କ୍ଷତିଗ୍ରସ୍ତଙ୍କୁ ଉଚିତ୍ ପ୍ରାପ୍ୟ ଦାବି କଲା ମଞ୍ଚ
ମାଟିତୋଟାରେ ଗୁରୁକୁଳ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ
ପୁରୀ (ବୁ୍ୟରୋ): ମାଟିତୋଟା ଅଞ୍ଚଳରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତ ପିଲାମାନଙ୍କ ପାଇଁ ଗୁରୁକୁଳ ନିର୍ମାଣ ଲାଗି ଜମି ଚିହ୍ନଟ ହୋଇଛି । ଏପରିକି ଖାଲିଥିବା ଜମି ସହ ଦଖଲରେ ରହିଥିବା ପ୍ରଜାମାନଙ୍କୁ ମଧ୍ୟ ଉଚ୍ଛେଦ କରାଯିବ । ସେଥିଲାଗି ପ୍ରଶାସନ ପକ୍ଷରୁ ଘର ଖାଲି କରିବା ଲାଗି ନୋଟିସ୍ ଜାରି କରାଯାଇଛି । ଏହାକୁ ବିରୋଧ କରି ସୋମବାର ଜମି ସମସ୍ୟା ସମାଧାନ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଏନେଇ ମଞ୍ଚ ସଭାପତି ଶରତ କୁମାର ରାୟଗୁରୁ ଦାବି କରିଛନ୍ତି ଯେ, ଆଜିପର୍ଯ୍ୟନ୍ତ ସହରରେ ମଠ ଜମି ଓ ପୌରପାଳିକା ଠାରୁ ଲିଜ୍ରେ ଜମି ନେଇ ଅନେକ ଲୋକ ଦୀର୍ଘ ବର୍ଷ ଧରି ରହିଆସୁଛନ୍ତି । ଏପରିକି ସେମାନେ ସରକାରୀ ମୁତାବକ ଖଜଣା ଦେଉଛନ୍ତି । କିନ୍ତୁ ସେମାନଙ୍କୁ ପଟ୍ଟା ମିଳି ନାହିଁ । ସେମାନଙ୍କୁ ଥଇଥାନ୍ ନ କରି ହଠାତ୍ ଉଚ୍ଛେଦ କରିବା ବେଆଇନ । ଉଚ୍ଛେଦକାରୀଙ୍କୁ ଜମି ମୂଲ୍ୟର ବଜାର ଦର ଦେବା ସହ ନିର୍ମାଣାଧୀନ ଘର ପାଇଁ ମୂଲ୍ୟ ଦିଅନ୍ତୁ ବୋଲି ଦାବି କରିଛନ୍ତି । ସେହିଭଳି ପ୍ରଜାମାନଙ୍କୁ ତୁରନ୍ତ ଜମି ପଟ୍ଟା ଯୋଗାଇଦେବାକୁ ଶ୍ରୀ ରାୟଗୁରୁ ତାଙ୍କ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ଏହି ସମୟରେ ଶତାଧିକ କ୍ଷତିଗ୍ରସ୍ତ ଉପସ୍ଥିତ ଥିଲେ ।
ଏଥିରେ ମନୋରଞ୍ଜନ ମହାରଣା, ସୁନୀଲ ଖୁଣ୍ଟିଆ, ପ୍ରହଲ୍ଲାଦ ବେହେରା, ସୁକାନ୍ତ ଭୋଇ, ସୁବାସ ଭାରତୀ, ଯୋଗେନ୍ଦ୍ର ପଣ୍ଡା, ରଞ୍ଜୁଲତା ଦାସ, ଶ୍ରୀଧର ସାହୁ, ହେମନ୍ତ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।