ଛୟାଳସିଂ ପ୍ରାଣୀଧନ ନିରୀକ୍ଷଣ କେନ୍ଦ୍ରରେ ୨୪ ଘଣ୍ଟା ତାଲା
ବନ୍ତ (ଆପ୍ର): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଗୋ ସମ୍ପଦ ଓ ପ୍ରାଣୀର ଚିକିତ୍ସା ପାଇଁ ପ୍ରତି ପଞ୍ଚାୟତରେ ନିର୍ମାଣ ହୋଇଛି ପ୍ରାଣୀଧନ କେନ୍ଦ୍ର । ମାତ୍ର କର୍ମଚାରୀ ଅଭାବରୁ କେନ୍ଦ୍ରରେ ପଡ଼ିରହିଛି ତାଲା । ବନ୍ତ ବ୍ଲକ୍ ଛୟାଳସିଂ ପଞ୍ଚାୟତ ଅଫିସ ନିକଟରେ ଥିବା ପ୍ରାଣୀଧନ ନିରୀକ୍ଷଣ କେନ୍ଦ୍ରରେ କର୍ମଚାରୀ ନଥିବାରୁ ୨୪ ଘଣ୍ଟିିଆ ବନ୍ଦ ରହୁଛି କେନ୍ଦ୍ର । କିଛି ବର୍ଷ ପୂର୍ବେ ଲକ୍ଷଧିକ ଟଙ୍କାରେ ନିର୍ମାଣ ହୋଇଥିବା କେନ୍ଦ୍ର ଏବେ ଭୂତ କୋଠି ପାଲଟିଛି । ଏବେ ଗୋରୁ ଗାଈ ଫାଟୁଆ ଓ ଚର୍ମବିଣ୍ଡି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ଅଭାବରୁ ବିଭିନ୍ନ ଗ୍ରାମରେ ଗୋ ମଡ଼କ ପଡ଼ିଥିବା ବେଳେ ଉକ୍ତ କେନ୍ଦ୍ରରେ ତାଲା ପଡ଼ିଥିବା ନେଇ ଜନଅସନ୍ତୋଷ ବୃଦ୍ଧି ପାଇଛି ।
ବିଶେଷ କରି ଏହି ପଞ୍ଚାୟତରେ ଗୋପାଳପୁର, ବରହମପୁର, ପଳସା ଆଦି ଗ୍ରାମ ରହିଛି । ଉକ୍ତ ଗ୍ରାମରେ ବହୁ ଚାଷୀ ଥିବା ବେଳେ ସେମାନେ ଚାଷ କାର୍ଯ୍ୟ ଠାରୁ ଆରମ୍ଭ କରି ବିଲରେ ଖତ ପକାଇବା ପାଇଁ ଗୋ ସମ୍ପଦ ଉପରେ ନିର୍ଭର କରିଥାନ୍ତି । ଗୋ ମଡ଼କ ନେଇ ଏବେ ଚିନ୍ତାରେ ଚାଷୀ । ଉକ୍ତ କେନ୍ଦ୍ରରେ ପଶୁ ଡାକ୍ତର ସମେତ ଅନ୍ୟ କର୍ମଚାରୀ ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଏହାର ଫାଇଦା ନେଇ କିଛି ଅସାଧୁ ବ୍ୟକ୍ତ ନିଜକୁ ଡାକ୍ତର କହି ଚିକିତ୍ସା ନାଁରେ ନିରୀହ ଚାଷୀଙ୍କ ଠାରୁ ହଜାର ହଜାର ଟଙ୍କା ଲୁଟୁଥିବା ବାରମ୍ବାର ଅଭିଯୋଗ ହେଉଛି । ଏହି କେନ୍ଦ୍ରରେ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦେବାକୁ ପ୍ରଶାସନ ପାଖରେ ଗ୍ରାମବାସୀ ଦାବି କରିଛନ୍ତି ।