ଟେଷ୍ଟ୍-ଟ୍ରାକ୍-ଟ୍ରିଟ୍-ଟିକା ମନ୍ତ୍ର
କେନ୍ଦ୍ରରୁ ଆସିଲା ନୂଆ କୋଭିଡ୍ ଗାଇଡ୍ଲାଇନ୍
ନୂଆଦିଲ୍ଲୀ, ୨୩ା୧୨: ଚୀନ୍ରେ ଚଳିତ ସପ୍ତାହର ଗୋଟିଏ ଦିନରେ ସାଢେ ୩ କୋଟିରୁ ଅଧିକ ଲୋକ କରୋନା ସଂକ୍ରମିତ ହେବା ଖବର ଆସିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଆଲର୍ଟ ଜାରି କରାଯାଇଛି । ଆଗାମୀ ଖ୍ରୀଷ୍ଟମାସ୍ ଓ ନବବର୍ଷ ଉତ୍ସବ ପ୍ରତି ଧ୍ୟାନ ଦେଇ ‘ଟେଷ୍ଟ୍-ଟ୍ରାକ୍-ଟ୍ରିଟ୍ ଆଣ୍ଡ୍ ଭେକ୍ସିନେସନ୍’ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ପାଇଁ କୁହାଯାଇଛି । ମାସ୍କ ପିନ୍ଧିବା, ହାତର ସ୍ୱଚ୍ଛତା ଓ ଶାରିରୀକ ଦୂରତା ରକ୍ଷା କରିବା ପାଇଁ କୋଭିଡ୍-୧୯ ଗାଇଡ୍ଲାଇନ୍ ଅନୁପାଳନ ଲାଗି ମଧ୍ୟ ନିଦେ୍ର୍ଦଶ ଦିଆଯାଇଛି ।
ଓଡିଶାରେ ଦୈନିକ ସଂକ୍ରମଣ ୧୫ରୁ କମ୍
ଭୁବନେଶ୍ୱର, ୨୩ା୧୨ (ବୁ୍ୟରୋ): ପ୍ରାୟ ତିନି ବର୍ଷ ତଳେ ଚୀନ୍ର ୟୁହାନ ପ୍ରଦେଶରେ ସୃଷ୍ଟି ହୋଇଥିବା କରୋନା ଭୂତାଣୁ ସାରା ବିଶ୍ୱ ପାଇଁ ଯେଭଳି ମୃତୁ୍ୟର ବିଭୀଷିକା ସୃଷ୍ଟି କରିଥିଲା ତାହା ବର୍ତ୍ତମାନ ସୁଦ୍ଧା ଲୋକଙ୍କ ମନରୁ ଲିଭିନଥିବା ବେଳେ ପୁଣିଥରେ ଫେରିଛି କରୋନା ମହାମାରୀ । ଜାପାନ, କୋରିଆ, ଆମେରିକା, ଫ୍ରାନ୍ସ, ବ୍ରାଜିଲ୍, ଜର୍ମାନି ଓ ଚୀନ୍ କରୋନା ଓମିକ୍ରନ୍ର ନୂଆ ଭାରିଆଣ୍ଟ ଖୁବ୍ ଶୀଘ୍ର ବ୍ୟାପୁଥିବା ବେଳ ଏହାକୁ ନେଇ ସତର୍କ ହୋଇଛନ୍ତି କେନ୍ଦ୍ର ସରକାରଙ୍କ ସମେତ ସମସ୍ତ ରାଜ୍ୟ ସରକାର ।
କୋଭିଡ ସ୍ଥିତିକୁ ନେଇ ଗତକାଲିଠୁ କେନ୍ଦ୍ର ସରକାର ଲଗାତାର ସମୀକ୍ଷା କରୁଥିବାବେଳେ ଶୁକ୍ରବାର ରାଜ୍ୟଗୁଡ଼ିକୁ ସେମାନଙ୍କ ସ୍ଥିତି ସମୀକ୍ଷା ନେଇ କୁହାଯାଇଥିଲା । ଯାହା ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ କୋଭିଡ ସ୍ଥିତି ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ ଡାକିଥିଲା । ସମୀକ୍ଷାରେ ସ୍ୱାସ୍ଥ୍ୟ ସଚିବ ଶାଲିନି ପଣ୍ଡିତ କହିଥିଲେ, ରାଜ୍ୟରେ ସ୍ଥିତି ଭଲ ରହିଛି ।
ନଭେମ୍ବରରୁ ଦୈନିକ ସଂକ୍ରମଣ ମାମଲା ୧୫ରୁ କମ ରହିଛି । ରାଜ୍ୟରେ ଟେଷ୍ଟିଂ ହାର ଜାତୀୟ ତୁଳନାରେ ଅଧିକ ଅଛି । ଆଇସିଏମଆର ଗାଇଡଲାଇନ ଅନୁସାରେ ଟେଷ୍ଟିଂ ଓ ସର୍ଭେିଲାନ୍ସ ଜାରି ରହିବ ।
ବିମାନ ବନ୍ଦର ଗୁଡିକରେ ଗାଇଡଲାଇନ ଅନୁସାରେ ସର୍ଭିଲାନ୍ସ ହେବ । ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ମକଡ୍ରିଲ କରାଯିବ । ସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ମକଡ୍ରିଲ ହେବ । କୋଭିଡ ପଜିଟିଭ ଚିହ୍ନଟ ହେଲେ ଜେନମ ସିକୁ୍ୟଏନ୍ସିଂ କରାଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ନିଦେ୍ର୍ଦଶିକା ଡକ୍ଟର ଶାଳିନୀ ପଣ୍ଡିତ । ପୂର୍ବପରି କୋଭିଡ଼ ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ସରକାର ପରାମର୍ଶ ଦେଇଛନ୍ତି । ମାସ୍କ ପିନ୍ଧିବା, ନିୟମିତ ହାତ ଧୋଇବାକୁ ପରାମର୍ଶ ଦିଆଯିବା ସହ କିଛି ଲକ୍ଷଣ ଦେଖିଲେ ନିଜକୁ ନିଜେ ଆଇସୋଲେସନ ପାଇଁ ଅପିଲ କରିଛନ୍ତି ସରକାର । ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।
ବୈଠକ ପରେ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି, ବାକି ଲୋକଙ୍କୁ ଶୀଘ୍ର ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରିକସନ ଡୋଜ ଟିକାଦାନ ପୁଣି ଆରମ୍ଭ ପାଇଁ ଚିଠି ଲେଖାଯିବ । କଟକ ଏସସିବିରେର ଜିନୋମ ସିକ୍ୱେନ୍ସିଂ ଆରମ୍ଭ ହେବ । ରାଜ୍ୟରେ ହସ୍ପିଟାଲ ଓ ଅକ୍ସିଜେନ ପ୍ଲାଣ୍ଟ ପ୍ରସ୍ତୁତିର ସମୀକ୍ଷା ହେବ ବୋଲି ସେ କହିଛନ୍ତି । ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱର, ରାଉରକେଲା ଏବଂ କଟକରେ ଅଧିକ ଟେଷ୍ଟିଂ ବ୍ୟବସ୍ଥା ରହିବ । ଏହି ତିନି ସହରର ସମସ୍ତ ୟୁପିଏଚସି ଓ ୟୁସିଏଚସିରେ ଟେଷ୍ଟିଂ ବ୍ୟବସ୍ଥା ରହିବ । ଏଗୁଡ଼ିକରେ ଉଭୟ ଆଣ୍ଟିଜେନ୍ ଓ ଆରଟି-ପିସିଆର ଟେଷ୍ଟ ବ୍ୟବସ୍ଥା ରହିବ । ଏହି ତିନି ସହର ପାଇଁ ଆବଶ୍ୟକ ହେଲେ ଅତିରିକ୍ତ ଷ୍ଟାଫ୍ ରଖିବାକୁ ପରାମର୍ଶ ଦିଆଯାଇଛି ।
ସେପଟେ କିଛି ଦିନର ନିରବତା ପରେ ପୁଣି ଥରେ କୋଭିଡ୍ ସଂକ୍ରମଣ ଆଶଙ୍କା ଦେଖାଦେଇଛି । କରୋନାକୁ ପୁଣି ଥରେ ହରାଇବା ପାଇଁ ସସସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି । ବୁଷ୍ଟର ଡୋଜ୍ ନୂଆ ଭାରିଆଣ୍ଟକୁ ପ୍ରତିହତ କରିପାରିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିଦେ୍ର୍ଦଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ୨୮ ନଭେମ୍ବରରୁ ସରକାରୀ ଟିକାକାରଣ ବନ୍ଦ ରହିଛି । କେନ୍ଦ୍ରକୁ ଟିକା ଯୋଗାଣ ପାଇଁ ଅନୁରୋଧ କରିବୁ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ରକୁ ଚିଠି ଲେଖାଯାଇଥିବା ଶ୍ରୀ ପାଣିଗ୍ରାହୀ କହିଛନ୍ତି ।
ଆମେ ସଜାଗ ଅଛୁ । ସଂକ୍ରମଣକୁ ପ୍ରତିହତ ପାଇଁ ଓଡିଶା ସରକାର ପ୍ରସ୍ତୁତ ଅଛନ୍ତି । ରାଜ୍ୟରେ ୧୨ ପ୍ରାଇଭେଟ ହସ୍ପିଟାଲରେ ଟିକା କରଣ ଚାଲିଛି । ବାହାର ରାଜ୍ୟରୁ ୧୬ ଲକ୍ଷ ୧୭ ହଜାର ଟିକା ମଗାଯାଇଥିଲା । ପ୍ରିକସନ ଡୋଜ୍ ନେଇଥିବା ଲୋକେ ସୁରକ୍ଷିତ, ସର୍ବଭାରତୀୟ ସ୍ତରରେ ଓଡ଼ିଶାରେ ଅଧିକ ଟିକା ଦିଆଯାଇଛି ବୋଲି ନିଦେ୍ର୍ଦଶକ ଶ୍ରୀ ପାଣିଗ୍ରାହୀ କହିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲାବେଳେ ଜିନୋମ ସିକ୍ୱେନ୍ସିଂ ଦାୟିତ୍ୱରେ ଥିବା ଅନୁଷ୍ଠାନ ନିଜର କାର୍ଯ୍ୟଦକ୍ଷତା ବୃଦ୍ଧି ଉପରେ କାମ କରିବା ଆରମ୍ଭ କରିଛନ୍ତି ।