କରୋନାଠୁ ଆହୁରି ଭୟଙ୍କର
ରୁଷ୍ ପରୀକ୍ଷାଗାରରେ ମାରାତ୍ମକ ଭୂତାଣୁ ଉପରେ ଗବେଷଣା
ମସ୍କୋ, ୨ଠା୧୨: କରୋନା ମହାମାରୀ ଆତଙ୍କ ସମ୍ପୂର୍ଣ୍ଣ ହଟି ନ ଥିବାବେଳେ ରୁଷୀୟ ବୈଜ୍ଞାନିକମାନେ ଆଉ ଏକ ଭୟଙ୍କର ଭାଇରସ୍କୁ ପୁନର୍ଜୀବିତ କରିବା ଉପରେ ଗବେଷଣା ଚଳାଇଛନ୍ତି । ଯାହାଫଳରେ ବିଶ୍ୱ ଆଉ ଏକ ଭୟଙ୍କର ମହାମାରୀର ସମ୍ମୁଖୀନ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି ।
‘ଦ ସନ୍’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରୁଷୀୟ ବୈଜ୍ଞାନିକମାନେ ନିକାଞ୍ଚନ ସାଇବେରିଆ ସ୍ଥିତ ନୋଭୋସିବିର୍ସ୍କି ସହରରେ ଥିବା ପୂର୍ବତନ ଜୈବ ଅସ୍ତ୍ର ପ୍ରୟୋଗଶାଳାର ବୈଜ୍ଞାନିକ ଟିମ୍ ପ୍ରାୟ ୫ ଲକ୍ଷ ବର୍ଷ ତଳେ ନିଷ୍କ୍ରିୟ ହୋଇଥିବା ଭୂତାଣୁ ଉପରେ ଜୋରଦାର ଗବେଷଣା ଚଳାଇଛନ୍ତି । ଏହି ଭୂତାଣୁ ପ୍ରଭାବରେ ବହୁ ବଡ ବଡ ପ୍ରାଣୀ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଥିଲେ । ତୁଷାଚ୍ଛାଦିତ ଅଞ୍ଚଳରୁ ମିଳିଥିବା ହାତୀ ଶ୍ରେଣୀର (ମାମାଥ୍) ପ୍ରାଣୀଙ୍କ କଙ୍କାଳକୁ ନେଇ ଗବେଷଣା ଚାଲିଛି । ସଂରକ୍ଷିତ ହୋଇ ରହିଥିବା ହିମଯୁଗର ଏହିସବୁ ପ୍ରାଣୀଙ୍କ କଙ୍କାଳ ଏବଂ ଦେହାବଶେଷ ଉପରେ ଗବେଷଣା କରାଯାଉଛି । କେଉଁ କାରଣରୁ ବା ସଂକ୍ରମଣରୁ ଏମାନଙ୍କ ମୃତୁ୍ୟ ଘଟିଥିଲା ସେନେଇ ବ୍ୟାପକଭାବେ ଗବେଷଣା ଚାଲିଥିବା ରିପୋର୍ଟ ପ୍ରକାଶ ପାଇଛି । ଏହି ଖବର ପ୍ରସାରିତ ହେବା ପରେ ବିଶ୍ୱବ୍ୟାପୀ ବିଶେଷଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ମୃତ ପ୍ରାଣୀ ସମେତ ନିଷ୍କ୍ରିୟ ଭୂତାଣୁଙ୍କ ଉପରେ ଗବେଷଣା କରାଯିବା ଅତ୍ୟନ୍ତ ବିପଦ୍ଜନକ । ଯାହାର ପ୍ରଭାବ ଜୀବନ୍ତ ପ୍ରାଣୀଙ୍କ ପାଇଁ ମାରାତ୍ମକ ସାବ୍ୟସ୍ତ ହୋଇପାରେ ବୋଲି କୁହାଯାଇଛି । ଏକ୍ସ-ମାର୍ସିଲ୍ର ବିଶ୍ୱବିଦ୍ୟାଳୟସ୍ଥିତ ଜାତୀୟ ବୈଜ୍ଞାନିକ ଗବେଷଣା କେନ୍ଦ୍ରର ବିଶେଷଜ୍ଞ ପ୍ରଫେସର ଜିନ୍ ମିଚେଲ କ୍ଲାଭେରୀ କହିଛନ୍ତି ଯେ ଏହି ଭୂତାଣୁ ଉପରେ ଗବେଷଣା ସର୍ବାଧିକ ବିପଦ୍ଜନକ । କୌଣସି ଜୀବନ୍ତ ପ୍ରାଣୀର ରୋଗ ପ୍ରତିରୋଧକ ଶକ୍ତି ଏଭଳି ଭାଇରସ୍ର ମୁକାବିଲା କରିବାରେ ସମ୍ପୂର୍ଣ୍ଣ ଅକ୍ଷମ । ଏସବୁ ଭୂତାଣୁ ୨ ଲକ୍ଷରୁ ୪ ଲକ୍ଷ ବର୍ଷର ପୁରୁଣା ।
ଏହା ଉପରେ କୌଣସି ପୂର୍ବାନୁମାନ କରାଯିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ଉକ୍ତ ଗବେଷଣା କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ସର୍ବାଧିକ ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ସବୁକିଛି ଚାଲିଥିବାବେଳେ ୟୁକ୍ରେନ୍ ଆକ୍ରମଣ ପରଠାରୁ ରୁଷୀୟ ଗବେଷକ ଟିମ୍ ଏବଂ ପାଶ୍ଚାତ୍ୟ ବୈଜ୍ଞାନିକଙ୍କ ମଧ୍ୟରେ ଯୋଗାଯୋଗ ବିଫଳ ହୋଇଛି । ଅନେକ ଏହି ଗବେଷଣା କେନ୍ଦ୍ର ମାନବ ସ୍ୱାସ୍ଥ୍ୟ ପ୍ରତି ବିପଦ୍ଜନକ ବୋଲି ମନେ କରୁଛନ୍ତି । ଲଣ୍ଡନ ସ୍ଥିତ କିଙ୍ଗ୍ସ କଲେଜର ବାୟୋସିକୁ୍ୟରିଟି ବିଶେଷଜ୍ଞ ଫିଲିପ୍ ଲେଞ୍ଚ୍ ଚେତାବନୀ ଦେଇଛନ୍ତି ଯେ ସର୍ବାଧିକ ନିରାପତ୍ତା ମଧ୍ୟରେ ଥିବା ଲାବୋରେଟୋରୀରେ ମଧ୍ୟ ବେଳେ ବେଳେ ଜୀବନ୍ତ ପ୍ରାଣୀଙ୍କ ପାଇଁ ବିପଦ୍ଜନକ ସାବ୍ୟସ୍ତ ହୋଇଥାଏ । ସାଇବେରିଆସ୍ଥିତ ଲାବୋରେଟୋରୀରେ କ’ଣ ଚାଲିଛି ତାହା ଜାଣିବା ସମ୍ଭବପର ନୁହେଁ । ତେବେ ଏଠାରେ ଚାଲିଥିବା ଗବେଷଣା ଭବିଷ୍ୟତରେ ପ୍ରାଣୀଙ୍କ ପ୍ରତି ଗୁରୁତର ପ୍ରଭାବ ସୃଷ୍ଟି କରିବା କିଛି ଅସମ୍ଭବ ନୁହେଁ । ସର୍ବାଧିକ ସୁରକ୍ଷିତ ଥିଲେ ମଧ୍ୟ ଦୁର୍ଘଟଣା ଉପରେ ଆଗୁଆ କିଛି କୁହାଯାଇପାରିବ ନାହିଁ ବୋଲି ସେ କହିଛନ୍ତି ।
୨୦୧୯ ସେପ୍ଟେମ୍ବରରେ ନୋଭୋସିବିର୍ସ୍କି ଲାବୋରେଟୋରୀରେ ଗ୍ୟାସ୍ ବିସ୍ଫୋରଣ ଘଟିଥିଲା । ସେ ସମୟରେ ଏଠାରେ ବୁ୍ୟବେନିକ୍ ପ୍ଲେଗ୍, ଆନ୍ଥ୍ରାକ୍ସ ଓ ଏବୋଲା ଭଳି ମାରାତ୍ମକ ଭାଇରସ୍ ମହଜୁଦ୍ ଥିଲା । ଏହି ବିସ୍ଫୋରଣରେ ଜଣେ କର୍ମଚାରୀ ଗୁରୁତର ଆହତ ହୋଇଥିଲେ । ୨୦୦୪ରେ ମଧ୍ୟ ଇବୋଲା ଭାଇରସ୍ ଥିବା ଏକ ଲାବୋରେଟୋରୀରେ ବିସ୍ଫୋରଣ ଘଟି ଜଣେ କର୍ମଚାରୀ ପ୍ରାଣ ହରାଇଥିଲେ । ବସନ୍ତର ଭୂତାଣୁ ମହଜୁଦ ଥିବା ଦୁନିଆର ଦୁଇ ଲାବୋରେଟୋରୀ ମଧ୍ୟରେ ଏହା ଅନ୍ତର୍ଭୁକ୍ତ । ନୋଭୋସିବିର୍ସ୍କି ଲାବୋରେଟୋରୀରେ ଗବେଷଣା କରାଯାଉଥିବା ଜୀବାଷ୍ମ ୟାକୁଟିଆ ଅଞ୍ଚଳରେ ମିଳିଥିଲା । ମାଇନସ୍ ୫୫ ଡିଗ୍ରୀ ତାପମାତ୍ରାରେ ଏସବୁ ଜୀବାଷ୍ମ ରହିପାରିବ । ୟାକୁଟିଆ ଅଞ୍ଚଳରୁ ନିକଟରେ ଫରାସୀ ବୈଜ୍ଞାନିକମାନେ ପ୍ରାକ୍ ଐତିହାସିକ ଯୁଗର ଏକ ଡଜ୍ରୁ ଊଦ୍ଧ୍ୱର୍ ଭୂତାଣୁ ଆବିଷ୍କାର କରିଥିଲେ । ଏସବୁ ଭୂତାଣୁ ଘନ ବରଫାଦୃତ ଅଞ୍ଚଳରୁ ମିଳିଥିଲା । ଏହି ଭୂତାଣୁ ମଧ୍ୟରୁ ଗୋଟିଏ ହେଉଛି ପାଣ୍ଡୋରା ଭାଇରସ୍ ଇଡୋମା । ଯାହାକି ପ୍ରାକ୍ ଐତିହାସିକ ଘୋଡା, ଲୋମଷ ହାତୀ ଏବଂ ଅନ୍ୟାନ୍ୟ ଜୀବଙ୍କଠାରୁ ମିଳିଥିଲା ।