ବେଆଇନ ଭାବେ ରାତିରେ ଆସୁଛି ନଡ଼ିଆ ଚାରା
ପଦାରେ ପଡ଼ିଲା ଉଦ୍ୟାନ ବିଭାଗର ଆନ୍ଧ୍ରପ୍ରୀତି
ଛତ୍ରପୁର (ଆପ୍ର): ରାଜ୍ୟ ସରକାର କୃଷକ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଅଗ୍ରାଧିକାର ଦେଇ ସେମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ବିଭିନ୍ନ ବିଭାଗର କାର୍ଯ୍ୟ ଦେଇଛନ୍ତି । ହେଲେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଉଦ୍ୟାନ ବିଭାଗରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ବିନା ଟେଣ୍ଡରରେ ଆନ୍ଧ୍ର ପ୍ରଦେଶରୁ ନଡ଼ିଆ ଚାରା ଅଣାଯାଇ ସହକାରୀ ଉଦ୍ୟାନ କୃଷି କାର୍ଯ୍ୟାଳୟ ପରିସରରେ ନାମକୁ ମାତ୍ର ଲଗାଇ ପରବର୍ତ୍ତୀ ସମୟରେ ଲୋକଙ୍କୁ ବିକ୍ରି କରି ଲକ୍ଷାଧିକ ଟଙ୍କାର ଘୋଟଲା ହେଉଥିବା ସାଧାରଣରେ ଅଭିଯୋଗ ହେଉଛି । ଏଠାରେ ନଡ଼ିଆ ଚାରା ହେଉଛି କହି ଚାଷୀଙ୍କୁ ଦିଆଯାଉଛି କିନ୍ତୁ ଏହା ଅନ୍ୟ ରାଜ୍ୟରୁ ଅଣାଯାଉଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି । ପୂର୍ବରୁ ଏଠାରେ ଥିବା ନଡ଼ିଆ ଗଛ ଲିଜ୍ ନେଇ ସ୍ଥାନୀୟ ଲୋକେ ଉପାର୍ଜନକ୍ଷମ ହେଉଥିଲେ । କିନ୍ତୁ ଏଠାରେ ଏବେ ବେଆଇନ କାର୍ଯ୍ୟ ଚାଲିଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । କେବଳ ନନିଆ ଚାରା ଦୁର୍ନୀତିରେ ସୀମିତ ନୁହେଁ କିଛି ମାସ ପୂର୍ବରୁ ଛତ୍ରପୁର ବ୍ଲକ୍ ପୋଟଲାମପୁର ପଞ୍ଚାୟତରେ କାଜୁ ଚାରା ରୋପଣରେ ମଧ୍ୟ ମହାଘୋଟାଲା ହୋଇଥିବା ନେଇ ଦୈନିକ ‘ସର୍ବସାଧାରଣ’ ଖବରକାଗଜରେ ପ୍ରକାଶିତ ହୋଇଥିଲା । ମନରେଗା ଯୋଜନାରେ କାଜୁ ଗଛ ଲଗାଯାଇ ହିତାଧିକାରୀଙ୍କୁ ସାମଗ୍ରିକ ବାବଦକୁ ଟଙ୍କା ନ ଦେଇ ୧୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଥିଲା । ରାତିରେ ଆନ୍ଧ୍ରରୁ ଚାରା ଆଣି ପରବର୍ତ୍ତୀ ସମୟରେ ଅଧିକ ଦରରେ ଚାଷୀ ଓ ମହିଳା ସ୍ୱୟଂ ସହାୟକ ସଂଘ ସହାୟତାରେ ବିକ୍ରି କରାଯାଉଛି । ମଙ୍ଗଳବାର ଟ୍ରକ ଦ୍ୱାରା ଆସିଥିବା ହଜାର ହଜାର ନଡ଼ିଆ ଚାରାକୁ ଅଫିସର ମୁଖ୍ୟ ଫାଟକରେ ତାଲା ପକାଇ ତରବରିଆ ଭାବେ ରଖାଯାଉଥିବା ଖବର ପାଇ ଗଣମାଧ୍ୟମ ପ୍ରତିନିଧି ଅଫିସ ମୁଖ୍ୟ ଫାଟକ ନିକଟରେ ପହଞ୍ଚôବାରୁ କିଛି କର୍ମଚାରୀ ତାଲା ଖୋଲିବାକୁ ଅମଙ୍ଗ ହୋଇଥିଲେ । କିଛି ସମୟ ପରେ ତାଲା ଖୋଲାଯିବା ପରେ ବିଭାଗୀୟ ଅଧିକାରୀଙ୍କୁ କେଉଁଠୁ ଚାରା ଆସୁଛି ଏହାର ଟେଣ୍ଡର ହୋଇଛି କି ପଚାରିବାରୁ ସେ କିଛି ନ କହି ଚାଲିଯାଇଥିଲେ । ଘଟଣା ସମ୍ପର୍କରେ ଜିଲ୍ଲାର ଭାରପ୍ରାପ୍ତ ଡିଡିଏଚ୍ଙ୍କୁ ପଚାରିବାରୁ ଅଫିସ ମୁଖ୍ୟ ଫାଟକ ତାଲା ପକାଇ ରଖିବା ନିୟମ ନାହିଁ ଏବଂ ଚାରା ସର୍ବଦା ପୁରୀ କିମ୍ବା ଗଜପତିରୁ ହିଁ ଆସିଥାଏ ବୋଲି କହିଥିଲେ । ଆନ୍ଧ୍ରରୁ ଚାରା ଆସିବା ସମ୍ପର୍କରେ ସେ ଜାଣନ୍ତି ନାହିଁ ବୋଲି କହିଥିଲେ ।