ଅସମ୍ପୂର୍ଣ୍ଣ ଜବରଦଖଲ ଉଚ୍ଛେଦକୁ ନେଇ ପ୍ରଶ୍ନ

ଦାନଗଦି(ଆପ୍ର) : ଦାନଗଦି ତହସିଲ କାର୍ଯ୍ୟାଳୟ ଠାରୁ ମାତ୍ର ୨୦୦ ମିଟର ଦୂର ସିଙ୍ଗଗାଡ଼ିଆ ଛକରେ ଅବାଧରେ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ସମ୍ପୂର୍ଣ୍ଣ ଉଚ୍ଛେଦ ନ ହେବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଗତ ୧୪ରେ ଉକ୍ତ ଜମିରୁ ମାର୍କେଟ କମ୍ପ୍ଲେକ୍ସ ଉଚ୍ଛେଦ ପାଇଁ ପ୍ରଶାସନ ଆଗେଇ ଆସି ଅତିରିକ୍ତ ତହସିଲଦାର ନାରାୟଣ ଦୀକ୍ଷିତ, ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ତହସିଲଦାର ନମ୍ରତା ମୋଦି ଏବଂ ସ୍ଥାନୀୟ ପୁଲିସ ଉପସ୍ଥିତିରେ ଉଚ୍ଛେଦ କରିଥିଲା । ହେଲେ ସମ୍ପୂର୍ଣ୍ଣ ଜବର ଦଖଲ ଉଚ୍ଛେଦ ନ ହେବା ପଛର କାରଣ କ’ଣ ତାହାକୁ ନେଇ ପ୍ରଶ୍ନ ଉଠିଛି ।
ଅପରପକ୍ଷରେ ସିଙ୍ଗାଗାଡ଼ିଆ ଛକକୁ ସମ୍ପୂର୍ଣ୍ଣ ଜବରଦଖଲ ମୁକ୍ତ ପାଇଁ ତହସିଲଦାର ନମ୍ରତା ମୋଦି ଗତ ୧୪ରେ ମାର୍କେଟ କମ୍ପ୍ଲେକ୍ସ ଉଚ୍ଛେଦ ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଥିଲେ । କିନ୍ତୁ ଏହାର କାର୍ଯ୍ୟକାରିତା ନେଇ ଏବେ ପ୍ରଶ୍ନ ଉଠିଛି । କାରଣ ଜବର ଦଖଲ ଜମିରୁ ମାର୍କେଟ କମ୍ପ୍ଲେକ୍ସର କିଛି ଅଂଶ ଲୋକ ଦେଖାଣିଆ ଭାବେ ଭାଙ୍ଗି ସମ୍ପୂର୍ଣ୍ଣ ଉଚ୍ଛେଦ ନ କରି ପ୍ରଶାସନ ଫେରି ଯାଇଥିଲେ । ଏ ସମ୍ପର୍କରେ ତହସିଲଦାରଙ୍କୁ ପଚାରିବାରୁ ଖୁବ୍ଶୀଘ୍ର ସମ୍ପୂର୍ଣ୍ଣ ଉଚ୍ଛେଦ ହେବ ବୋଲି କହିଛନ୍ତି ।
ସୂଚନା ଯୋଗ୍ୟ ୧୨ ଗୁଣ୍ଠରୁ ଅଧିକ ଜମି ଉପରେ ପାଖାପାଖି ୫ ହଜାର ବର୍ଗଫୁଟରେ ନିର୍ମିତ ଏହି ମାର୍କେଟ କମ୍ପ୍ଲେକ୍ସଟି ସମ୍ପୂର୍ଣ୍ଣ ବେଆଇନ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ମାର୍କେଟ କମ୍ପ୍ଲେକ୍ସ ଭଡ଼ା ଦେଇ ସମ୍ପୃକ୍ତ ଜବରଦଖଲକାରୀ ଲକ୍ଷାଧିକ ଟଙ୍କା ହାତେଇ ନେଉଥିଲା । ଗତ ଅକ୍ଟୋବର ୨୮ରେ ସମ୍ପୃକ୍ତ ଜବରଦଖଲକାରୀଙ୍କୁ ହଟିଯିବାକୁ ତହସିଲ ପକ୍ଷରୁ ନୋଟିସ କରାଯାଇଥିବା ବେଳେ ଗତ ୧୪ରେ ଉଚ୍ଛେଦ କାମ ଆରମ୍ଭ ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *