ପଞ୍ଚାୟତ ଶିଳ୍ପର ପୁନରୁଦ୍ଧାର କେବେ?
ମାହାଙ୍ଗା (ଆପ୍ର): ମାହାଙ୍ଗା ବ୍ଲକ୍ ହଳଦିଆ ପଞ୍ଚାୟତର ଲକ୍ଷ୍ମୀନାରାୟଣପୁର ସ୍ଥିତ ଭୈରବପଡିଆ ବଜାର ନିକଟରେ ୧୯୬୧ରେ ପଞ୍ଚାୟତସ୍ତରୀୟ ଏକ ଶିଳ୍ପପ୍ରତିଷ୍ଠାନ ପ୍ରତିଷ୍ଠା କରାଯାଇଥିଲା । ବିଜୁବାବୁ ଯେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ତାଙ୍କ ସମୟରେ ପଞ୍ଚାୟତମାନଙ୍କୁ ନେଇ ଏକ ରାଜ୍ୟସ୍ତରୀୟ ପ୍ରତିଯୋଗୀତା କରାଯାଇଥିଲା । ପ୍ରତିଯୋଗୀତାରେ ପଞ୍ଚାୟତଗୁଡ଼ିକୁ ପୁରସ୍କୃତ କରାଯିବ । ସେହି ପରୀପ୍ରେକ୍ଷୀରେ ମାହାଙ୍ଗା ବ୍ଲକ୍ ହଳଦିଆ ପଞ୍ଚାୟତ ରାଜ୍ୟସ୍ତରୀୟ ପଞ୍ଚାୟତ ପ୍ରତିଯୋଗିତାରେ ୧ମ ସ୍ଥାନ ଅଧିକାର କରି ଲକ୍ଷେ ଟଙ୍କା ପୁରସ୍କାର ରାଶି ପାଇଥିଲା । ସେହି ଅର୍ଥରେ ଭୈରବପଡିଆଠାରେ ଏକ ଚାଉଳ କଳ ପ୍ରତିଷ୍ଠା କରାଯାଇଥିଲା । ଏହି ଚାଉଳକଳ କିଛିଦିନଧରି ଭଲ ଚାଲିବା ପରେ ଖରାପ ଅବସ୍ଥାକୁ ଆସିଯାଇଥିଲା । ପରବର୍ତୀ ସମୟରେ ବିଚିତ୍ରାନନ୍ଦ ସାମଲ ଅଏଲ ଓଡ଼ିଶାର ସଭାପତି ଭାବେ ନିର୍ବାଚିତ ହେବାପରେ ତାଙ୍କ ଉଦ୍ୟମରେ ଏକ ତେଲକଳ ପ୍ରତିଷ୍ଠା କରାଯାଇଥିଲା । ଫଳରେ ସୋରିଷ, ବାଦାମ, ସୂର୍ଯ୍ୟମୂଖୀରୁ ତେଲ ବାହାର କରାଯାଉଥିଲା । ଏଥିରେ ସ୍ଥାନୀୟ ଅଞ୍ଚଳର ବହୁ ଲୋକ କର୍ମସଂସ୍ଥାନ ପାଉଥିଲା ବେଳେ ମାହାଙ୍ଗା ଅଞ୍ଚଳର ଚାଷୀମାନେ ତୈଳଜାତ ଫସଲ କରି ଲାଭବାନ ହେଉଥିଲେ । କିଛିଦିନ ଧରି ଏହି ତେଲକଳ ଚାଲିବା ପରେ ରୁଗ୍ଣ ଅବସ୍ଥାକୁ ଆସିଥିଲା ଏବଂ ସବୁଦିନ ପାଇଁ ଚାଉଳକଳ ଓ ତେଲକଳ ବନ୍ଦ ହୋଇଯାଇଥିଲା ।
ସରକାରଙ୍କର ଉଦ୍ୟମରେ ନିର୍ମାଣ କରାଯାଇଥିବା ଘରଗୁଡିକ ଏବେ ଅବ୍ୟବହୃତ ହୋଇ ପଡିରହିଛି । ଏହି ଘରଭିତରେ ଥିବା ଯନ୍ତ୍ରପାତିଗୁଡିକ କଳଙ୍କି ଲାଗିଗଲାଣି । ଅଫିସଘର ଓ କ୍ୱାଟରଗୁଡ଼ିକ ଭାଙ୍ଗିଗଲାଣି । ଏହି କଳ ପରିସରରେ ଥିବା ବହୁ ସରକାରୀ ଜମି ଜବଦଖଲକାରୀଙ୍କ କବ୍ଜାରେ ଥିବା ଅଭିଯୋଗ ହୋଇଛି । ସାଧାରଣରେ ଚର୍ଚ୍ଚା ପାଲଟିଛି ଯେ ବିଜୁବାବୁଙ୍କ ସ୍ୱପ୍ନ ଏବେ ପାଉଁଶଗଦାରେ ପରିଣତ ହେଲାଣି । ବର୍ତମାନର ବିଧାୟକ ତଥା ପୂର୍ବତନମନ୍ତ୍ରୀ ମଧ୍ୟ ଏହ ଶିଳ୍ପକୁ ପୁନରୁଦ୍ଧାର ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଏହି ରୁଗ୍ଣ ଶିଳ୍ପପ୍ରତିଷ୍ଠାନକୁ ପୁନଃଉଦ୍ଧାର କରିବାକୁ ସ୍ଥାନୀୟ ବିଧାୟକ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁବୋଲି ସାଧାରଣରେ ଦାବି ହେଉଛି ।