ଜିରୋ ନାଇଟ୍ ସେଲିବ୍ରେସନ୍ ପ୍ରସ୍ତୁତି
ପାଖେଇ ଆସୁଛି ବଡ଼ଦିନ, ନୂଆବର୍ଷ
ପୁରୀ (ବୁ୍ୟରୋ): ୨ ଦିନ ପରେ ବଡ଼ଦିନ । ତତ୍ସହିତ ୮ଦିନ ପରେ ନୂଆବର୍ଷ । ସେଥିପାଇଁ ମଧ୍ୟ ପ୍ରଶାସନର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚôଛି । ଏବେ ବଡ଼ଦିନ ଛୁଟି ଚାଲିଥିବାରୁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତମାନେ ବାରିକେଡ୍ ଦେଇ ସିଂହଦ୍ୱାରକୁ ଯିବାପରେ ସେଠାରୁ ଅନ୍ୟ ଏକ ବାରିକେଡ୍ରେ ଧାଡ଼ିରେ ଯାଇ ଶ୍ରୀମନ୍ଦିର ସିଂହଦ୍ୱାର ରାସ୍ତାରେ ପ୍ରବେଶ କରିବେ । ଉତ୍ତରଦ୍ୱାର, ପଶ୍ଚିମଦ୍ୱାର ଓ ଦକ୍ଷିଣଦ୍ୱାର ଦେଇ ଭକ୍ତମାନେ ବାହାରକୁ ବାହାରିବେ । ନୂଆବର୍ଷକୁ ଦୃଷ୍ଟିରେ ରଖି ସିଂହଦ୍ୱାର ଅଞ୍ଚଳରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବ ।
ସେହିପରି ବଡ଼ଦିନ ଓ ନୂଆବର୍ଷକୁ ଧୁମ୍ଧାମ୍ରେ ଚଳିତବର୍ଷ ପାଳନ କରିବାକୁ ପ୍ରଶାସନ ଓ ହୋଟେଲିୟରମାନେ ପ୍ରସ୍ତୁତ ହେଲେଣି । ଏପରିକି ଜିରୋ ନାଇଟ୍ ସେଲିବ୍ରେସନ୍ ଲାଗି ତାରକା ହୋଟେଲରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଗତ ଦୁଇବର୍ଷ ମହାମାରୀ କରୋନା ଲାଗି ପୁରୀରେ ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ ପ୍ରଶାସନ ପକ୍ଷରୁ ରୋକ୍ ଲାଗିଥିଲା । ଚଳିତବର୍ଷ କଟକଣାମୁକ୍ତ ଥିବାରୁ ଜିରୋ ନାଇଟ୍କୁ ଅଧିକ ଧୁମ୍ଧାମ୍ରେ ପାଳନ କରିବାକୁ ପର୍ଯ୍ୟଟକମାନେ ଆଶାପ୍ରକଟ କରିଛନ୍ତି । ସେଥିଲାଗି ବଡ଼ଦିନର ଦୁଇଦିନ ପୂର୍ବରୁ ଶ୍ରୀକ୍ଷେତ୍ରରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି । ସେହିଭଳି ବଡ଼ଦିନ ଓ ନୂଆବର୍ଷ ଲାଗି ତାରକା ହୋଟେଲଠାରୁ ଆରମ୍ଭ କରି ଲଜ୍ିଂ, ଧର୍ମଶାଳା, ବେଳାଭୂମିରେ ରହିଥିବା ସମସ୍ତ ହୋଟେଲ ବୁକିଂ ଶେଷ ହୋଇଛି । ଏପରିକି ଦୀର୍ଘ ୧ମାସ ଆଗରୁ ପେଣ୍ଠକଟାଠାରୁ ଆରମ୍ଭ କରି ବଳିଆପଣ୍ଡା ପର୍ଯ୍ୟନ୍ତ ରହିଥିବା ସମସ୍ତ ହୋଟେଲ ରୁମ୍ ବୁକିଂ ଶେଷ । ଏନେଇ ହୋଟେଲ ମାଲିକମାନେ ଖୁସିପ୍ରକଟ କରିଛନ୍ତି ।
ଏ ସମ୍ପର୍କରେ ହୋଟେଲିୟର ଶ୍ରୀମନ୍ତ କୁମାର ଦାଶ କୁହନ୍ତି, କରୋନା ଲାଗି ଦୁଇବର୍ଷ ପୁରୀରେ ସମସ୍ତ ହୋଟେଲ ଖାଲି ପଡ଼ିଥିଲା । ମହାପ୍ରଭୁଙ୍କ ଦୟାରୁ କରୋନାର ପ୍ରକୋପ କମିବା ପରେ ଚଳିତବର୍ଷ ପୁରୀକୁ ପର୍ଯ୍ୟଟକଙ୍କ ଆଗମନ ହୋଇଛି । ବଡ଼ଦିନ ଓ ନୂଆବର୍ଷରେ ପର୍ଯ୍ୟଟକମାନେ ଆସି ଖୁସିରେ ଫେରିଲେ ଆମ୍ଭମାନେ ଖୁସି ହେବୁ । କିନ୍ତୁ ଏଥର ବ୍ୟବସାୟ ଭଲ ହେବ ବୋଲି ଆଶାପ୍ରକଟ କରିଛନ୍ତି ।
ଏସ୍ପି କନୱାର ବିଶାଲ ସିଂହ କୁହନ୍ତି, ବଡ଼ଦିନ ଓ ନୂଆବର୍ଷରେ ପୁରୀରେ ଲକ୍ଷାଧିକ ପର୍ଯ୍ୟଟକ ଓ ଭକ୍ତଙ୍କ ସମାଗମ ହୋଇଥାଏ । ବିଶେଷ ଭାବେ ମହାପ୍ରଭୁଙ୍କୁ ଦର୍ଶନ ଲାଗି ଭକ୍ତଙ୍କ ଭିଡ ହେବ । ତତ୍ସହିତ ବେଳାଭୂମି ଓ ସହରରେ ଟ୍ରାଫିକ୍ ସମସ୍ୟା ଦେଖାଦେବ । ତାହାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଯେଭଳି ଭାବେ ଭକ୍ତମାନେ ମହାପ୍ରଭୁଙ୍କୁ ଭଲରେ ଦର୍ଶନ କରିବେ ଏବଂ ପର୍ଯ୍ୟଟକମାନେ ସୁରକ୍ଷିତ ଭାବେ ନିଜ ଘରକୁ ଫେରିବେ ତାହା ପୁଲିସ ଲାଗି ବଡ଼ ଚାଲେଞ୍ଜ ।
ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ, ଚଳିତବର୍ଷ ମାତ୍ରାଧିକ ପର୍ଯ୍ୟଟକଙ୍କ ଭିଡ଼ ଜମିବ । ସେଥିଲାଗି ସମସ୍ତ ହୋଟେଲିୟରଙ୍କୁ ଆବଶ୍ୟକଠାରୁ ଅଧିକ ମାତ୍ରାରେ ଭଡ଼ା ଆଦାୟ ନ କରିବା ଏବଂ ସେମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ଲାଗି ନିଦେ୍ର୍ଦଶ ଜାରି କରାଯାଇଛି । ବିଶେଷ ଭାବେ ଶ୍ରୀମନ୍ଦିର, ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଜମିବାକୁ ରହିଥିବା ବେଳେ ତାହା ଉପରେ ଜିଲ୍ଲା ଓ ପୁଲିସ ପ୍ରଶାସନ ନଜର ରଖିଛି ।