ମହାନଗର ନିଗମର ସାଧାରଣ ପରିଷଦ ବୈଠକ
ବ୍ରହ୍ମପୁର (ବୁ୍ୟରୋ): ଶୁକ୍ରବାର ବ୍ରହ୍ମପୁର ମହାନଗର ନିଗମର ସାଧାରଣ ପରିଷଦ ବୈଠକ ମେୟର ସଂଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସହିତ ନିଗମ କମିଶନର ଜେ.ସୋନାଲ, ଅତିରିକ୍ତ କମିଶନର ନିଳମାଧବ ଭୋଇ, ଡେପୁଟି କମିଶନର ଆଶୀର୍ବାଦ ପରିଡ଼ା ଓ ବିନୋଦ ବେହେରାଙ୍କ ସମେତ ଏନ୍ଫୋର୍ସମେଣ୍ଟ ଅଧିକାରୀ ତରୁଣକାନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ । ବୈଠକରେ ୧୮ ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଅଗଷ୍ଟରୁ ନଭେମ୍ବର ମଧ୍ୟରେ ଆୟବ୍ୟୟର ଉପସ୍ଥାପନ ସହ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ଥଇଥାନ, କୁଶଳୀ ଓ ଅତିକୁଶଳୀଙ୍କ ଦୈନିକ ମଜୁରି ବୃଦ୍ଧି ଉପରେ ମୋହର ବାଜିଛି । ୨୬ ପୁରୁଣା ଅଦକାରୀ ଗାଡିକୁ ବିକ୍ରି ଉପରେ ମଧ୍ୟ ମୋହର ବାଜିବା ସହ ଟିକସ୍ ଆଦାୟ ଉପରେ ଗୁରୁତ୍ୱ ଦିଆଯାଇଛି । ମହିଳା ସଶକ୍ତୀକରଣର କାର୍ଯ୍ୟକାରିତା ଉପରେ ଆଲୋଚନା ହେବା ସହ ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ନେଇ ସରକାରୀସ୍ତରରେ ହେଉଥିବା ବିଭିନ୍ନ ଯୋଜନାରେ ଅଗ୍ରାଧିକାର ଭିତ୍ତିରେ ସାମିଲ୍ କରି ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଉଛି ।
ଏହି ମର୍ମରେ ମହାନଗର ନିଗମର ବିଭିନ୍ନ ପ୍ରକାର ଗୃହ ଟିକସ୍, ଟ୍ରେଡ ଲାଇସେନ୍ସ, ଜମିଜମା ଟିକସ, ୟୁଜର ଫି ଆଦି ମିଶନ ଶକ୍ତିର ମହିଳା ଗୋଷ୍ଠୀଙ୍କ ଦ୍ୱାରା ସଂଗ୍ରହ କରାଯିବ । ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ସହରର ୧୨ ୱାର୍ଡରେ ମିଶନଶକ୍ତି ମହିଳାଙ୍କ ଦ୍ୱାରା ଟିକସ ଆଦାୟ କରାଯିବାକୁ କାଉନ୍ସିଲ ବୈଠକରେ ନିଷ୍ପତ୍ତି ହୋଇଛି । ଆସନ୍ତା ଜାନୁୟାରୀ ୧୩ରୁ ୧୭ତାରିଖ ପର୍ଯ୍ୟନ୍ତ ବିଶ୍ୱ ହକି ଚମ୍ପିୟାନସିପ୍ ଓଡ଼ିଶାରେ ହେଉଥିବା ଯୋଗୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ରାଜ୍ୟର ୫ଟି ମହାନଗର ନିଗମ ଅଞ୍ଚଳରେ ଖେଳାଳି ଓ ଖେଳକୁ ଉତ୍ସାହିତ କରିବା ନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ବିଭିନ୍ନ କମିଟି ଗଠନ କରାଯାଇ ଏହି କାର୍ଯ୍ୟକ୍ରମକୁ ଯେପରି ସୁଚାରୁ ରୂପେ ସମାପନ କରାଯିବ ସେ ଉପରେ ଆଲୋଚନା କରାଯିବା ସହ ସମସ୍ତ କର୍ପୋରେଟର ଓ ସହରବାସୀଙ୍କ ସହଯୋଗ ଲୋଡିଥିଲେ ମେୟର ଓ କମିଶନର । ବୈଠକରେ ଟିକସ୍ ଆଦାୟ ଠାରୁ ଆରମ୍ଭକରି ଶୌଚାଳୟ ପରିଚାଳନା ପର୍ଯ୍ୟନ୍ତ ବିିଭିନ୍ନ କାର୍ଯ୍ୟରେ ମିଶନ ଶକ୍ତି ଅନୁବନ୍ଧିତ ମହିଳା ଗୋଷ୍ଠୀଗୁଡିକୁ ସାମିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ନିଗମରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ ଅବସର ପରେ ପୁନଃ ନିଯୁକ୍ତି ବ୍ୟବସ୍ଥାକୁ ବନ୍ଦ କରିବାକୁ ପୂର୍ବ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହାକୁ କାର୍ଯ୍ୟକାରୀ କରାଯାଉ ନ ଥିବା ଯୋଗୁ କର୍ପୋରେଟର ପ୍ରଦୀପ ଶତପଥୀ ଅସନ୍ତୋଷ ପ୍ରକାଶ କରିଥିଲେ । ମହାନଗର ନିଗମ ଅଧୀନ ୩୭ ଗୋଷ୍ଠୀ ଶୌଚାଳୟର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଦାୟିତ୍ୱ ପ୍ରଦାନ ନେଇ ଆଲୋଚନା ହୋଇଥିଲା । ଚନ୍ଦନିଆ ପାହାଡ଼ରେ ଦୀର୍ଘ ଦିନରୁ ପଡ଼ିରହିଥିବା ପ୍ରାୟ ୨ଲକ୍ଷ ଟନ୍ର କଠିନ ବର୍ଜ୍ୟବସ୍ତୁକୁ ନଷ୍ଟ କରିବା ପାଇଁ ପ୍ରାଥମିକ ଆକଳନ ଅନୁଯାୟୀ ୧୩ କୋଟି ଟଙ୍କା ଖର୍ଚ୍ଚ ହେବ । ସରକାରଙ୍କ ପକ୍ଷରୁ ୫କୋଟି ଟଙ୍କାର ଅନୁଦାନ ଆସିଛି । ଆଉ ୮କୋଟି ଟଙ୍କା ପାଇଁ ସରକାରଙ୍କ ପାଖକୁ ପ୍ରସ୍ତାବ ପଠାଇବାକୁ ନିଷ୍ପତ୍ତି ନିଆଯାଇଥିଲା । ୨୫୦୦ଏଲ୍ଇଡି ଲାଇଟ୍ ଲଗାଇବା, ୨୪ ରାସ୍ତାରେ ୧୧୪୬ ପୋଲ୍ ଏବଂ ଲାଇଟ୍ ଲଗାଇବା ସହ ୩୬୮ ପୋଲ ଓ ୫୦ଟି ମିନିମାକ୍ସ ଲାଇଟ୍ ଲଗାଇବା ପାଇଁ ଆବଶ୍ୟକ ପଡୁଥିବା ଅର୍ଥ ମଧ୍ୟ ଯୋଗାଇବା ପାଇଁ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା ।
ରାଜ୍ୟ ସରକାରଙ୍କ ଅର୍ଥରେ ହୋଇଥିବା ନିଗମ କାର୍ଯ୍ୟାଳୟ ପରିସରରେ ନୂତନ ସମ୍ମିଳନୀ କକ୍ଷକୁ ଭଡ଼ାରେ ଦେବାକୁ କମିଶନର ପ୍ରସ୍ତାବ ରଖିôଥିଲେ । ଏହାକୁ କର୍ପୋରେଟର ଧିରେଶ ସାବତ, ତିରୁପତି ପାତ୍ରଙ୍କ ସମେତ ଅନ୍ୟ କର୍ପୋରେଟରମାନେ ବିରୋଧ କରିଥିଲେ । ସହରର ସର୍ବପୁରାତନ ପରିଚିତ ବିଏମ୍ସିର ଗେଷ୍ଟ ହାଉସ୍କୁ କିଭଳି ଏକ ଘରୋଇ ସଂସ୍ଥାକୁ ଲିଜ୍ରେ ଦିଆଗଲା ତାହାର ସଠିକ୍ ତଦନ୍ତ କରିବାକୁ କର୍ପୋରେଟର ସୁରେନ୍ଦ୍ର ମହାରଣା ଦାବି କରିଥିଲେ । ହିତାଧିକାରୀଙ୍କୁ ଠିକ୍ ସମୟରେ ଭତ୍ତା ପ୍ରଦାନ ଉପରେ ଗୁରୁତ୍ୱ ଦେବାକୁ କର୍ପୋରେଟର ଦୁର୍ଗା ଲାୟକ ଦାବି କରିଥିଲେ । ବୈଠକରେ ନିଗମର ସମସ୍ତ କର୍ପୋରେଟରଙ୍କ ସହିତ ନିର୍ବାହୀଯନ୍ତ୍ରୀ ବସନ୍ତ କୁମାର ପାଢ଼ୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।