାପତି ମଧ୍ୟ ହୋଇପାରିଛନ୍ତି । ଯୁବ ସମାଜ ପାଇଁ ସେ ଜଣେ ରୋଲ ମଡେଲ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଅବସରରେ ମାଟ୍ରିକ ପରୀକ୍ଷାରେ କୃତୀତ୍ୱର ସହ ସଫଳତା ହାସଲ କରିଥିବା ପିଲାଙ୍କୁ ଓ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ ।
ରାଜ୍ୟର ବିଭିନ୍ନ ସରକାରୀ ହଷ୍ଟେଲରେ ଏବେ ୫ ଲକ୍ଷ ଅନୁସୂଚିତ ଜାତି ଓ ଜନଜାତି ପିଲା ପାଠ ପଢୁଛନ୍ତି । ଡିସେମ୍ବର ୨୦୨୩ ସୁଦ୍ଧା ସେମାନଙ୍କ ପାଇଁ ଆହୁରି ୧୦୦ ହଷ୍ଟେଲ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ଜଗନ୍ନାଥ ସାରକା ତାଙ୍କ ଅଭିଭାଷଣରେ ଜନଜାତି ପିଲାଙ୍କ ପାଇଁ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସର୍ଗିଫୁଲ ନାମକ ଏକ ସ୍ମରଣିକା ଉନ୍ମୋଚନ କରିଥିଲେ । ଏହାସହ ସାମଗ୍ରିକ ଶିକ୍ଷା ଉପରେ ଏକ ପୋଷ୍ଟର ବୁକ୍ର ଡିଜିଟାଲ ଲୋକାର୍ପଣ କରିଥିଲେ । ସାମଗ୍ରିକ ଶିକ୍ଷା ସମ୍ପର୍କିତ ଏକ ଭିଡିଓ ଫିଲ୍ମ ମଧ୍ୟ ପ୍ରଦର୍ଶିତ ହୋଇଥିଲା ।
ସୂଚନାଯୋଗ୍ୟ, ସର୍ଗିଫୁଲ ମହୋତ୍ସବ ଦୀର୍ଘ ୧୨ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି । ଚଳିତ ବର୍ଷର ଉତ୍ସବରେ ୧୨୦୦ ଛାତ୍ରଛାତ୍ରୀ ଓ ୧୭୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ୨୦୨୧ ଓ ୨୦୨୨ର ହାଇସ୍କୁଲ ପରୀକ୍ଷାରେ କୃତୀତ୍ୱ ହାସଲ କରିଥିବା ପିଲାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତା ଯଥା- ତର୍କ, କୁଇଜ, ବିଜ୍ଞାନ ପ୍ରଦର୍ଶନୀ, ସୃଜନାତ୍ମକ ଲିଖନ, ବାଦ୍ୟଯନ୍ତ୍ର ପ୍ରତିଯୋଗିତା, ଖେଳ ପ୍ରତିଯୋଗିତା ତଥା ଲୋକନୃତ୍ୟ ପ୍ରତିଯୋଗିତାରେ ଉଲ୍ଲେଖନୀୟ କୃତୀତ୍ୱ ହାସଲ କରିଥିବା ପିଲାଙ୍କୁ ପୁରସ୍କୃତ କରାଯାଇଥିଲା ।
କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ବିକାଶ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର୍. ବାଲକ୍ରିଷ୍ଣନ, ଉନ୍ନୟନ କମିଶନର ପି.କେ. ଜେନା ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ ଉପସ୍ଥିତ ଥିଲେ । ଅନୁସୂଚିତ ଜାତି ଓ ଜନଜାତି ବିଭାଗର କମିଶନର-ତଥା-ସଚିବ ରୂପାରୋଶନ ସାହୁ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସଚିବ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *