ବେଲଗାଭୀରେ ଉତ୍ତେଜନା, ସୁରକ୍ଷା କଡାକଡ଼ି

ତେଜିଲା କର୍ଣ୍ଣାଟକ-ମହାରାଷ୍ଟ୍ର ସୀମା ବିବାଦ
ମୁମ୍ବାଇ/ ବେଙ୍ଗାଲୁରୁ (ଏଜେନ୍ସି): ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ମଧ୍ୟରେ ଚାଲିଆସିଥିବା ସୀମା ବିବାଦ ଏବେ ଦିନକୁ ଦିନ ଉଗ୍ରାଭିମୁୂଖୀ ହେବାରେ ଲାଗିଛି । ଏସବୁ ମଧ୍ୟରେ ସୋମବାର କର୍ଣ୍ଣାଟକ ବିଧାନସଭାର ଶୀତକାଳୀନ ଅଧିବେଶନ ମଧ୍ୟ ଆରମ୍ଭ ହୋଇଛି । ତେବେ ଅଧିବେଶନର ପ୍ରଥମ ଦିବସକୁ ବେଲଗାଭୀ ଠାରେ ଆୟୋଜନ କରିବାକୁ କର୍ଣ୍ଣାଟକ ସରକାର ପ୍ରସ୍ତୁତି କରିଥିବା ବେଳେ ଏହାର ବିରୋଧ କରିବା ପାଇଁ ଶହଶହ ସଂଖ୍ୟାରେ ଶିବସେନା-ଏନ୍ସିପି-କଂଗ୍ରେସର କର୍ମକର୍ତ୍ତା ତଥା କର୍ମୀମାନେ ବେଲଗାଭୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ନାରାବାଜି ସହ ଏହି ୩ ଦଳର କର୍ମୀମାନେ ଆଗକୁ ବଢ଼ୁଥିବା ବେଳେ କର୍ଣ୍ଣାଟକ ପୁଲିସ୍ ଏମାନଙ୍କୁ ଆଧାମାର୍ଗରେ ହିଁ ଅଟକାଇବାକୁ ଚେଷ୍ଟା କରିଥିଲା । ତଥାପି କର୍ମୀମାନେ ଆଗକୁ ବଢ଼ିବାକୁ ଉଦ୍ୟମ କରିବାରୁ ପୁଲିସ୍ ଏମାନଙ୍କ ମଧ୍ୟରୁ କିଛି ପ୍ରମୁଖ ବ୍ୟକ୍ତି (ନେତା)ଙ୍କୁ ଗିରଫ କରିନେଇଥିବା ସୂଚନା ମିଳିଛି ।
ଅନ୍ୟପକ୍ଷେ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲ ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି । ପାଟୋଲ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ମହାରାଷ୍ଟ୍ରକୁ ବିଭାଜିତ କରିଦେବାକୁ ଚାହୁଁଛନ୍ତି । ମୋଦି ଦୁଇ ରାଜ୍ୟ ମଧ୍ୟରେ ରହିଥିବା ସୀମା ବିବାଦକୁ ଏବେ ଏକ ରାଜନୈତିକ ମୁଦ୍ଦା କରିଛନ୍ତି । କେନ୍ଦ୍ର ସରକାରଙ୍କ ପାଇଁ ଏହା ଏବେ ଦୁଇ ରାଜ୍ୟ ମଧ୍ୟରେ ଏକ ବିବାଦ ରୂପ ନେଇଛି । ୨ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ବୈଠକ ପରେ ମଧ୍ୟ ନେତାମାନଙ୍କୁ ବିବାଦୀୟ ଅଞ୍ଚଳକୁ ଯିବାକୁ କାହିଁକି ଅନୁମତି ଦିଆଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିରୁ କେନ୍ଦ୍ର ସରକାରଙ୍କ ହାତ ଥିବା ସ୍ପଷ୍ଟ ଅନୁମାନ କରାଯାଇପାରେ ବୋଲି ସେ କହିଛନ୍ତି ।
ସୀମା ବିବାଦକୁ ନେଇ କର୍ଣ୍ଣାଟକ-ମହାରାଷ୍ଟ୍ର ମଧ୍ୟରେ ଉତ୍ତେଜନା ପରିସ୍ଥିତି ମଧ୍ୟରେ ସୋମବାର ଦୁଇ ରାଜ୍ୟ ମଧ୍ୟରେ ରହିଥିବା ବିବାଦୀୟ ସୀମାରେଖା ବେଲଗାଭୀ ଠାରେ ଦୁଇ ରାଜ୍ୟର କର୍ମୀମାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ଉଭୟ ରାଜ୍ୟ ବର୍ଷ ବର୍ଷ ଧରି ବେଲଗାଭୀକୁ ନିଜ ଅଞ୍ଚଳ ଭାବେ ଦାବି କରି ଆସୁଛନ୍ତି । ବର୍ତ୍ତମାନ ସମୟରେ କର୍ଣ୍ଣାଟକ ଭାଗରେ ରହିଥିବା ବେଲଗାଭୀ ଜିଲ୍ଲାରେ ମରାଠୀ ଭାଷାଭାଷୀଙ୍କ ସଂଖ୍ୟା ଅଧିକ । ଫଳରେ ମହାରାଷ୍ଟ୍ର ଏହି ଅଞ୍ଚଳକୁ ନିଜର ବୋଲି ଦାବି କରିଆସୁଛି ଏବଂ ଏହାକୁ ରାଜ୍ୟରେ ସାମିଲ କରାଇବା ପାଇଁ ପ୍ରୟାସ କରୁଛି । କିନ୍ତୁ କର୍ଣ୍ଣାଟକ ଇଞ୍ଚେ ଜାଗା ବି କାହାକୁ ଛଡାଯିବ ନାହିଁ ବୋଲି ସ୍ପଷ୍ଟ କରିଆସୁଛି । ଫଳରେ ଦୀର୍ଘ ଦିନ ଧରି ଦୁଇ ରାଜ୍ୟ ମଧ୍ୟରେ ଛକାପଞ୍ଝା ପରିସ୍ଥିତି ରହିଆସିଛି, ଯାହାକି ସମୟେ ସମୟେ ଉଗ୍ରରୂପ ଧାରଣ କରୁଥିବା ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାର ପାଇଁ ଏହି ଶୀତ ଅଧିବେଶନ ଅନ୍ତିମ ଅଧିବେଶନ । ପ୍ରକାଶ, ଆଗାମୀ ବର୍ଷ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *