ସ୍ଥିତି ଅନୁଧ୍ୟାନ କଲେ ଏନ୍ଏମ୍ଏ ଅଧ୍ୟକ୍ଷ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ
ପୁରୀ (ବୁ୍ୟରୋ): ବହୁ ବାଦବିବାଦ ମଧ୍ୟରେ ଜାରି ରହିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ସୁପି୍ରମକୋର୍ଟ ରାୟ ଦେବାପରେ କାର୍ଯ୍ୟ ଜୋର୍ସୋରରେ ଜାରି ରହିଛି । ମଙ୍ଗଳବାର ଏନ୍ଏମ୍ଏର ଅଧ୍ୟକ୍ଷ କିଶୋର କୁମାର ବାର୍ସା ପୁରୀ ଗସ୍ତରେ ଆସି ପ୍ରଥମେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଆଶିଷ ଗ୍ରହଣ କରିଥିଲେ । ପରେ ପରେ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ । ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଆୟୋଜିତ ବୈଠକରେ ଯୋଗ ଦେଇଥିଲେ ।
ବୈଠକ ଶେଷ ହେବା ପରେ ଅଧ୍ୟକ୍ଷ ଶ୍ରୀ ବାର୍ସା ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଏନ୍ଏମ୍ଏ ମନୁମେଣ୍ଟ ପକ୍ଷରୁ କାର୍ଯ୍ୟର ସ୍ଥିତି ଦେଖିବାକୁ ଆସିଥିଲି । କାର୍ଯ୍ୟ ଦେଖିବା ପରେ ଏନେଇ ବିସ୍ତୃତ ଭାବେ ଶ୍ରୀମନ୍ଦିର ପ୍ରଶାସକ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛି । ତତ୍ସହିତ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ରହିଥିବା ବିଭିନ୍ନ ମଠର ମଠାଧିଶମାନଙ୍କ ସହ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛି । ଏକ ରିପୋର୍ଟ ପ୍ରସ୍ତୁତ କରି ବରିଷ୍ଠ ଅଧିକାରୀଙ୍କୁ ପ୍ରଦାନ କରାଯିବ । ସେମାନେ ଏହି କାର୍ଯ୍ୟ ଉପରେ କ’ଣ ନିଷ୍ପତ୍ତି ଗ୍ରହଣ କରିବେ ତାହା ପରେ ସ୍ପଷ୍ଟ ହେବ ।
ଅନ୍ୟପକ୍ଷରେ କାର୍ଯ୍ୟ ସମ୍ପର୍କରେ ସେ କୌଣସି ମତାମତ ସ୍ପଷ୍ଟ କରି ନ ଥିଲେ । ଶ୍ରୀମନ୍ଦିର କାର୍ଯ୍ୟାଳୟ ଉଚ୍ଚତା ୧୩ମିଟର ବୃଦ୍ଧି କରାଯିବ । ତାହା ଶହେ ମିଟର ବାହାରେ ନିର୍ମାଣ କରାଯିବ ବୋଲି ଆଲୋଚନା ହୋଇଛି । ଶହେ ମିଟର ବାହାରେ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ୧୪ଟି ଓ ଓଡ଼ିଶା ମନ୍ଦିର ଶୈଳୀରେ ଶ୍ରୀମନ୍ଦିରର ୭୫ମିଟର ପରିସରରେ ୨୦ଟି ମଠର ବିକାଶ ଓ ସୌନ୍ଦର୍ଯ୍ୟକରଣ କରାଯିବ । କ୍ଷତିଗ୍ରସ୍ତ ମଠଗୁଡ଼ିକ ୭ ଦିନ ମଧ୍ୟରେ ସେମାନଙ୍କ ପ୍ରକଳ୍ପ ରିପୋର୍ଟ ଏନ୍ଏମ୍ଏକୁ ଦେବେ ବୋଲି ଜଣାପଡ଼ିଛି । ଅନ୍ୟପଟରେ ନିଷିଦ୍ଧାଞ୍ଚଳ ପରେ ଥିବା ରେଗୁଲେଟେଡ୍ ଅଞ୍ଚଳରେ ସୂଚନାକେନ୍ଦ୍ର, ଡୋନେସନ୍ ସେଲ, ଆଶୁ ଚିକିସôା କେନ୍ଦ୍ର, ପୁଲିସ ସର୍ଭିସ୍ ସେଣ୍ଟର ଓ ଏଟିଏମ୍ ନିର୍ମାଣ କାର୍ଯ୍ୟ ଜାରି ରହିଛି ।
ସୂଚନାଥାଉକି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ଲାଗି ମେଘନାଦ ପାଚେରି ଠାରୁ ଶହେ ମିଟର ପରିସରରେ ପ୍ରଶାସନ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଥିଲା । ଏପରିକି ଉକ୍ତ ଅଞ୍ଚଳରେ ବିରାଟକାୟମାନ ଗାତ ଖୋଳି କଂକ୍ରିଟ୍ କାର୍ଯ୍ୟ ଆରମ୍ଭ ହୋଇଥିଲା । ଯାହାକୁ ନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିରୋଧ ହୋଇଥିଲା । ଏହାକୁ ନେଇ ମଧ୍ୟ କୋର୍ଟରେ ଅଭିଯୋଗ ହେବାସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏନ୍ଏମ୍ଏ ନିୟମ ଅନୁଯାୟୀ ଶହେ ମିଟର ପରିସରରେ କୌଣସି କଂକ୍ରିଟ୍ ନିର୍ମାଣ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ନିୟମ ରହିଛି । କିନ୍ତୁ ତାହାକୁ ଅଣଦେଖା କରି ପ୍ରଶାସନ ପକ୍ଷରୁ ଶହେ ମିଟର ପରିସର ମଧ୍ୟରେ ନିର୍ମାଣ କାର୍ଯ୍ୟ ଜାରି ରହିଥିଲା ।