ରାସ୍ତା କଡ଼ରେ ଶସ୍ତା ହେଲମେଟ୍ ପସରା
କଟକ(ବୁ୍ୟରୋ):ଦୁର୍ଘଟଣା ଜନିତ ମୃତୁ୍ୟ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଟ୍ରାଫିକ ନିୟମ ଯେତେ କଡାକଡି କରାଗଲେ ମଧ୍ୟ ସଡ଼କ ଦୁର୍ଘଟଣାରେ ରୋକି ଲାଗିପାରୁନାହିଁ । ବର୍ତ୍ତମାନ ଶୀତଦିନ ଚାଲିଥିବାରୁ ରାସ୍ତାମାନଙ୍କରେ ଘନ କୁହୁଡ଼ିରେ ପରିଣତ ହେଉଛି । ରାସ୍ତାଘାଟ ଏକପ୍ରକାର ଧୁଅାଁମୟ ପରିବେଶରେ ପରିଲକ୍ଷିତ ହେଉଛି । ତେଣୁ ଶୀତ ଦିନରେ ଅଧିକ ଦୁର୍ଘଟଣା ଘଟିଥାଏ । ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ବୈଠକରେ ଅନେକ ନିଷ୍ପତ୍ତି ନିଆଯାଇଥାଏ । ଏପରିକି ଚାଳକଙ୍କୁ ଦ୍ରୁତଗତିରେ ଗାଡ଼ି ଚଲେଇବାକୁ ବାରଣ କରିବା ସହ ହେଲମେଟ ପିନ୍ଧିବା ପାଇଁ କୁହାଯାଇଥାଏ । ହେଲମେଟ ନପିନ୍ଧିଲେ ପରିବହନ ବିଭାଗ ପକ୍ଷରୁ ଫାଇନ ଆଦାୟ କରାଯାଏ । ତେବେ ଏହି ଫାଇନରୁ ବର୍ତ୍ତିବା ପାଇଁ ଶସ୍ତାରେ ହେଲମେଟ କିଣି ବାଇକ ଚାଳକମାନେ ମୃତୁ୍ୟ ମୁଖରେ ପଡୁଛନ୍ତି । ଏଥିପାଇଁ ମୁଖ୍ୟତଃ ବଜାରରେ ମିଳୁଥିବା ଶସ୍ତା ହେଲମେଟକୁ ଦାୟୀ କରାଯାଉଛି । ଶସ୍ତା ହେଲମେଟ ଗୁଡିକ ସେତେଟା ଶକ୍ତ ନଥିବାରୁ ସାମାନ୍ୟ ଆଘାତରେ ଭାଙ୍ଗି ଚୂରମାର ହୋଇଯାଉଛି । ଏହା ଜାଣି ସୁଦ୍ଧା କେବଳ ଜୋରିମାନାରୁ ବର୍ତ୍ତିବା ପାଇଁ ଲୋକେ ଏହାକୁ କିଣି ନେଉଛନ୍ତି । ଏଥିପ୍ରତି ପୁଲିସର କାର୍ଯ୍ୟାନୁଷ୍ଠାନ ଶୂନ । ଫଳରେ ସହରର ରାସ୍ତା କଡରୁ ଆରମ୍ଭ କରି ଦୋକାନ ପର୍ଯ୍ୟନ୍ତ ସବୁଠି ମାଳମାଳ ଶସ୍ତା ତଥା ନକଲି ବ୍ରାଣ୍ଡର ହେଲମେଟ ବିକ୍ରି ହେଉଛି ।
୨୦୦୬ ମସିହାରେ ହେଲମେଟର ମାନ ନିର୍ଦ୍ଧାରଣ ଲାଗି ଆଇଏସଆଇ ମାର୍କ ଜାରି କରାଯାଇଥିଲା । ଆଇନ ଅନୁଯାୟୀ ଆଇଏସଆଇ ମାନ୍ୟତା ମିଳିନଥିଲେ କୌଣସି କଂପାନୀର ହେଲମେଟ ବ୍ୟବହାର ଯୋଗ୍ୟ ନୁହେଁ । ମାତ୍ର କଟକ ସହରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ସହରର ବାଦାମବାଡି, ଲିଙ୍କରୋଡ, କଲେଜଛକ, ବକ୍ସିବଜାର, ଓଏମପି ଓ ଦୋଳମୁଣ୍ଡାଇ ପ୍ରଭୃତି ଅଞ୍ଚଳରେ ମାଳମାଳ ନକିଲ ବ୍ରାଣ୍ଡର ହେଲମେଟ ବିକ୍ରି ହେଉଛି । ଏଠାରେ ମିଳୁଥିବା ହେଲମେଟ ଉପରେ ଆଇଏସଆଇ ଚିହ୍ନ ରହିଥିଲେ ବି ତାହା ସଂପୂର୍ଣ୍ଣ ନକଲି । ସାଧାରଣତଃ ଆଇଏସଆଇ ବ୍ରାଣ୍ଡ ଯୁକ୍ତ ଅସଲି ହେଲମେଟର ଦାମ ୧୦୦୦ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଏଠାରେ ୫୦ ପ୍ରତିଶତ କମ ଦରରେ ବିକ୍ରି ହେଉଛି । ସମାନ ଦର ଓ ଧରଣର ହେଲମେଟ ରିଂରୋଡ ପାର୍ଶ୍ୱ ଉଠା ଦୋକାନରେ ମଧ୍ୟ ମିଳୁଛି । ଦିଲ୍ଲୀ ଓ ଉତ୍ତରପ୍ରଦେଶରୁ ଖୁବ କମ ଦାମରେ ଆଣି ଏଠାରେ ବିକ୍ରି କରାଯାଉଛି । ତେବେ ଅସଲି ଅପେକ୍ଷା ଏହାର ଦାମ ଯଥେଷ୍ଟ କମ ଥିବାରୁ ଲୋକେ ଏହାକୁ କିଣି ନେଉଛନ୍ତି । ଯାହାକି ଜୀବନ ରକ୍ଷା କରିବା ପରିବର୍ତ୍ତେ ମୃତୁ୍ୟର କାରଣ ପାଲଟୁଛି । କାରଣ ଉକ୍ତ ହେଲମେଟ ଗୁଡିକୁ ଅତି ନିମ୍ନମାନର ଫ୍ଲାଷ୍ଟିକ ଓ ଫାଇବର ମିଶ୍ରିତ ଧାତୁରେ ତିଆରି ହେଉଛି । ହେଲମେଟ ଭିତର ପାର୍ଶ୍ୱରେ ସାଧାରଣ ଫୋମ ବା ସୋଲ ବ୍ୟବହାର କରାଯାଉଛି । ଏହି ହେଲମେଟ ଦୁର୍ଘଟଣା ସମୟରେ ସାମାନ୍ୟ ମାଡରେ ଭାଙ୍ଗି ଚୂରମାର ହୋଇଯାଉଛି । ଯଦ୍ୱାରା ଚାଳକଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିବାରୁ ସେ ମୃତୁ୍ୟ ମୁଖରେ ପଡୁଛନ୍ତି । ବିଗତ ଦିନରେ ଏଭଳି ଅନେକ ଘଟଣା ଘଟିଥିବା ନଜିର ରହିଛି । ଏହାସତ୍ତ୍ୱେ ଅଧିକାଂଶ ଲୋକେ ଶସ୍ତା ହେଲମେଟ ପ୍ରତି ବେଶୀ ଆଗ୍ରହ ରଖୁଛନ୍ତି । ତେବେ ନକଲି ତଥା ବିନା ଆଇଏସଆଇ ମାର୍କ ହେଲମେଟ ବିକ୍ରିକୁ ସଂପୂର୍ଣ୍ଣ ବନ୍ଦ ଲାଗି ପୋଲିସ ପକ୍ଷରୁ ଅନେକବାର ପ୍ରୟାସ ମଧ୍ୟ କରାଯାଇଥିଲା । ମାତ୍ର ତାହା ବିଶେଷ ଫଳପ୍ରଦ ହୋଇପାରିନାହିଁ ।