ଟନ୍ଟନ୍ କୋଇଲା ବାହାରକୁ ଚାଲାଣ

ଦିନ ଦ୍ୱିପ୍ରହରେ କୋଇଲା ଚୋରି
ତିହିଡି (ଆପ୍ର): କୋଇଲା ଚୋରି ନେଇ ପୁଣି ଚର୍ଚ୍ଚାରେ ପାଳିଆବିନ୍ଧା ଓ ନୂଆନନ୍ଦ । ଭଦ୍ରକରୁ ଧାମରା ପର୍ଯ୍ୟନ୍ତ ଲମ୍ବିଥିବା ଆଦାନୀ ଧାମରା ବନ୍ଦର ରେଳପଥରେ ଉଭରଲୋଡିଂ ହୋଇ କୋଇଲା ପରିବହନ ହେଉଛି । ଗ୍ରାମ ନିକଟରେ ରେଳପଥ ଯାଇଥିବାରୁ କିଛି ଅସାଧୁ ବ୍ୟକ୍ତିମାନେ ଚଳନ୍ତା ଟ୍ରେନ୍ରୁ ଅଙ୍କୁଡ଼ା ଲଗାଇ କୋଇଲା କାଢ଼ୁଥିବା ଅନେକ ସମୟରେ ଅଭିଯୋଗ ହେଉଛି । ଏହିଭଳି ଦୈନିକ ଟନ୍ ଟନ୍ କୋଇଲା କଢ଼ାଯାଉଥିବା ବେଳେ କୋଇଲା ମାଫିଆମାନେ ଶାଗମାଛ ଦରରେ କୋଇଲା ଚୋରଙ୍କ ଠାରୁ କୋଇଲା କିଣି ଚଢ଼ା ଦରରେ ବାହାରକୁ ଚାଲାଣ କରୁଛନ୍ତି । ଚୋରି କରୁଥିବା ବେଳେ ଧରାପଡ଼ିଲେ ସ୍ଥାନୀୟ ନେତାଙ୍କ ବଳରେ ଖସିଆସି ପୁନର୍ବାର ଏହି କାମରେ ଲିପ୍ତ ହୋଇଥାନ୍ତି । ବିଭିନ୍ନ ସମୟରେ ଚୋରଙ୍କ ଏହି କାମରେ ନେତାଙ୍କ ସମ୍ପୃକ୍ତି ରହୁଥିବା ଅଭିଯୋଗ ହେଉଛି । ଏଭଳି କାର୍ଯ୍ୟକୁ ନେଇ ଏବେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।
ନିକଟରେ ବିଭିନ୍ନ ଥାନାରେ କୋଇଲା ଚୋରିରେ ସଂପୃକ୍ତି ଥିବା ମାଫିଆ ପିଙ୍କୁୁ ମହାପାତ୍ର ଗିରଫ୍ ହେବା ପରେ ନେତାଙ୍କ ମଧ୍ୟରେ ଛନକା ପଶିଛି । ଅଭିଯୁକ୍ତ ଜଣକ ବିଭିନ୍ନ ରାଜନେତାଙ୍କ ସହିତ ମିଳାମିଶା କରୁଥିବା ଫଟୋ ସୋସିଆଲ ମଡ଼ିଆରେ ଭାଇରାଲ ହେଉଛି । ଭଦ୍ରକ ଜିଲ୍ଲାରେ କୋଇଲା ଚୋରିକୁ ସମୂଳେ ବନ୍ଦ କରିବାର ନାରା ଦିଆଯାଇଥିଲା । ବାଂଶଡ଼ା ଠାରୁ ଆରମ୍ଭ କରି ପୀରହାଟ, ତିହିଡି ଓ ସାବରଙ୍ଗ ଥାନା ପୁଲିସକୁ ଏନେଇ କଡ଼ା ନିଦେ୍ର୍ଦଶ ହୋଇଛି । ମାତ୍ର ପ୍ରତ୍ୟେକ ଦିନ ପାଳିଆବିନ୍ଧା ଓ ନୂଆନନ୍ଦ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଚଳନ୍ତା ଟ୍ରେନ୍ରୁ କୋଇଲା କଢ଼ା ଯାଉଥିବା ବେଳେ ପୁଲିସ୍ର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦିନ ଦ୍ୱିପ୍ରହରରେ ୪ରୁ ୧୦ ଚକିଆ ଯାନରେ ଦୈନିକ ଟ୍ରିପ୍ ଟ୍ରିପ୍ କୋଇଲା ବାହାରକୁ ଚାଲାଣ କରାଯାଉଛି । ଏଥିରେ ସ୍ଥାନୀୟ କୁଜି ନେତାଙ୍କ ସମେତ ପ୍ରଶାସନିକ କର୍ମଚାରୀମାନେ ସାମିଲ ଥିବା କୁହାଯାଉଛି । ଏଠାରେ ସୂଚନା ଥାଉକି, ରେଲୱେ ପୁଲିସ ଓ ସ୍ଥାନୀୟ ଥାନା କର୍ମଚାରୀମାନେ କୋଇଲା ଚୋରି ରୋକିବା ଲାଗି ପ୍ରୟାସ ଜାରି ରଖିଥିବା ସତ୍ତ୍ୱେ କୋଇଲା ଚୋରି ବୃଦ୍ଧି ପାଉଛି । ଆରପିଏଫ୍ ଏସ୍ଆଇ ସୁଶାନ୍ତ ବେହେରାଙ୍କ ସମୟରେ ବହୁ କୋଇଲା ମାଫିଆ ଗିରଫ ହେବା ସହ ଗାଡ଼ି ଜବତ ହୋଇଥିଲା । ମାତ୍ର ୧୦ ମାସ ହେବ ତାଙ୍କ ଅନ୍ୟତ୍ର ବଦଳି ପରେ ପୁଣି ଚୋରଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । ଏପରିସ୍ଥଳେ ଚୋରା କୋଇଲା ମୁକ୍ତ ଅଞ୍ଚଳ ଗଠନ କରିବାର ନାରା ଦେଉଥିବା ପ୍ରଶାସନ କେତେ ଦୂର ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *