ବେକାବୁ କରୋନା: ଦିନକରେ ୩.୭ କୋଟି ଆକ୍ରାନ୍ତ

ବେଜିଂ (ଏଜେନ୍ସି): ଚୀନ୍ରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଛି । ଅନ୍ୟାନ୍ୟ ଦେଶଙ୍କ ଅପେକ୍ଷା ଚୀନ୍ରେ ସର୍ବାଧିକ ଲୋକ ସଂକ୍ରମିତ ହୋଇଛନ୍ତି । କେବଳ ଡିସେମ୍ବର ୨୦ରେ ପ୍ରାୟ ୩କୋଟି ୭୦ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବା ଚାଇନା ସରକାରଙ୍କ ମୁଖ୍ୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆକଳନ କରାଯିବା ପରେ ସେଠାରେ କରୋନା ସଂକ୍ରମଣ ଯେ କେତେ ତୀବ୍ର ଗତିରେ ବ୍ୟାପୁଚି ତାହା ସହଜରେ ଜଣାପଡ଼ୁଛି । ଏହାବ୍ୟତିତ ଡିସେମ୍ବର ମାସର ପ୍ରଥମ ୨୦ ଦିନ ମଧ୍ୟରେ ପ୍ରାୟ ୨୪ କୋଟି ୮୦ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଥିବା ବୁଧବାର ବସିଥିବା ଚୀନ୍ର ଜାତୀୟ ସ୍ୱାସ୍ଥ୍ୟ କମିଶନ୍ ସୂତ୍ରରୁ ଜଣାପଡ଼ିଛି । ଯଦି ସଂକ୍ରମଣ ଏପରି ଭାବେ ବଢ଼ିଚାଲେ ତେବେ ଏହା ପୂର୍ବ ରେକର୍ଡକୁ ଟପିଯିବ ବୋଲି ଆଶାଙ୍କା କରାଯାଉଛି । ଚଳିତ ବର୍ଷ ଜାନୁଆରୀରେ ଦୈନିକ ସଂକ୍ରମଣ ୪୦ ଲକ୍ଷ ରେକର୍ଡ କରାଯାଇଥିଲା ।
କୋଭିଡ୍ଚ କଟକଣା ସଂପୂର୍ଣ୍ଣ ପ୍ରତ୍ୟାହାର କରାଯିବା ପରେ ଦେଶରେ ସଂକ୍ରମଣ ମାତ୍ରାଧିକ ବୃଦ୍ଧି ଘଟୁଛି । ଚୀନବାସୀଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅପେକ୍ଷାକୃତ କମ୍ ଥିବାରୁ ସେମାନେ ସହଜରେ ଓମିକ୍ରନ ଭାରିଆଣ୍ଟ୍ର ଶିକାର ହୋଉଛନ୍ତି । ଏପର୍ଯ୍ୟନ୍ତ ଜନସଂଖ୍ୟାର ୧୮% ସଂକ୍ରମିତ ହୋଇସାରିଛନ୍ତି । ନୂଆବର୍ଷ ବେଳକୁ ସ୍ଥିତି ଅସମ୍ଭାଳ ହୋଇ ପଡ଼ିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଆଶଙ୍କା ବ୍ୟକ୍ତ କରାଯାଇଛି । ସିଚୁଆନ୍ ଓ ରାଜଧାନୀ ବେଜିଂର ଅଧ୍ାରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ଆକଳନ କରାଯାଇଛି ।
ଅନ୍ୟପକ୍ଷରେ ଚୀନ ସରକାରଙ୍କ ପକ୍ଷରୁ ସ୍ଥିତି ନିୟନ୍ତ୍ରଣ ନେଇ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ସ୍ପଷ୍ଟ ସୂଚନା ଦିଆଯାଇନାହିଁ । କିଛିଦିନ ହେଲା ପିସିଆର୍ ଟେଷ୍ଟିଂ ବୁଥ୍ଗୁଡ଼ିକୁ ବନ୍ଦୁ କରି ଦିଆଯାଇଛି । ସେହିପରି ଘରେ କରାଯାଉଥିବା ଟେଷ୍ଟିଂର ତଥ୍ୟ ସଂଗ୍ରହ କରାଯାଇ ପାରୁନାହିଁ । ଏହାସହିତ ବ୍ଲମ୍ବର୍ଗ ନୁ୍ୟଜ୍ ସଂସ୍ଥା ପକ୍ଷରୁ ତଥ୍ୟ ସଂଗ୍ରହ ପାଇଁ ଉଦ୍ୟମ ହୋଇଥିଲା । କିନ୍ତୁ ଜାତୀୟ ସ୍ୱାସ୍ଥ୍ୟ କମିଶନ୍ ପକ୍ଷରୁ କୌଣସି ଉତ୍ତର ଦିଆଯାଇନାହିଁ । କମିଶନ ପକ୍ଷରୁ କରୋନା ସ୍ଥିତି ଅନୁଧ୍ୟାନ ନିମିତ୍ତ ନିକଟରେ ନାସନାଲ ଡିଜିଜ୍ କଣ୍ଟ୍ରୋଲ ବୁ୍ୟରୋ ପ୍ରତିଷ୍ଠା କରାଯାଇଛି । ହେଲେ ଏହାର କର୍ମକର୍ତ୍ତାମାନେ କୌଣସି ଉତ୍ତର ଦେବାକୁ ରାଜି ହେଉ ନାହାନ୍ତି । ତେଣୁ ନିୟନ୍ତ୍ରଣ ପଦକ୍ଷେପ ଅସ୍ପଷ୍ଟ ରହିଛି । ମେଟ୍ରୋ ଡାଟା ଟେକ୍ ମୁଖ୍ୟ ଚେନ୍ କିନ୍ କହିଛନ୍ତି, ସେନ୍ଝେନ୍, ସାଂଘାଇ, ଚୋଙ୍ଗକିଂ ଆଦି ସହରରେ ସର୍ବାଧିକ ସଂକ୍ରମିତ ହୋଇଛନ୍ତି । ଦେଶରେ ଦୈନିକ ପ୍ରାୟ ୧୦ ନିୟୁତ ସଂକ୍ରମିତ ହେଉଥିବା ଆଙ୍କା କରିଛନ୍ତି ଚେନ୍ କିନ୍ । ବେଜିଂରେ କରୋନାର ଏକାଧିକ ଲହରର ସମ୍ମୁଖିନ ହୋଇଥିବା କୁହାଯାଇଛି । ମୋଟ ଉପରେ ଚୀନ୍ ପୂର୍ବାପେକ୍ଷା ଅଧିକ ଭୟଙ୍କର ସଂକ୍ରମଣର ଶିକାର ହୋଇଥିବା ସୂଚନା ମିଳିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *