ବସ୍ଷ୍ଟାଣ୍ଡରେ ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ମିଳୁ

ପୁରୀ (ବୁ୍ୟରୋ): ପୁରୀ ବସ୍ଷ୍ଟାଣ୍ଡକୁ ବିଶ୍ୱସ୍ତରୀୟ କରିବା ପାଇଁ ଅର୍ଥାତ ବସ୍ ଯାତ୍ରୀମାନଙ୍କୁ ଷ୍ଟାଣ୍ଡ୍ ପରିସରରେ ସମସ୍ତ ଆବଶ୍ୟକୀୟ ମୌଳିକ ସୁବିଧା ଯୋଗାଇଦେବାକୁ ଆସୋସିଏସନ୍ର ବରିଷ୍ଠ ସଦସ୍ୟ ସୂର୍ଯ୍ୟ ନାରାୟଣ ରଥଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ପ୍ରସ୍ତାବିତ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ । ୨୧ ଦାବି ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ସହରର ଅନେକ ସଚେତନ ଯୁବକ ପୁରୀ ବସ୍ଷ୍ଟାଣ୍ଡକୁ ସୁନ୍ଦର କରିବା ପାଇଁ ଆଗେଇ ଆସି ପ୍ରତ୍ୟେକ ଶନିବାର ସଫା କରିବା ସହ ସମସ୍ତଙ୍କୁ ସଚେତନ କରୁଛନ୍ତି । ବସ୍ ଯାତ୍ରୀଙ୍କର ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କୁ ନିମ୍ନ ପ୍ରସ୍ତାବଗୁଡ଼ିକ ପ୍ରଦାନ କରିଛନ୍ତି ।
ବସ୍ଷ୍ଟାଣ୍ଡର ଉଭୟ ଫାଟକରେ ସୁଦୃଶ୍ୟ ଆକର୍ଷଣୀୟ ନାମ ଫଳକ ଲଗାଯିବା, ୨୪ ଘଣ୍ଟିଆ ପିଇବା ପାଣି, ସିକୁ୍ୟରିଟି ବ୍ୟବସ୍ଥା ଓ ପରିମଳ ବ୍ୟବସ୍ଥା ସହିତ ସୁରକ୍ଷା ଦୃଷ୍ଟିରୁ ଷ୍ଟାଣ୍ଡ ପରିସରରେ ସିସିଟିଭି ସଂଯୋଗ କରାଯିବା, ପୁରୁଷ ଓ ମହିଳାଙ୍କ ନିମିତ୍ତ ପରିଶ୍ରାଗାର ନିର୍ମାଣ, ହକର୍ମାନଙ୍କୁ ପଞ୍ଜୀକୃତ କରିବା ସହିତ ସେମାନଙ୍କୁ ପରିଚୟପତ୍ର ପ୍ରଦାନ କରିବା, ବସ୍ଷ୍ଟାଣ୍ଡ ପରିସରକୁ ସବୁଜିମା ଭରା କରିବା ସହିତ ଷ୍ଟାଣ୍ଡ୍କୁ ଉକ୍ରଳୀୟ ଐତିହ୍ୟ ସଂସ୍କୃତି ଓ ପରମ୍ପରାକୁ ନେଇ ରଙ୍ଗବେରଙ୍ଗ କଳାକୃତିରେ ସଜାଇବା, ଯାତ୍ରୀମାନଙ୍କ ପାଇଁ ଏଟିଏମ୍ ସ୍ଥାପନ କରିବା ସହିତ ଉକ୍ତ ଅଞ୍ଚଳକୁ ନିଶାମୁକ୍ତ ଅଞ୍ଚଳ ଘୋଷଣା କରିବା ଆଦି ଦାବି କରାଯାଇଛି । ଜିଲ୍ଲାପାଳଙ୍କ ସହିତ ଯେଉଁ ଆଲୋଚନା କରାଯାଇଛି, ତାହା ଯଥାଶୀଘ୍ର ପୂରଣ ହେବ ବୋଲି ଶ୍ରୀ ରଥ ପ୍ରକାଶ କରିଛନ୍ତି । ଏହି ସମୟରେ ସୂର୍ଯ୍ୟ ନାରାୟଣ ରଥ, ତ୍ରିଲୋଚନ ଦାସ, ପୂର୍ଣ୍ଣଚନ୍ଦ୍ର ଓଝା, ହରିଶ୍ଚନ୍ଦ୍ର ନାୟକ, ସିଦ୍ଧାର୍ଥ ଶଙ୍କର ମିଶ୍ର, ବୁଟୁ ସାହୁ ଓ ବିଜୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *