ବିନା ଶିକ୍ଷକରେ ଚାଲିଛି ତିନି ଶ୍ରେଣୀ
ବାଟବଣା ସ୍ମାର୍ଟ ସ୍କୁଲ ରୂପାନ୍ତରୀକରଣ ବିଦ୍ୟାଳୟ ଯୋଜନା
ନରସିଂହପୁର (ଆପ୍ର): ଛାତ୍ରଛାତ୍ରୀମାନଙ୍କୁ ବୈଷୟିକ ଜ୍ଞାନ କୌଶଳ ସହିତ ଉନ୍ନତମାନର ଶିକ୍ଷା ପ୍ରଦାନ ନିମନ୍ତେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏପରିକି ବିଦ୍ୟାଳୟ ରୂପାନ୍ତକରଣ ଯୋଜନାରେ ସାମିଲ କରି ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ ସହିତ ଛାତ୍ରଛାତ୍ରୀଙ୍କ ନିମନ୍ତେ ଅନ୍ୟାନ୍ୟ ବ୍ୟବସ୍ଥା କରୁଛନ୍ତି । ମାତ୍ର ଏହି ଯୋଜନା ନରସିଂହପୁର ବ୍ଲକରେ ପ୍ରହସନ ପାଲଟିଥିବା ଅଭଯୋଗ ହୋଇଛି ।
ନରସିଂହପୁର ବ୍ଳକରେ ଥିବା ସର୍ବ ପୁରାତନ ଉଚ୍ଚ ବିଦ୍ୟାଳୟ ଅନନ୍ତ ନାରାୟଣ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅନୁପାତରେ ଶିକ୍ଷକ ନଥିବାରୁ ଅନେକ ସମୟରେ ପାଠ ପଢ଼ାରେ ବାଧାପ୍ରାପ୍ତ ହେଉଛି । ଏପରିକି ଚଳିତ ପାଞ୍ଚ ଜଣ ଶିକ୍ଷକ ବଦଳି ହୋଇ ଯାଇଥିବା ବେଳେ ତାଙ୍କ ବଦଳରେ ଜଣେ ସଂସ୍କୃତ ଶିକ୍ଷକ ନିଯୁକ୍ତି ଦେଇ କାମ ସାରି ଦିଆଯାଇଛି । ବାକି ଅନ୍ୟ ପଦବୀ ସବୁ ଖାଲି ପଡ଼ି ରହିଛି । ସେହିପରି ଦୀର୍ଘ ଦିନ ଧରି ସ୍ଥାୟୀ ଶିକ୍ଷକ ପଦବୀ ଖାଲି ପଡ଼ିଛି । ଏହି ବିଦ୍ୟାୟରେ ପ୍ରଥମରୁ ଦଶମ ଶ୍ରେଣୀରେ ମୋଟ ୩୩୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ମାତ୍ର ଛାତ୍ରଛାତ୍ରୀ ଅନୁପାତରେ ଶିକ୍ଷକମାନେ ନାହାନ୍ତି । ପ୍ରଥମରୁ ପଞ୍ଚମ ଶ୍ରେଣୀରେ ମାତ୍ର ତିନି ଜଣ ଶିକ୍ଷକ ଥିବାବେଳେ ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ତିନୋଟି ଶ୍ରେଣୀରେ ଆଦୌ ଶିକ୍ଷକ ନାହାଁନ୍ତି । ଯାହା ଫଳରେ ପାଠ ପଢ଼ା ବାଧାପ୍ରାପ୍ତ ହେଉଛି । ସେହିପରି ନବମ ଦଶମ ଶ୍ରେଣୀରେ ଆବଶ୍ୟକୀୟ ଶିକ୍ଷକ ନଥିବା ବେଳେ ସେହି ଶିକ୍ଷକମାନେ ପାଳି କରି ଷଷ୍ଠ, ସପ୍ତମ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ାଉଛନ୍ତି । ଯାହାକୁ ପିଲାମାନଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏନେଇ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କୁନଲତା ଦେଈଙ୍କୁ ପ·ରିବାରୁ ସେ କହିଥିଲେ ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ସମସ୍ୟା ସୃଷ୍ଟି ହେଉଛି । ତେଣୁ ଏନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଛୁ ଯଥାଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ।
ସୂଚନାରୁ ପ୍ରକାଶ ଯେ, ବିଦ୍ୟାଳୟ ରୂପାନ୍ତକରଣ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ନରସିଂହପୁର ବ୍ଳକର ସର୍ବ ପୁରାତନ ଉଚ୍ଚ ବିଦ୍ୟାଳୟ ଅନନ୍ତ ନାରାୟଣ ଉଚ୍ଚ ବିଦ୍ୟାଳୟକୁ ସାମିଲ କରାଯାଇଥିଲା । ପରେ ଦ୍ୱିତୀୟ ପର୍ଯ୍ୟାୟରେ ବ୍ଲକର ଆଉ ୧୫ଟି ବିଦ୍ୟାଳୟ ସାମିଲ ହୋଇଥିବା ବେଳେ ଏପରି ମୋଟ ୩୮ଟି ହାଇସ୍କୁଲରୁ ତିନୋଟି ପର୍ଯ୍ୟାୟରେ ୩୩ଟି ହାଇସ୍କୁଲକୁ ରୂପାନ୍ତକରଣ ଯୋଜନାରେ ସାମିଲ କରାଯାଇ କୋଟି ଟଙ୍କା ଟଙ୍କା ଖର୍ଚ୍ଚ କରାଯାଇଛି । କିନ୍ତୁ ଅନେକ ବିଦ୍ୟାଳୟରେ ଅତି ନିମ୍ନମାନର କାର୍ଯ୍ୟ ହୋଇଛି । ଏପରିକି କେଉଁଠି ସ୍ମାର୍ଟ୍ ସ୍କୁଲ କାନ୍ଥ ଭୁଶୁଡ଼ିଲାଣି ତ ଆଉ କେଉଁଠି ପାଚେରୀ ଭାଙ୍ଗିଯାଇଛି । ଏହାସହ ଫଟା କାନ୍ଥରେ ଚୂନ ବୋଳି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରାଯାଇଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।
