ବାଦ୍ ପଡ଼ିଲେ ରୋହିତ ଓ ସାଇନୀ

ଭାରତ-ବାଂଲାଦେଶ ଦ୍ୱିତୀୟ ଟେଷ୍ଟ
ମୁମ୍ବାଇ, ୨୦ା୧୨ (ଏଜେନ୍ସି): ଭାରତୀୟ ଅଧିନାୟକ ରୋହିତ ଶର୍ମା ଅଙ୍ଗୁଳି ଆଘାତରୁ ଏ ଯାବତ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରି ନାହାନ୍ତି । ସେ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ପରେ ଦ୍ୱିତୀୟ ଟେଷ୍ଟରୁ ବି ବାଦ୍ ପଡ଼ିଛନ୍ତି । ସେହିପରି ଦ୍ରୁତ ବୋଲର୍ ନବଦୀପ ସାଇନୀ ମଧ୍ୟ ମାଂସପେଶୀଜନିତ ଯନ୍ତ୍ରଣା ଯୋଗୁଁ ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି ।
ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସ୍ପଷ୍ଟ କରିଛି ଯେ ରୋହିତ ଶର୍ମା ଓ ନବଦୀପ ସାଇନୀ ଦ୍ୱିତୀୟ ଟେଷ୍ଟ ଖେଳିବ ନାହିଁ । ଏହା ସହିତ ବିସିସିଆଇ ଦ୍ୱିତୀୟ ମ୍ୟାଚ୍ ପାଇଁ ଅପ୍ଡେଟେଡ୍ ଟିମ୍ ତାଲିକା ମଧ୍ୟ ଜାରି କରିଛି । ଅନ୍ୟ ସମସ୍ତ ଖେଳାଳି ଟିମ୍ରେ ଅପରିବର୍ତ୍ତିତ ଅଛନ୍ତି । ଡିସେମ୍ବର ୨୨ରୁ ଢାକାର ମୀରପୁର ଠାରେ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ । ଭାରତ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହୋଇଛି ।
ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆ ସମୟରେ ବାମ ବୃଦ୍ଧାଙ୍ଗୁଳିରେ ଆଘାତ ପରେ ରୋହିତ ମୁମ୍ବାଇ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହାପରେ ସେ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଥିଲେ । ସୋମବାର ଏକ କ୍ରିକେଟ୍ ୱେବ୍ସାଇଟ୍ରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ ସେ ଦ୍ୱିତୀୟ ଟେଷ୍ଟ ଖେଳିବା ପାଇଁ ଢାକା ଯିବେ ନାହିଁ । ତାଙ୍କ ବୃଦ୍ଧାଙ୍ଗୁଳି ସମ୍ପୂର୍ଣ୍ଣ ଠିକ୍ ହୋଇ ନାହିଁ ।
ରୋହିତ ଶର୍ମା ଯଦି ଫିଟ୍ ଥା’ନ୍ତେ, ତା’ହେଲେ ଦ୍ୱିତୀୟ ଟେଷ୍ଟ ନିଶ୍ଚୟ ଖେଳିଥା’ନ୍ତେ । ତାଙ୍କ ପାଇଁ ପ୍ରଥମ ଟେଷ୍ଟ ଖେଳିଥିବା କୌଣସି ଖେଳାଳିଙ୍କୁ ସ୍ଥାନ ଖାଲି କରିବାକୁ ପଡ଼ିଥା’ନ୍ତା । ରୋହିତ ବାଦ୍ ପଡ଼ିବା ପରେ ଦ୍ୱିତୀୟ ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶ ଅପରିବର୍ତ୍ତିତ ରହିପାରେ ।
ଏନ୍ସିଏ ଯିବେ ସାଇନୀ
ସାଇନୀ ମାଂସପେଶୀଜନିତ ଯନ୍ତ୍ରଣା ଭୋଗୁଛନ୍ତି । ବିସିସିଆଇର ମେଡିକାଲ୍ ଟିମ୍ ତାଙ୍କୁ ଟେଷ୍ଟ ମ୍ୟାଚ୍ ନ ଖେଳିବାକୁ ପରାମର୍ଶ ଦେଇଛି । ମେଡିକାଲ୍ ଟିମ୍ର ପରାମର୍ଶରେ ମ୍ୟାନେଜ୍ମେଣ୍ଟ ତାଙ୍କୁ ବେଙ୍ଗାଲୁରୁସ୍ଥିତ ନାସ୍ନାଲ୍ କ୍ରିକେଟ୍ ଏକାଡେମୀ ପଠାଇବ । ଏନ୍ସିଏରେ ତାଙ୍କ ଫିଟ୍ନେସ୍ ଉପରେ କାମ କରାଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *