ବାଂଲାଦେଶ ୨୨୭ରେ ଅଲ୍ଆଉଟ୍
ଦ୍ୱିତୀୟ ଟେଷ୍ଟ, ପ୍ରଥମ ଦିବସ
ଢାକା, ୨୨ା୧୨ (ଏଜେନ୍ସି): ଉମେଶ ଯାଦବ ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ପ୍ରଭାବଶାଳୀ ବୋଲିଂ ବଳରେ ବାଂଲାଦେଶ ଗୁରୁବାର ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିବସରେ ପ୍ରଥମ ଇନିଂସ୍ରେ ମାତ୍ର ୨୨୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି । ଷ୍ଟମ୍ପ୍ସ ଅପସାରଣ ବେଳକୁ ଭାରତୀୟ ଟିମ୍ ୮ ଓଭର୍ରେ କୌଣସି ୱିକେଟ୍ ନ ହରାଇ ୧୯ ରନ୍ କରିଥିଲା । ଶୁଭମନ ଗିଲ୍ ୧୪ ଓ କାର୍ଯ୍ୟନିର୍ବାହୀ ଅଧିନାୟକ ଲୋକେଶ ରାହୁଲ ୩ ରନ୍ କରି ଅପରାଜିତ ଥିଲେ ।
ପେସର୍ ଉମେଶ (୨୫/୪) ଓ ଅଫ୍ସ୍ପିନର୍ ଅଶ୍ୱିନ (୭୧/୪) ମିଶି ଆଠ ୱିକେଟ୍ ନେଇଥିବା ବେଳେ ଦୀର୍ଘ ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରିଥିବା ପେସର୍ ଜୟଦେବ ଉନାଦକଟ (୫୦/୨) ଅବଶିଷ୍ଟ ଦୁଇ ୱିକେଟ୍ ଅକ୍ତିଆର କରିଥିଲେ । ଏହା ଫଳରେ ଭାରତ ଆୟୋଜକ ଟିମ୍କୁ ୭୩.୫ ଓଭର୍ରେ ଅଲ୍ଆଉଟ୍ କରିଥିଲା ।
୨୦୧୦ ଡିସେମ୍ବରରେ ସେଞ୍ଚୁରିଅନ୍ ଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପଦାର୍ପଣ କରିଥିବା ଉନାଦକଟ ୧୨ ବର୍ଷର ବ୍ୟବଧାନ ପରେ ଟେଷ୍ଟ ଫର୍ମାଟ୍କୁ ଫେରିଥିଲେ । ଏହା ମଧ୍ୟରେ ସେ ୧୧୮ ମ୍ୟାଚ୍ ହରାଇଛନ୍ତି, ଯାହାକି ଯେକୌଣସି ଭାରତୀୟଙ୍କ ପାଇଁ ସର୍ବାଧିକ ଏବଂ ବିଶ୍ୱ କ୍ରିକେଟ୍ରେ ଦ୍ୱିତୀୟ ସର୍ବାଧିକ ।
ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରାହୁଲ ଫିଟ୍ ଥିବା ଯୋଗୁଁ ଏହି ମ୍ୟାଚ୍ ଖେଳୁଛନ୍ତି । ତେବେ ଟିମ୍ ଇଣ୍ଡିଆରେ ଏକ ବଡ଼ ପରିବର୍ତ୍ତନ କରାଯାଇଥିଲା । ପ୍ରଥମ ଟେଷ୍ଟରେ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିବା ରିଷ୍ଟ ସ୍ପିନର୍ କୁଲଦୀପ ଯାଦବଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦିଆଯାଇ ତାଙ୍କ ସ୍ଥାନରେ ପେସର୍ ଜୟଦେବ ଉନାଦକଟଙ୍କୁ ସାମିଲ୍ କରାଯାଇଥିଲା । ଅନ୍ୟପଟେ, ବାଂଲାଦେଶ ଟିମ୍ର ଚୂଡ଼ାନ୍ତ ଏକାଦଶରେ ମୋମିନୁଲ୍ ଓ ତସ୍କିନ୍ଙ୍କୁ ସ୍ଥାନ ମିଳିଥିଲା ।
ପ୍ରଥମ ସତ୍ରରେ ବାଂଲାଦେଶ ୩୯ ରନ୍ ମଧ୍ୟରେ ଦୁଇ ଓପନର୍ଙ୍କ ୱିକେଟ୍ ହରାଇଥିଲା । ଜାକିର ହସନ୍ (୧୫)ଙ୍କୁ ରାହୁଲଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇ ଉନାଦକଟ ଭାରତକୁ ପ୍ରଥମ ସଫଳତା ଦେଇଥିଲେ ।
ଚଟ୍ଟୋଗ୍ରାମ ଠାରେ ପଦାର୍ପଣ ଟେଷ୍ଟରେ ଶତକ ହାସଲ କରିଥିବା ଜାକିର ବିନା ସ୍କୋର୍ରେ ପାଭିଲିଅନ୍ ଫେରିଥା’ନ୍ତେ; କିନ୍ତୁ ଦିନର ଦ୍ୱିତୀୟ ଓଭର୍ରେ ମହମ୍ମଦ ସିରାଜ ଡିପ୍ରେ ତାଙ୍କ କ୍ୟାଚ୍ ଛାଡ଼ି ଦେଇଥିଲେ । ନଜମୁଲ ହୋସେନ୍ (୨୪) ଅଶ୍ୱିନଙ୍କ ବଲ୍ରେ ଏଲ୍ବିଡବ୍ଲୁ୍ୟ ହୋଇଥିଲେ ।
ଅଧିନାୟକ ଶାକିବ (୧୬) ଭୋଜନକାଳ ବିରତି ପୂର୍ବରୁ ଏକ ଷ୍ଟମ୍ପିଂରୁ ବର୍ତ୍ତି ଯାଇଥିଲେ । କିନ୍ତୁ ଏହି ସୁଯୋଗର ସେ ଫାଇଦା ଉଠାଇ ପାରି ନ ଥିଲେ ଏବଂ ବିରତି ପରେ ପ୍ରଥମ ବଲ୍ରେ ତୃତୀୟ ବ୍ୟାଟର୍ ଭାବେ ପାଭିଲିଅନ୍ ଫେରିଥିଲେ । ଉମେଶ ତାଙ୍କ ୱିକେଟ୍ ନେଇଥିଲେ । ମୋମିନୁଲ୍ ହକ୍ ଓ ଶାକିବ୍ଙ୍କ ମଧ୍ୟରେ ୪୩ ରନ୍ର ଭାଗୀଦାରୀ ହୋଇଥିଲା ।
ଏହାପରେ ମୋମିନୁଲ୍ ନୂଆ ବ୍ୟାଟର୍ ମୁଶଫିକର ରହିମ୍ଙ୍କ ସହ ମିଶି ଇନିଂସ୍କୁ ୧୦୦ ଅତିକ୍ରମ କରାଇଥିଲେହେଁ ବଡ଼ ଭାଗୀଦାରୀ କରିପାରି ନ ଥିଲେ । ଚତୁର୍ଥ ୱିକେଟ୍ ପାଇଁ ୪୮ ରନ୍ ଯୋଗ ହୋଇଥିଲା । ମୁଶଫିକର (୨୬) ଉନାଦକଟଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ୧୩୦ ରନ୍ରେ ୪ର୍ଥ ୱିକେଟ୍ ପଡ଼ିଥିଲା । ଇତ୍ୟବସରେ ମୋମିନୁଲ୍ ୭୮ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ ।
ଲିଟ୍ଟନ୍ ଦାସ ୨୫ ରନ୍ କରି ଅଶ୍ୱିନଙ୍କ ସ୍ପିନ୍-ଜାଲରେ ପଡ଼ିଥିଲେ । ୧୭୨ ରନ୍ରେ ଟିମ୍ର ଅଧା ବ୍ୟାଟର୍ ପାଭିଲିଅନ୍ ଫେରିଥିଲେ । ଅବଶିଷ୍ଟ ୫ ୱିକେଟ୍ ୫୫ ରନ୍ ମଧ୍ୟରେ ପଡ଼ିଥିଲା । ଚା’ପାନ ବିରତି ବେଳକୁ ସ୍କୋର୍ ହୋଇଥିଲା ୧୮୪/୫ ।
ମେହଦୀ ହସନ୍ ମୀରାଜ (୧୫), ନୁରୁଲ୍ ହସନ୍ (୬) ଓ ତସ୍କିନ ଅହମଦ (୧) କେହି ଉମେଶଙ୍କ ଆକ୍ରମଣରୁ ବର୍ତ୍ତି ନ ଥିଲେ । ମୋମିନୁଲ୍ (୮୪)ଙ୍କ ଉଜ୍ଜ୍ୱଳ ଇନିଂସ୍ର ଅନ୍ତ ଘଟାଇଥିଲେ ଅଶ୍ୱିନ । ତାଙ୍କ ଇନିଂସ୍ରେ ୧୨ ଚୌକା ଓ ୧ ଛକା ରହିଥିଲା । ଖଲିଦ ଅହମଦ (୦) ଶେଷ ବ୍ୟାଟର୍ ଭାବେ ଅଶ୍ୱିନଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ୨୨୭ ରନ୍ରେ ଟିମ୍ର ସମସ୍ତ ୱିକେଟ୍ ପଡ଼ିଥିଲା । ତାଇଜୁଲ ଇସ୍ଲାମ ୪ ରନ୍ କରି ଅପରାଜିତ ଥିଲେ ।