ଭାଷା ଗୋଟିଏ ଜାତିର ଶ୍ରେଷ୍ଠ ସମ୍ପଦ
ମୁଖ୍ୟମନ୍ତ୍ରୀଙ୍କଦ୍ୱାରା “ଭାଷା ଆଇନ’ ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଓଡିଆ “ଭାଷା ଆଇନ’ ପୁସ୍ତକ ଉନ୍ମୋଚନ କରିଛନ୍ତି । ଓଡିଆ ଭାଷା ଆନେ୍ଦାଳନର ଆବାହକ ପବିତ୍ର ମହାରଥାଙ୍କ ଦ୍ୱାରା ସମ୍ପାଦିତ ତଥା ପ୍ରକାଶିତ ଏହି ପୁସ୍ତକରେ ୧୯୪୮ରୁ ୨୦୧୯ ପର୍ଯ୍ୟନ୍ତ ଓଡିଆ ସରକାରୀ ଭାଷା ଆଇନ ପ୍ରସ୍ତାବଠାରୁ ଆରମ୍ଭ କରି ସଂଶୋଧିତ ଦଣ୍ଡବିଧାନ ପର୍ଯ୍ୟନ୍ତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଧେୟକ, ଅଧିନିୟମ, ବିଜ୍ଞପ୍ତି, ନଥି ଓ ଚିଠିପତ୍ର ସ୍ଥାନିତ ହୋଇଛି । ପୁସ୍ତକରେ ସମୁଦାୟ ୨୦ ବିଷୟ ସ୍ଥାନିତ ହୋଇଛି ।
ଭିଡିଓ କନ୍ଫରେନ୍ସିଂ ଜରିଆରେ ପୁସ୍ତକକୁ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ କହିଲେ, ଭାଷା ହେଉଛି ଗୋଟିଏ ଜାତିର ଶ୍ରେଷ୍ଠ ସମ୍ପଦ ଓ ସବୁଠାରୁ ବଡ ପରିଚୟ । ଓଡିଆ ଭାଷା ବହୁ ପୁରୁଣା ଭାଷା ଏବଂ ଓଡିଆ ଭାଷାକୁ ନେଇ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ, ଓଡିଶା ଗଠିତ ହୋଇଥିଲା । ଯୁବ ସମାଜ ମଧ୍ୟରେ ଓଡିଆ ଭାଷା ପ୍ରତି ଆଦର ବୃଦ୍ଧି ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।
୨୦୩୬ରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପାଳନ କରାଯିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଭାଷାର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି ଏବଂ ଆଗକୁ ମଧ୍ୟ ନିଆଯିବ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଟାଇମ୍ ପାସ୍ ପ୍ରକାଶକ ସରୋଜ ବଳ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଭାଷା ଆନେ୍ଦାଳନ ଆବାହକ ଶ୍ରୀ ମହାରଥା ଧନ୍ୟବାଦ ଦେଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର. ବାଲକ୍ରିଷ୍ଣନ, ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ ଉନ୍ନୟନ କମିଶନର ପି.କେ. ଜେନା ଉପସ୍ଥିତ ଥିଲେ । ଭାଷାବିତ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ, ଡଃ ଭଗବାନ ପ୍ରକାଶ, ପ୍ରମେୟ ସମ୍ପାଦକ ଗୋପାଳ ମହାପାତ୍ର, ପ୍ରଗତୀବାଦୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ।