କରନ୍ ଆଇପିଏଲ୍ର ସବୁଠୁ ଦାମୀ ଖେଳାଳି

ମିନି ନିଲାମୀ
କୋଚି, ୨୩ା୧୨ (ଏଜେନ୍ସି): ଇଂଲଣ୍ଡର ଅଲ୍ରାଉଣ୍ଡର୍ ସାମ୍ କରନ୍ ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍)ର ନିଲାମୀ ଇତିହାସର ସବୁଠାରୁ ଦାମୀ ଖେଳାଳି ହୋଇପାରିଛନ୍ତି । ଆଇପିଏଲ୍ ମିନି ନିଲାମୀରେ ୨୪ବର୍ଷୀୟ କରନ୍ଙ୍କୁ ପଞ୍ଜାବ କିଙ୍ଗ୍ସ ୧୮.୫୦ କୋଟି ଟଙ୍କାରେ କିଣିଛି । ଭାରତ ପକ୍ଷରୁ ମୟଙ୍କ ଅଗ୍ରୱାଲ୍ ସବୁଠାରୁ ଦାମୀ ଖେଳାଳି ଥିଲେ । ତାଙ୍କୁ ସନ୍ରାଇଜର୍ସ ହାଇଦରାବାଦ ୮.୨୫ କୋଟି ଟଙ୍କାରେ କିଣିଛି । ମୋଟ ୮୦ଜଣ ଖେଳାଳିଙ୍କ ଉପରେ ନିଲାମଡାକ ହୋଇଥିଲା । ସେଥିରେ ୨୯ ବିଦେଶୀ ଖେଳାଳି ଥିଲେ । ୧୦ ଟିମ୍ ମୋଟ୍ ୨୦୬.୫ କୋଟିରୁ ୧୬୭ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ।
ମୋଟ୍ ପାଞ୍ଚ ଖେଳାଳି ନିଲାମୀରେ ୧୦ କୋଟି ଟଙ୍କାରୁ ଅଧିକ ଟଙ୍କାରେ ବିକ୍ରି ହୋଇଥିଲେ । ସମସ୍ତେ ବିଦେଶୀ ଖେଳାଳି ଥିଲେ । ସେମାନେ ହେଲେ କରନ୍, ଅଷ୍ଟ୍ରେଲିଆର କାମରନ୍ ଗ୍ରୀନ୍ (୧୭.୫୦ କୋଟି), ଇଂଲଣ୍ଡର ବେନ୍ ଷ୍ଟୋକ୍ସ (୧୬.୨୫ କୋଟି), ୱେଷ୍ଟଇଣ୍ଡିଜ୍ର ନିକୋଲାସ୍ ପୂରନ୍ (୧୬ କୋଟି) ଓ ଇଂଲଣ୍ଡର ହାରୀ ବ୍ରୁକ୍ (୧୩.୨୫ କୋଟି) । ଗ୍ରୀନ୍ଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ, ଷ୍ଟୋକ୍ସଙ୍କୁ ଚେନ୍ନାଇ ସୁପର୍ କିଙ୍ଗ୍ସ, ପୂରନ୍ଙ୍କୁ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସ ଓ ବ୍ରୁକ୍ଙ୍କୁ ହାଇଦରାବାଦ ଫ୍ରାଞ୍ଚାଇଜ୍ କିଣିଥିଲା । ଜାସନ୍ ହୋଲ୍ଡରଙ୍କୁ ରାଜସ୍ଥାନ ରୟାଲ୍ସ ୫.୭୫ କୋଟି ଟଙ୍କାରେ କିଣିଥିଲା ।
ପୂର୍ବରୁ ସବୁଠାରୁ ଦାମୀ ଖେଳାଳିର ରେକର୍ଡ ଦକ୍ଷିଣ ଆଫ୍ରିକାର କ୍ରିସ୍ ମୋରିସ୍ଙ୍କ ନାମରେ ଥିଲା, ଯିଏକି ୧୬.୨୫ କୋଟି ଟଙ୍କାରେ ବିକ୍ରି ହୋଇଥିଲେ । ଏବେ କରନ୍ ତାଙ୍କ ରେକର୍ଡ ଭାଙ୍ଗିଛନ୍ତି ।
ଆଶାନୁଯାୟୀ ଦ୍ରୁତ ବୋଲିଂ ଅଲ୍ରାଉଣ୍ଡର୍ଙ୍କ ଅଧିକ ଡିମାଣ୍ଡ ରହିଥିଲା । ୩୦ ମିନିଟ୍ରେ ଏହି ଅଲ୍ରାଉଣ୍ଡର୍ମାନେ ୫୯ କୋଟି ଟଙ୍କା ସାଉଁଟି ନେଇଥିଲେ ।
ଶୁକ୍ରବାର ଅପରାହ୍ଣ ସାଢ଼େ ଦୁଇଟାରେ ଆରମ୍ଭ ହୋଇଥିବା ମିନି ନିଲାମୀରେ ୪୦୫ ଖେଳାଳି ନିଲାମ ପାଇଁ ଉପଲବ୍ଧ ଥିଲେ । ନିଲାମୀରେ ପ୍ରଥମ ଥର ବିକ୍ରି ହୋଇ ନ ଥିବା ରାଇଲୀ ରୁସୋଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୪.୬୦ କୋଟି ଟଙ୍କାରେ କିଣିଛି । ଦ୍ୱିତୀୟ ଥରରେ ଇଂଲଣ୍ଡର ଜୋ ରୁଟ୍ଙ୍କୁ ଏକ କୋଟି ଓ ଅଷ୍ଟ୍ରେଲିଆର ଆଦାମ୍ ଜମ୍ପାଙ୍କୁ ୧.୫୦ କୋଟି ଟଙ୍କାରେ ରାଜସ୍ଥାନ ରୟାଲ୍ସ କିଣିଛି । ବାଂଲାଦେଶର ଶାକିବ୍ ଅଲ୍ ହସନ୍ଙ୍କୁ ୧.୫୦ କୋଟି ଓ ଲିଟନ୍ ଦାସଙ୍କୁ ୫୦ ଲକ୍ଷ ଟଙ୍କାରେ କୋଲକାତା ନାଇଟ୍ ରାଇଡର୍ସ କିଣିଥିବା ଜଣାପଡ଼ିଛି ।
ରାଜସ୍ଥାନ ରୟାଲ୍ସ କେଏସ୍ ଆସିଫ୍ଙ୍କୁ ୩୦ ଲକ୍ଷ, ଆକାଶ ବଶିଷ୍ଟ ୨୦ ଲକ୍ଷ ଓ ମୁରୁଗନ୍ ଅଶ୍ୱିନଙ୍କୁ ରାଜସ୍ଥାନ ରୟାଲ୍ସ ୨୦ ଲକ୍ଷ ଟଙ୍କାରେ କିଣିଥିଲା । ନବୀନ ଉଲ୍ ହକ୍ଙ୍କୁ ଲକ୍ଷ୍ନୌ ୫୦ ଲକ୍ଷ ଟଙ୍କାରେ କିଣିଥିଲା । ଅକିଲ ହୁସେନ୍ଙ୍କୁ ଏକ କୋଟି ଟଙ୍କାରେ ସନ୍ରାଇଜର୍ସ ହାଇଦରାବାଦ ଟିମ୍କୁ ଯାଇଥିଲେ ।
ଅନ୍କ୍ୟାପ୍ଡ ମାଭୀଙ୍କୁ ୬ କୋଟି,
ବିଭ୍ରାନ୍ତଙ୍କୁ ୪.୪୦ କୋଟି
ଅନ୍କ୍ୟାପ୍ଡ ଖେଳାଳିଙ୍କ ନିଲାମୀରେ ଜାମ୍ମୁ-କାଶ୍ମୀରର ବିଭ୍ରାନ୍ତ ଶର୍ମାଙ୍କ ପାଇଁ ନିଲାମଡାକ ସମସ୍ତଙ୍କୁ ଚକିତ କରିଥିଲା । ବାମହାତି ସ୍ପିନ୍ ବୋଲିଂ ସହ ବ୍ୟାଟିଂ କରିବାର ସକ୍ଷମ ବିଭ୍ରାନ୍ତଙ୍କୁ ସନ୍ରାଇଜର୍ସ ୨.୬ କୋଟି ଟଙ୍କାରେ କିଣିଥିଲା । ସେହିପରି ଅନ୍କ୍ୟାପ୍ଡ ପେସର୍ ଶିବମ୍ ମାଭୀଙ୍କୁ ଗୁଜରାଟ ଟାଇଟନ୍ସ ୬ କୋଟି ଟଙ୍କାରେ କିଣିବା ଆଶ୍ଚର୍ଯ୍ୟ ଘଟଣା ଥିଲା । ଏହାଛଡ଼ା ବଙ୍ଗଳାର ପେସର୍ ମୁକେଶ କୁମାରଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୫.୫୦ କୋଟି ଟଙ୍କାରେ କିଣିଥିଲା । ଟି-୨୦ ବିଶ୍ୱକପ୍ରେ ନୁ୍ୟଜିଲାଣ୍ଡ ବିପକ୍ଷରେ ହାଟ୍ରିକ୍ ନେଇଥିବା ବାମହାତି ପେସର୍ ଜୋଶ୍ ଲିଟିଲ୍ ୪.୪୦ କୋଟି ଟଙ୍କାରେ ଗୁଜରାଟ ଟାଇଟନ୍ସକୁ ଯାଇଥିଲେ । ସେ ପ୍ରଥମ ଥର ନିଲାମୀରେ ସାମିଲ୍ ହୋଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *