ସୀମାରେ ଡ୍ରାଗନ୍ ଡ୍ରୋନ୍, ଜେଟ୍

ତୱାଙ୍ଗ୍ ସଂଘର୍ଷ ପରେ ଚୀନ୍ ସେନା ଚଳଚଞ୍ଚଳ
ନୂଆଦିଲ୍ଲୀ(ଏଜେନ୍ସି): ଡିସେମ୍ବର ୯ରେ ଅରୁଣାଚଳର ତୱାଙ୍ଗ୍ ଅଞ୍ଚଳରେ ଭାରତୀୟ ସେନା ଏବଂ ଚୀନ୍ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା । ତେବେ ଏହି ଘଟଣା ପରେ ପରେ ଚୀନ୍ ଏବେ ଉତ୍ତର-ପୂର୍ବ ସୀମାରେଖାରେ ଥିବା ଏୟାରବେସ୍ରେ ସେନା ଆକ୍ଟିଭିଟିକୁ ବୃଦ୍ଧି କରିଛି । ମିଡିଆ ରିପୋର୍ଟସ୍ ଅନୁସାରେ ସଂଘର୍ଷ ପରେ ଶକ୍ତିଶାଳୀ କ୍ୟାମେରା ଖଚିତ ଉପଗ୍ରହ ଦ୍ୱାରା ଉତ୍ତୋଳିତ ଫଟୋଚିତ୍ର ଏବେ ସାମ୍ନାକୁ ଆସିଛି । ଏଥିରୁ ଚୀନ୍ର ଡ୍ରାଗନ୍ ସେନା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଯୁଦ୍ଧ ଭଳି ସଜବାଜ କରୁଥିବା ନେଇ ସ୍ପଷ୍ଟ ପ୍ରମାଣ ମିଳିଛି ।
ଚୀନ୍ ପକ୍ଷରୁ ସୀମାନ୍ତବର୍ତ୍ତୀ ବାଙ୍ଗଦା ଏୟାରବେସ୍ରେ ଫାଇଟର ଜେଟ୍ସ (ଲଢ଼ୁଆ ଯୁଦ୍ଧ ବିମାନ) ଏବଂ ସୋରିଂ ଡ୍ରାଗନ୍ ଡ୍ରୋନ୍ ସଂଖ୍ୟାକୁ ବ୍ୟାପକ କରିଦିଆଯାଇଛି । ଏସବୁ ସାଟେଲାଇଟ୍ ଫଟୋଚିତ୍ରରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି । ଏତଦ୍ବ୍ୟତୀତ ଏଠାରେ ଚୀନ୍ ସେନା ପକ୍ଷରୁ ଏକାଧିକ ଅସ୍ଥାୟୀ ଶିବିର ମଧ୍ୟ ପ୍ରସ୍ତୁତ କରାଯାଇଛି । ପ୍ରକାଶ, ଚୀନ୍ର ଏହି ବାଙ୍ଗଦା ଏୟାରବେସ୍ ଅରୁଣାଚଳ ସୀମା ଠାରୁ ମାତ୍ର ୧୫ଠ କିମି ଦୂରରେ ଅବସ୍ଥିତ ରହିଛି ।
ଏହା ପୂର୍ବରୁ ୧୧ ଡିସେମ୍ବରରେ ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍ର ୱେବସାଇଟ୍ ୱାର ଜୋନ୍ ପକ୍ଷରୁ କିଛି ସାଟେଲାଇଟ୍ ଫଟୋଚିତ୍ରକୁ ଜାରି କରାଯାଇଥିଲା । ଯେଉଁଥିରେ ତିବ୍ବତର ଶିଗାଚ୍ଛେ ପିସ୍ ଏୟାରପୋର୍ଟରେ ଚୀନ୍ର ୧ଠ ଏୟାରକ୍ରାଫ୍ଟ ଏବଂ ୭ ଡ୍ରୋନ୍ ମୁତୟନ ରହିଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା । ତିବ୍ବତତରେ ନିୟିଙ୍ଗ୍ଚି, ଶିଗାଚ୍ଛେ ଏବଂ ନାଗରି ଆଦି ଅଞ୍ଚଳରେ ଚୀନ୍ର ୫ ଏୟାରପୋର୍ଟ ରହିଛି । ସବୁଠୁ ବଡ଼ କଥା ହେଉଛି, ଏସବୁ ଏୟାରବେସ୍ଗୁଡ଼ିକ ଭାରତ-ନେପାଳ ସୀମାରେଖା ଠାରୁ ଅତ୍ୟନ୍ତ ନିକଟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ରହିଛି । ସୂଚନାଯୋଗ୍ୟ, ଗତବର୍ଷ ଲହାସାରୁ ନିୟିଙ୍ଗ୍ଚି ପର୍ଯ୍ୟନ୍ତ ଚୀନ୍ ବୁଲେଟ୍ ଟ୍ରେନ୍ ଚଳାଚଳ ଆରମ୍ଭ କରିଥିଲା । ଏହା ମଧ୍ୟ ଅରୁଣାଚଳ ସୀମାକୁ ଲାଗି କରି ରହିଛି । ପ୍ରକାଶ, ସୀମାନ୍ତ ବର୍ତ୍ତୀ ଅଞ୍ଚଳରେ ଚୀନ୍ର ଏପ୍ରକାର ଆଭିମୁଖ୍ୟକୁ ଆମେରିକା ପକ୍ଷରୁ ମଧ୍ୟ ନିନ୍ଦା କରାଯାଇସାରିଛି । ଭାରତକୁ ଉସୁକାଇବା ପାଇଁ ଚୀନ୍ ଏପ୍ରକାର ପେଞ୍ଚ କରୁଥିବା ୟୁଏସ୍ ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍ ଦର୍ଶାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *