ମୁକୁଳିବ ଶୋଭରାଜ

କାଠମାଣ୍ଡୁ, ୨୧ା୧୨: ଫ୍ରାନ୍ସର ସିରିଏଲ୍ କିଲର ଚାର୍ଲ୍ସ ଶୋଭରାଜକୁ ମୁକ୍ତି ଦେବା ପାଇଁ ନେପାଳ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି । ବୟସାଧିକ୍ୟ କାରଣରୁ କୋର୍ଟ ତାକୁ ଖଲାସ କରିଦେବା ପାଇଁ କହିଛନ୍ତି । ଶୋଭରାଜ ଦୁଇଜଣ ଆମେରିକୀୟ ପର୍ଯ୍ୟଟକଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ଠଠ୩ରୁ କାଠମାଣ୍ଡୁର ସେଣ୍ଟ୍ରାଲ୍ ଜେଲରେ ବନ୍ଦୀ ଜୀବନ ବିତାଇ ଆସୁଛି । ଜେଲ୍ରୁ ବାହାରିବାର ୧୫ ଦିନ ଭିତରେ ତାକୁ ପ୍ରତ୍ୟର୍ପଣପୂର୍ବକ ଦେଶରୁ ନିର୍ବାସିତ କରିବା ପାଇଁ ମଧ୍ୟ ଅଦାଲତ ଆଦେଶ ଦେଇଛନ୍ତି ।
ଭିଏତ୍ନାମୀ ମା’ ଓ ଭାରତୀୟ ବାପାଙ୍କ ପୁଅ ଚାର୍ଲ୍ସ ଶୋଭରାଜ ୧୯୭୫ରେ ଜାଲ୍ ପାସପୋର୍ଟ ବଳରେ ନେପାଳରେ ପହଂଚିଥିଲା । ସେଠାରେ ସେ ଆମେରିକୀୟ ନାଗରିକ କୋନୀ ଜୋ ବୋରୋନଜିକ୍ (୨୯) ଓ ତାଙ୍କ ବନ୍ଧୁ କାନାଡ଼ାର ନାଗରିକ ଲୌରେଣ୍ଟ କେରିଅର (୨୬)ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଗିରଫ ହେବା ପରେ ପରେ ପୁଲିସ୍ ୧୯୭୫ ମସିହାର ପୂର୍ବୋକ୍ତ ହତ୍ୟା ମାମଲାରେ ଶୋାଭରାଜ ବିରୁଦ୍ଧରେ ଦୁଇଟି କେସ ରୁଜୁ କରିଥିଲା । ଆମେରିକୀୟ ନାଗରିକଙ୍କୁ ହତ୍ୟା ମାମଲାରେ ତାକୁ ୨ଠ ବର୍ଷ ଓ ଜାଲ୍ ପାସପୋର୍ଟ ରଖିବା ଅପରାଧରେ ତାକୁ ବର୍ଷେ ସଜା ମିଳିଥିଲା ।
ବିକିନି କିଲର, ଦ ସର୍ପେଣ୍ଟ୍ ନାମରେ କୁଖ୍ୟାତ ୭୮ ବର୍ଷୀୟ ଶୋଭରାଜ ହୃଦ୍ରୋଗରେ ପୀଡିତ । ଭାରତ, ଆଫଗାନିସ୍ତାନ, ଗ୍ରୀସ୍ ଓ ଇରାନରେ ଜେଲ୍ କର୍ତ୍ତୃପକ୍ଷଙ୍କୁ ଚକ୍ମା ଦେଇ ଅତୀତରେ ଖସି ଆସିଥିଲା । ଭାରତ, ଥାଇଲାଣ୍ଡ, ତୁର୍କୀ, ଇରାନ ଆଦି ଅନେକ ଦେଶରେ ତା ନାମରେ ୨୦ରୁ ଅଧିକ ହତ୍ୟା ମାମଲା ଅଛି ।
ଶୋଭରାଜ ମୁଖ୍ୟତଃ ପର୍ଯ୍ୟଟକ ଓ ଯୁବତୀମାନଙ୍କୁ ଟାର୍ଗେଟ୍ କରୁଥିଲା । ଫ୍ରାନ୍ସର ଜଣେ ପର୍ଯ୍ୟଟକଙ୍କୁ ବିଷ ଦେଇ ମାରିଥିବାରୁ ସେ ଭାରତରେ ୨୦ ବର୍ଷ ସଜ୍ଜା କାଟିଛି । ତିହାର ଜେଲ୍ରେ ନିଜ ଜନ୍ମଦିନ ପାଳି ଜେଲ୍ ଗାର୍ଡମାନଙ୍କୁ ବିସ୍କୁଟ୍ ଓ ଅଙ୍ଗୁରରେ ନିଶାଦ୍ରବ୍ୟ ଦେଇ ଚମ୍ପଟ ମାରିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *