ଭାରତ ଯୋଡ଼ ଯାତ୍ରା ଉପରେ ଲାଗିବ ବ୍ରେକ୍!
ନୂଆଦିଲ୍ଲୀ, ୨୨ା୧୨: ଚୀନ୍, ଆମେରିକା ସମେତ ଅନେକ ଦେଶରେ କରୋନା ସଂକ୍ରମଣ ବିପଜ୍ଜନକ ସ୍ତରରେ ପହଞ୍ଚôବା ଦେଖି କେନ୍ଦ୍ର ସରକାର ଆଲର୍ଟ ମୋଡ୍କୁ ଆସିଛନ୍ତି । ଜନସମାବେଶ ଏଡ଼ାଇବା ପାଇଁ ନିଦେ୍ର୍ଦଶ ଦିଆଯିବା ଆବଶ୍ୟକ ବୋଲି ଦୁଇଦିନ ହେଲା କ୍ରମାଗତ ଉଚ୍ଚସ୍ତରୀୟ ବୈଠକରେ ସ୍ପଷ୍ଟ ମତ ପ୍ରକାଶ ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ଦୁଇଦିନ ତଳେ କୋଭିଡ୍ ପ୍ରୋଟକଲ୍ ପାଳନ ନ କଲେ ‘ଭାରତ ଯୋଡ଼ ଯାତ୍ରା’ ବନ୍ଦ କରିବା ପାଇଁ ପରାମର୍ଶ ଦେଇ ରାହୁଲ ଗାନ୍ଧୀଙ୍କୁ ପତ୍ର ଲେଖିଥିଲେ । ଏହାକୁ ରାହୁଲ ରୋକଠୋକ୍ ଅଗ୍ରାହ୍ୟ କରି କହିଛନ୍ତି, ଯାତ୍ରା ରୋକିବା ପାଇଁ ଏହା ବିଜେପିର ବାହାନା ।
ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ଯେଉଁ ତରିକାରେ ରାହୁଲଙ୍କୁ ଚିଠି ଲେଖିଛନ୍ତି ରାଜନୈତିକ ପର୍ଯ୍ୟବେକ୍ଷକମାନେ ସେଥିରୁ ଅନୁମାନ କରୁଛନ୍ତି ଯେ ରାହୁଲଙ୍କ ଯାତ୍ରା ଉପରେ ରୋକ୍ ଲଗାଯିବ କିମ୍ବା ଯାତ୍ରାରେ ନିର୍ଦ୍ଧାରିତ ସଂଖ୍ୟା ଅନୁଯାୟୀ ଲୋକଙ୍କୁ ସାମିଲ କରିବା ପାଇଁ ଅନୁମତି ଦିଆଯିବ । ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି, ସରକାର ସଂକ୍ରମଣରୁ ବର୍ତ୍ତିବା ପାଇଁ ପ୍ରୋଟକଲ୍ କଲେ ଦଳ ପୂର୍ଣ୍ଣ ସହଯୋଗ କରିବ, କିନ୍ତୁ ଯାତ୍ରା ରୋକିବା ପାଇଁ ପ୍ରତିବନ୍ଧକ ଆସେ କଂଗ୍ରେସ ପ୍ରାଣପଣେ ବିରୋଧ କରିବ । ଅଙ୍କୁଶ ଲାଗିଲେ କେବଳ କଂଗ୍ରେସ କାହିଁକି, ବିଜେପି ସମେତ ସବୁ ଦଳର ବଡ ଆୟୋଜନ ଉପରେ ଅଙ୍କୁଶ ଲାଗୁ ।
ଉଲ୍ଲେଖଯୋଗ୍ୟ ଯେ କରୋନା ଡରରେ ବିଜେପି ରାଜସ୍ଥାନରେ ଗହୋଲତ ସରକାର ବିରୋଧରେ ଚାଲିଥିବା ଜନ ଆକ୍ରୋଶ ଯାତ୍ରାକୁ ସ୍ଥଗିତ ରଖିଛି । ରାହୁଲଙ୍କ ଯାତ୍ରା ଦିଲ୍ଲୀ ପ୍ରବେଶ କରିବାର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକ ଡାକିବା ଘଟଣାକୁ କଟାକ୍ଷ କରାଯାଇଛି । ଦଳର ମହାସଚିବ ଜୟରାମ ରମେଶ ଟ୍ୱିଟ୍ କରି ଲେଖିଛନ୍ତି, ଓମିକ୍ରନ୍ର ସବ୍ ଭ୍ୟାରିଏଣ୍ଟ୍ ବିଏଫ୍.୭ ମାମଲା ବେଶ୍ କିଛି ମାସ ପୂର୍ବରୁ ସାମ୍ନାକୁ ଆସିଛି । କିନ୍ତୁ ଭାରତ ଯୋଡ ଯାତ୍ରା ଦିଲ୍ଲୀ ପ୍ରବେଶ କରିବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ହାଇଲେଭଲ୍ ମିଟିଂ ଡାକିଛନ୍ତି ।
ବିଶେଷଜ୍ଞମାନଙ୍କ ମତରେ ପୂର୍ବରୁ ଯେମିତି କୋଭିଡ୍ ପ୍ରୋଟୋକଲ୍ ଅନୁଯାୟୀ କଟକଣା ଜାରି ହୋଇଥିଲା, ପରିବର୍ତ୍ତିତ ପରିସ୍ଥିତିରେ ପୁଣି ତାହାକୁ ଲାଗୁ କରିବାର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ ଯାତ୍ରା’ ଉପରେ ରୋକ୍ ଲାଗିପାରେ ।
ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚସ୍ତରୀୟ ବୈଠକରେ ସଂକ୍ରମଣ ରୋକିବା ପାଇଁ ନିଆଯିବାକୁ ଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିଛନ୍ତି । ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି, କୋଭିଡ୍କୁ ନେଇ କୌଣସି କ୍ଷେତ୍ରରେ କୋହଳ ମନୋଭାବ ପୋଷଣ କରାଯିବା ଅନୁଚିତ୍ । କରୋନା ମହାମାରୀ ଏବେ ଦୂର ହୋଇନାହିଁ । ତେଣୁ ଜିନୋମ ସିକ୍ୱେନ୍ସିଂ, ଟେଷ୍ଟିଙ୍ଗ୍ ଆଦି ବଢ଼ାଇବା ତଥା ଆନ୍ତର୍ଜାତିକ ବିମାନବନ୍ଦର ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସତର୍କତାମୂଳକ ପଦକ୍ଷେପ ନେବା ଲାଗି ସେ ଜୋର୍ ଦେଇଛନ୍ତି ।
ଏହି ବୈଠକରେ ଗୃହମନ୍ତ୍ରୀ ଅମିତ୍ ଶାହ, ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟାଙ୍କ ସମେତ ବହୁ ଉଚ୍ଚାଧିକାରୀ ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଦେଶ ଦୁନିଆର କୋଭିଡ୍ ସଂକ୍ରମଣ ସ୍ଥିତି ଅବଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଦିଲ୍ଲୀ, ମହାରାଷ୍ଟ୍ର ଏବଂ ଅନ୍ୟ ଅନେକ ରାଜ୍ୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଅନୁମାନ କରାଯାଉଛି, ଖୁବ୍ଶୀଘ୍ର ସଂକ୍ରମଣ ସମ୍ବନ୍ଧୀୟ ଅନେକ ପ୍ରତିଷେଧମୂଳକ ବ୍ୟବସ୍ଥା ଘୋଷଣା କରାଯିବ । ମାସ୍କ ପିନ୍ଧିବା ଅନିବାର୍ଯ୍ୟ ହୋଇପାରେ । ରାଜ୍ୟମାନଙ୍କୁ ବିଶେଷ ଆଡ୍ଭାଇଜରୀ ମଧ୍ୟ ଜାରି କରାଯାଇପାରେ ।
ଏହି ବୈଠକରେ ଗୃହ ମନ୍ତ୍ରାଳୟର ଅଧିକାରୀମାନଙ୍କୁ ସାମିଲ କରାଯିବା ପଛରେ ଏକ ବଡ଼ କାରଣ ଅଛି । ସରକାର ଯଦି କୌଣସି କଟକଣା ଜାରି ନିଷ୍ପତ୍ତି ନିଅନ୍ତି, ପରବର୍ତ୍ତୀ ସେଥିରେ ଗୃହ ମନ୍ତ୍ରାଳୟ ପ୍ରତ୍ୟକ୍ଷ ଭୂମିକା ରହିବ । ଅର୍ଥାତ୍ ନିୟମ ଅନୁପାଳନ କରାନଗଲେ ଗୃହ ମନ୍ତ୍ରାଳୟ ସମୁଚିତ ପଦକ୍ଷେପ ନେବ ।