ଓଡ଼ିଶାରେ ଚୀନା ଭାଇରସ୍
ନୂଆଦିଲ୍ଲୀ/ଭୁବନେଶ୍ୱର, ୨୧ା୧୨ (ବୁ୍ୟରୋ): ଓଡ଼ିଶାରେ କୋଭିଡ୍ ଓମିକ୍ରନ୍ର ନୂଆ ଭାରିଏଣ୍ଟ ବିଏଫ୍.୭ ଚିହ୍ନଟ ହୋଇଛି । ଚୀନ୍ରେ ଆତଙ୍କ ସୃଷ୍ଟି କରିଥିବା କୋଭିଡର ଏହି ନୂଆ ଭୂତାଣୁ ରାଜ୍ୟର ଖୋର୍ଦ୍ଧାର ଜଣେ ମହିଳାଙ୍କଠାରେ ଚିହ୍ନଟ ହୋଇଛନ୍ତି । ଗତ ସେପ୍ଟେମ୍ବର ୨୨ରେ ସମ୍ପୃକ୍ତ ମହିଳାଙ୍କଠୁ ସଂଗ୍ରହ ହୋଇଥିବା ନମୂନା ପରୀକ୍ଷାରୁ ଏହା ଜଣା ପଡିଥିଲା । ସେତେବେଳେ କେହି ଏହାକୁ ଗୁରୁତ୍ୱର ସହ ନେଇ ନ ଥିଲେ । ବୁଧବାର କେନ୍ଦ୍ର ସରକାର କୋଭିଡ ସମୀକ୍ଷା ସମୟରେ ଏହା ପଦାକୁ ଆସିଥିଲା । ଓଡିଶାକୁ ମିଶାଇ ଦେଶରେ ବିଏଫ୍.୭ ସଂକ୍ରମଣର ୪ଟି ମାମଲା ଏପର୍ଯ୍ୟନ୍ତ ନଜରକୁ ଆସିଛି । ଜୁଲାଇରେ ଗୋଟିଏ ମାମଲା, ସେପ୍ଟେମ୍ବରରେ ୨ଟି ଏବଂ ନଭେମ୍ବରରେ ଆଉ ଗୋଟିଏ ମାମଲା ଚିହ୍ନଟ ହୋଇଛି । ଗୁଜରାଟ ଜୈବ ପ୍ରାଦ୍ୟୋଗିକୀ ଅନୁସନ୍ଧାନ କେନ୍ଦ୍ର ଭାରତରେ ବିଏଫ୍.୭ର ପ୍ରଥମ ମାମଲା ପାଇଥିଲା ।
ଖୋର୍ଦ୍ଧା ଜିଲ୍ଲାର ଜଣେ ଆମେରିକା ଫେରନ୍ତା ମହିଳାଙ୍କଠୁ ସଂଗ୍ରହ ନମୂନା ଆର୍ଏମ୍ଆର୍ସିରେ ଜିନୋମ୍ ସିକ୍ୱେନ୍ସିଂ ପରେ ଏହି ଭୂତାଣୁ ଠାବ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଅନ୍ୟ କୌଣସି ନମୂନାରୁ ଏହି ଭୂତାଣୁ ଠାବ ହୋଇ ନାହିଁ ନଥିବା ସୂଚନା ମିଳିଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଶାଳିନୀ ପଣ୍ଡିତ ଏହି ମର୍ମରେ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପତ୍ର ଲେଖିଛନ୍ତି । ଏଥିରେ ଉଲ୍ଲେଖ କରାଯାଇଛି ଯେ ଚୀନ୍, ଜାପାନ, ଆମେରିକା, କୋରିଆ ଏବଂ ବ୍ରାଜିଲରେ କୋଭିଡ-୧୯ ପୁଣି ଥରେ କାୟା ବିସ୍ତାର କରିବାରେ ଲାଗିଛି । ଏଥିପାଇଁ ଭାରତ ସରକାର ସର୍ତକତା ଅବଲମ୍ବନ ପାଇଁ ଚଳିତ ବର୍ଷ ଜୁନ୍ ମାସରେ ଜାରି କରିଥିବା ସଂଶୋଧିତ ସର୍ବେକ୍ଷଣ ନୀତି ପାଳନ ପାଇଁ ପରାମର୍ଶ ଦେଇଛନ୍ତି ।
ଉପରୋକ୍ତ ଦେଶ ଗୁଡିକର ହଟାତ କୋଭିଡ ସଂକ୍ରମଣ ପରିଲକ୍ଷିତ ହେଉଥିବାରୁ ରୋଗ ସର୍ବେକ୍ଷଣ ଓ ଜେନମ ସିକ୍ୱେନ୍ସିଂ ଆବଶ୍ୟକ ହୋଇଛି । କୋଭିଡ ଲକ୍ଷଣ ଥିବା ବ୍ୟକ୍ତିଙ୍କର ତୁରନ୍ତ ନମୂନା ପରୀକ୍ଷା କରିବା ସହ ପଜିଟିଭ ନମୂନାର ଜେନମ ସିକ୍ୱେନ୍ସି ପାଇଁ କୁହାଯାଇଛି । ଏହାବାଦ୍ ଟେଷ୍ଟିଂ, ଟ୍ରାକିଂ, ଟ୍ରିଟିଂ, କଣ୍ଟାକ୍ଟ ଟ୍ରେସିଂ, ଟୀକାକରଣ ସହ କୋଭିଡ ଲକ୍ଷଣ ଥିବା ବ୍ୟକ୍ତିଙ୍କ ନମୂନା ପରୀକ୍ଷା ସହ ନୂତନ ଭୂତାଣୁ ଚିହ୍ନଟ ହେଲେ ତୁରନ୍ତ ତାଙ୍କର ଚିକିତ୍ସାଲାଗି ପଦକ୍ଷେପ ନେବାକୁ କୁହାଯାଇଛି ।
ଯେଉଁ ନମୂନା ପଜିଟିଭ ଚିହ୍ନଟ ହେବ ପ୍ରତିଦିନ ତାହାକୁ ନିକଟସ୍ଥ ଆଇଏନଏସଏସିଓଜି ପରୀକ୍ଷାଗାର କିମ୍ବା ଭୁବନେଶ୍ୱରରେ ଥିବା ଆରଏମଆରସି ଅଥବା ଆଇଏଲଏସ୍କୁ ପଠାଇବାକୁ ସ୍ୱାସ୍ଥ୍ୟ ବିଭାଗ କହିଛି । ଭାରତ ସରକାରଙ୍କ ମାର୍ଗଦର୍ଶିକା ଆଧାରରେ କ୍ଲଷ୍ଟର କଣ୍ଟେନ୍ମେଣ୍ଟ ପଦକ୍ଷେପ ତୁରନ୍ତ ଆରମ୍ଭ ପାଇଁ ସ୍ୱାସ୍ଥ୍ୟ ସଚିବ କହିଛନ୍ତି ।
ବିଦେଶରେ କୋଭିଡ ଉଗ୍ର ରୂପ ନେବା ପରେ ରାଜ୍ୟକୁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି । କେନ୍ଦ୍ରର ଚିଠି ପାଇଲା ପରେ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ଲୋକଙ୍କଠାରେ କୋଭିଡ ଲକ୍ଷଣ ଦେଖାଯିବା ମାତ୍ରେ ଟେଷ୍ଟିଙ୍ଗ୍ କରାଯିବ । ଏଥି ପାଇଁ ସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଅନୁରୋଧ କରିଛନ୍ତି । ଆକ୍ରାନ୍ତଙ୍କ ଜିନମ ସିକୁ୍ୟଏନସିଂ ହେବ । ଆମ ପାଖରେ ପର୍ଯ୍ୟପ୍ତ ପରିମାଣର ଜେନମ ସିକୁ୍ୟଏନସିଂ ଏବଂ ସର୍ଭିଲାନ୍ସ କରିବାକୁ ସୁବିଧା ଅଛି । ଏହାପରେ ମଧ୍ୟ ଯଦି ସଂକ୍ରମଣ ବଢେ ତାପରେ ଅନ୍ୟ ପଦକ୍ଷେପ ନିଆଯିବ ।
ହକି ବିଶ୍ୱକପରେ ଭିଡ଼କୁ ଦୃଷ୍ଟିରେ ରଖି ସେଠାରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଯଦି କାହାର ଲକ୍ଷଣ ପ୍ରକାଶ ପାଇଲେ ସଙ୍ଗେ ସଙ୍ଗେ ତାର ସେଠାରେ ଟେଷ୍ଟ କରିବାର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର ଓ ରାଉରକେଲାରେ ଟେଷ୍ଟିଙ୍ଗ ପାଇଁ ପର୍ଯ୍ୟାପ୍ତ ପରିମାଣର ବ୍ୟବସ୍ଥା କରାଯାଇଛି । ଚୀନ, ଆମେରିକା ଓ ଜାପାନରେ କରୋନା ସଂକ୍ରମଣ ପୁଣି ଦ୍ରୁତ ଗତିରେ ବଢିଚାଲିଛି । ବିଶେଷକରି ଚୀନ ଅବସ୍ଥା ଚିନ୍ତା ସୃଷ୍ଟି କରିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସତର୍କ ହୋଇଉଠିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭିଅ ବୁଧବାର ଏକ ଉଚ୍ଚସ୍ତରୀୟ ବୈଠକ ଡାକି ସ୍ଥିତିର ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ଏପର୍ଯ୍ୟନ୍ତ ଦେଶରୁ କୋଭିଡ ମୂଳପୋଛ ହୋଇନାହିଁ । ଏଣୁ ଯଥାଶୀଘ୍ର ସମସ୍ତେ କୋଭିଡ୍ ଟୀକା ନେଇଯାନ୍ତୁ । ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ ସ୍ଥିତିର ସମୀକ୍ଷା କରିବା ସହ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତି ତଦାରଖ କରିଥିଲେ ।
ଗଣମାଧ୍ୟମ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଚୀନ୍ର୍ରେ ହୁ ହୁ ହୋଇ ବଢ଼ୁଛି । ପ୍ରତିଦିନ ହଜାର ହଜାର ଲୋକ କୋଭିଡ୍ର ନୂଆ ଭେରିଏଣ୍ଟରେ ଆକ୍ରାନ୍ତ ହେଉଛନ୍ତି । ଯେଉଁଥିପାଇଁ ସେଠାରେ ଅସମ୍ଭାଳ ସ୍ଥିତି ଉପୁଜିଛି । କୋଭିଡ୍ ପ୍ରତିଶେଧକ ଭାବେ ଚୀନ୍ରେ ଦିଆଯାଇଥିବା ଟିକା କାମ ଦେଉନଥିବା ବିଭିନ୍ନ ମହଲରେ ମତପ୍ରକାଶ ପାଇଛି ।