ଆଜିଠୁ ଭିତରକନିକାରେ ଡଲଫିନ୍ ଗଣନା
ରାଜନଗର (ଆପ୍ର): ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥାରେ ଚଳିତମାସ ୨୧ ତାରିଖ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଡଲଫିନ୍ ଗଣନା କରାଯିବ । ଏ ନେଇ ୯ଟି ଟିମ୍ ଡଲଫିନ୍ ଗଣନା କରିବେ । ଧାମରା ମୁହାଁଣ ଠାରୁ ଦେବୀ ମୁହାଁଣ ଯାଏଁ ସମୁଦ୍ର ମଧ୍ୟରେ ଓ ଭିତରକନିକା ମଧ୍ୟରେ ଥିବା କ୍ରିକ୍ ଓ ନଦୀରେ ଗଣନା କରାଯିବ ବୋଲି ରାଜନଗର ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗୁପ୍ତି ବନବିଭାଗ ପାନ୍ଥଶାଳାରେ ଏ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଡଲଫିନ୍ ବିଶେଷଜ୍ଞ ଡ. ଶିବ ପ୍ରସାଦ ପରିଡା, ଭକ୍ତ ପଦାରବିନ୍ଦ ରଥ, ନିମାଇଁ ଚରଣ ପଲାଇ ପ୍ରମୁଖ ଯୋଗଦେଇ ଡଲଫିନ୍ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ଉପସ୍ଥାନ କରିବା ସହ ଗଣନା ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ ।
ସୂଚନାଯୋଗ୍ୟ, ପୂର୍ବରୁ କେବଳ ଚିଲିକାରେ ଡଲ୍ଫିନ୍ ଗଣନା କରାଯାଉଥିଲା । ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗର ନିଷ୍ପତି କ୍ରମେ ୨୦୧୫ରୁ ଡଲ୍ଫିନ୍ ଗଣନା କରାଯାଉଛି । ଭିତରକନିକାରେ ଡଲ୍ଫିନ୍ ଗଣନା ପାଇଁ ଚଳିତବର୍ଷ ୯ଟି ଟିମ୍ ଗଠନ କରାଯାଇଛି । ଆଉଟର୍ ହୁଇଲର୍ ରୁ ଚିଂଚିରି ମାଉଥ୍, ବରୁଣେଇ ରୁ ପାରାଦୀପ, ହଂସିଣା ବ୍ରିଜ୍ରୁ ମାଇପୁରା ମାଉଥ୍, ରାଜନଗର ହଂସୁଆ ନଦୀରୁ ଖୋଳା, ଖୋଳାରୁ ଧାମରା ମାଉଥ୍ ଭାୟା ନଳିତାପାଟିଆ, କାଳିଭଂଜଡିଆଁ, ଜମ୍ବୁ ଖରନାସିରୁ ହୁକିଟେଲା, ପାରାଦୀପରୁ ଜଟାଧାର ମୁହାଁଣ ଓ ଦେବୀ ମୁହାଁଣରୁ ଜଟାଧାର ମୁହାଁଣ ଯାଏଁ ୯ଟି ଗ୍ରୁପରେ ବିଭକ୍ତ ହୋଇ ଡଲ୍ଫିନ୍ ଗଣନା କରାଯିବ ବୋଲି ରାଜନଗର ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବ ସୂଚନା ଦେଇଛନ୍ତି । ପ୍ରତି ଗ୍ରୁପରେ ୩ ରୁ ୫ ଜଣ ଲେଖାଏଁ ଗଣାନାକାରୀ ରହିବେ । ସମୁଦ୍ର ମଧ୍ୟରେ ୫ଟି ଟିମ୍ ଓ ନଦୀ, କ୍ରୀକ୍ରେ ୪ଟି ଟିମ୍ ଡଲ୍ଫିନ୍ ମାନଙ୍କର ଗଣନା କରିବେ । ଭିତରକନିକା ସଲଗ୍ନ ନଦୀ, କ୍ରିକ୍ ଓ ସମୁଦ୍ରରେ ଇରାୱାର୍ଡ, ବଟଲ୍ନୋଜ୍, ହମ୍ପବ୍ୟାକ୍, ଫିନ୍ଲେସ୍ ପରିପଏସ୍ ଓ ଗାଙ୍ଗେଟିକ୍ ପ୍ରଭୃତି ୫ ପ୍ରଜାତିର ଡଲ୍ଫିନ୍ ଦେଖାଯାନ୍ତି । ଏମାନଙ୍କ ଗଣନା କରାଯିବା ସହିତ ଇଣ୍ଡିଆ ଉପକୂଳରେ ଦେଖାଯାଉଥିବା ରିସୋସ୍ ଓ ସ୍ପିନ୍ର ଜାତୀୟ ଡଲ୍ଫିନ୍ ଅଛନ୍ତି କି ନାହିଁ ଦେଖାଯିବ । ଏହା ବାଦ୍ ଏହି ସମୁଦ୍ରରେ ଗଣନା ସମୟରେ ତିମି ମାଛ ଦେଖାଗଲେ ସେମାନଙ୍କ ଗଣନା ମଧ୍ୟ କରାଯିବ । ଏଠାରେ ସୂଚନାଯୋଗ୍ୟ ଯେ, ଚିଲିକା ଅଞ୍ଚଳରେ କେବଳ ଇରାୱାର୍ଡି ପ୍ରଜାତିର ଡଲ୍ଫିନ୍ ଦେଖାଯାଆନ୍ତି । ପ୍ରତ୍ୟେକ ଗଣନା ଟିମ୍ ସଦସ୍ୟମାନଙ୍କୁ ଗଣନାରେ ସହାୟତା ପାଇଁ ବୋଟ୍ ସହିତ ବାଇନାକୁଲାର, ଜିପିଏସ୍, ହ୍ୟାଣ୍ଡସେଟ କ୍ୟାମେରା, ହ୍ୟାଣ୍ଡିକ୍ୟାମ୍ ପ୍ରଭୃତି ଉପକରଣ ବନବିଭାଗ ଯୋଗାଇ ଦିଆଯିବ । ଏହି ପ୍ରଶିକ୍ଷଣ ଶିବିରରେ ଅତିରିକ୍ତ ବନସଂରକ୍ଷିକା ପୂର୍ଣ୍ଣିମା ହୀରା ହାଁସଦା, ରାଜନଗର ରେଞ୍ଜ ଅଫିସର ଚିତ ରଞ୍ଜନ ବେଉରା, ଗହୀରମଥା ରେଞ୍ଜ ଅଫିସର ମାନସ କୁମାର ଦାସ, ଗବେଷକ ପ୍ରସନ୍ନ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ ।