ରାଉରକେଲା ବିମାନବନ୍ଦରକୁ ଉଡ଼ାଣ ଅନୁମତି
ଭୁବନେଶ୍ୱର, ୨ଠା୧୨ (ବୁ୍ୟରୋ): ଆସନ୍ତା ଜାନୁଆରୀ ୧୩ରୁ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି । ରାଜଧାନୀ ଭୁବନେଶ୍ୱର ଏବଂ ରାଉରକେଲାରେ ହକିର ଏହି ମହାକୁମ୍ଭ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରସ୍ତୁତିପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରାଉରକେଲାରେ ହକି ଷ୍ଟାଡିୟମ ଏବଂ ବିମାନବନ୍ଦରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ମଙ୍ଗଳବାର ରାଉରକେଲା ବିମାନବନ୍ଦରକୁ ମିଳିଛି ବିମାନ ଉଡ଼ାଣ ଅନୁମତି । ବେସାମରିକ ବିମାନ ଚଳାଚଳ ନିଦେ୍ର୍ଦଶାଳୟ ବିମାନ ଉଡାଣ ଅନୁମତି ଦେବା ସହ ରାଉରକେଲା ବିମାନ ବନ୍ଦରକୁ ଗ୍ରେଡ ୨ବିରୁ ୨ସିକୁ ଉନ୍ନୀତ କରାଯାଇଛି ।
ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ ଏହି ବିମାନ ବନ୍ଦରର ବିକାଶ କରିବା ସହ ଏହାକୁ ୩ ବର୍ଷ ପର୍ଯ୍ୟନ୍ତ ପରିଚାଳନା କରିବ । ରାଜ୍ୟ ସରକାରଙ୍କ ଦ୍ୱାରା ରାଉରକେଲାରେ ଆୟୋଜିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପକୁ ଦୃଷ୍ଟିରେ ରଖି, ଫେବୃଆରୀ ୨୦୨୧ରେ ଆରସିଏସ ଉଡାନ ଯୋଜନା ଅନ୍ତର୍ଗତ ଏଟିଆର-୭୨/ କୁ୍ୟ-୪୦୦ ବିମାନ ଚଳାଚଳ ପାଇଁ ରାଉରକେଲା ବିମାନବନ୍ଦରକୁ କୋଡ୍ -୨ବିରୁ କୋଡ୍ -୩ସିକୁ ରୂପାନ୍ତରିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ପ୍ରସ୍ତାବରେ ରନ୍ୱେର ସମ୍ପ୍ରସାରଣ, ଏଟିସି ଟାୱାର ନିର୍ମାଣ, ଟ୍ୟାକ୍ସିୱେ, ନୂତନ ଶୌଚାଳୟ ବ୍ଲକ ଏବଂ ଟର୍ମିନାଲ୍ ବିଲଡିଂ ନିର୍ମାଣ କାର୍ଯ୍ୟ କରାଯାଇଛି ।
ସୂଚନାଯୋଗ୍ୟ, ରାଉରକେଲା ବିମାନ ବନ୍ଦର ଇସ୍ପାତ ସହର ରାଉରକେଲାଠାରୁ ୬ କିଲୋମିଟର ଦୂର ପଶ୍ଚିମ ଦିଗରେ ଥିବା ଛେଣ୍ଡ କଲୋନୀ ନିକଟରେ ଅବସ୍ଥିତ । ଏହା ଭାରତୀୟ ଇସ୍ପାତ ପ୍ରାଧିକରଣଙ୍କ ମାଲିକାନାରେ ଥିବା ଏକ ବେସାମରିକ ବିମାନବନ୍ଦର । ବିମାନବନ୍ଦରଟି ପ୍ରାୟତଃ ରାଉରକେଲାକୁ ପରିଦର୍ଶନରେ ଆସୁଥିବା ମାନ୍ୟଗଣ୍ୟ ବ୍ୟକ୍ତି, ବିଶେଷକରି ଇସ୍ପାତ ପ୍ରାଧିକରଣଙ୍କ ଉଚ୍ଚ ଅଧିକାରୀ ଏବଂ ଅନ୍ୟାନ୍ୟ ଅତି ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ବ୍ୟବହୃତ ହୁଏ । ଏହାକୁ ବିମାନବନ୍ଦର ପ୍ରାଧିକରଣଙ୍କ କର୍ତ୍ତୃତ୍ୱକୁ ଆଣି ସର୍ବସାଧାରଣ ବ୍ୟବହାର କରିବାକୁ ବିମାନବନ୍ଦରର ଯାତ୍ରୀ ଟର୍ମିନାଲକୁ ନବୀକରଣ କରାଯାଇଛି । ଇସ୍ପାତ କାରଖାନା ନିର୍ମାଣ ସମୟରେ ନିର୍ମିତ ହୋଇଥିଲା ରାଉରକେଲା ବିମାନ ଘାଟୀ । ଏଠାରୁ କେନ୍ଦ୍ର ସରକାରଙ୍କ “ଉଡ଼ାଣ ଯୋଜନାରେ ନିୟମିତ ଉଡ଼ାଣ ଆରମ୍ଭ ହେଉଛି । ବିମାନବନ୍ଦରକୁ ବାଣିଜି୍ୟକ ବ୍ୟବହାର ପାଇଁ ଲାଇସେନ୍ସ ମିଳିସାରିଛି । ଏବେ ରନୱେର ଲମ୍ବ ରହିଛି ୬,୦୦୦ ଫୁଟ, କିନ୍ତୁ ଏହାକୁ ୬,୩୩୦ ଫୁଟ (୧,୯୩୦ ମିଟର) ପର୍ଯ୍ୟନ୍ତ ବଢ଼ାଯିବା ସହ ରାତ୍ରିକାଳୀନ ଉଡ଼ାଣ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହା ଅଳ୍ପଦିନ ତଳେ ପର୍ଯ୍ୟାୟରୁ ପର୍ଯ୍ୟାୟ ବିମାନ ବନ୍ଦରକୁ ଉନ୍ନିତ ହୋଇଛି । ଫଳରେ ଏଠାରେ ବୋଇଙ୍ଗ ୭୩୭ ଓ ୭୬୭ ଜେଟ ବିମାନର ଉଡ଼ାଣ ଓ ଅବତରଣ ସମ୍ଭବ ହେବ ।