ସ୍କୁଲ୍ରେ ନାହାନ୍ତି ବିଷୟଭିତ୍ତିକ ଶିକ୍ଷକ

ପିଲାଙ୍କ ଉପରେ ପରୀକ୍ଷା ବୋଝ
ମାହାଙ୍ଗା (ଆପ୍ର): ସରକାରୀ ବିଦ୍ୟାଳୟ ଗୁଡ଼ିକରେ ପୂର୍ବଭଳି ଏବେ ପାଠ ପଢ଼ାଯାଉ ନାହିଁ । ସ୍କୁଲ୍ ଅଛି ଛାତ୍ରଛାତ୍ରୀ ଅଛନ୍ତି, ହେଲେ ନାହାନ୍ତି ବିଷୟଭିତ୍ତିକ ଶିକ୍ଷକ । ଫଳରେ ଅଭିଭାବକ ମହଲରେ ଦିନକୁ ଦିନ ତିବ୍ରଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ପ୍ରଥମେ ପାଠ୍ୟପୁସ୍ତକ ଦିଆଯାଉଥିଲା । ଶିକ୍ଷକମାନେ ଶ୍ରେଣୀଗୃହରେ ପାଠ୍ୟପୁସ୍ତକ ପଢ଼ାଉଥିଲେ ପରେ ଅର୍ଦ୍ଧବାର୍ଷିକ ଓ ବାର୍ଷିକ ପରୀକ୍ଷା ହେଉଥିଲା । ପିଲାମାନେ କେତେ ପାଠପଢ଼ିଛନ୍ତି ତାହା ଜଣାପଡ଼ୁଥିଲା । ଏବେ ପିଲାମାନଙ୍କୁ ବିଭିନ୍ନ ପ୍ରକାରର ବହି ଦିଆଯାଉଥିବା ବେଳେ ପାଠ୍ୟପୁସ୍ତକ ସହ ଆଉ ଅନ୍ୟ କିଛି ପୁସ୍ତକ ପଢ଼ିବାକୁ ଦିଆଯାଉଛି (ଯଥା ପାଠ୍ୟପୁସ୍ତକ, ମୌଳିକ ସାକ୍ଷରତା ଅଥବା ସଂଖ୍ୟାଜ୍ଞାନ, ଶିକ୍ଷଣ ଅଭିବୃଦ୍ଧି ପୁସ୍ତକ, ଶିକ୍ଷଣ ପରିପୂରକ) ।
ଡିସେମ୍ବରରେ ସରକାରୀ ବିଦ୍ୟାଳୟ ଗୁଡିକରେ ଅର୍ଦ୍ଧବାର୍ଷିକ ପରୀକ୍ଷା ହେଲା । ପରୀକ୍ଷା ସରିବାର ଗୋଟାଏ ଦିନ ପରେ ପୁଣି ଏକ ପରୀକ୍ଷା ହେଉଛି ବୋଲି ଚର୍ଚ୍ଚା ହେଉଛି । ନୂତନ ଶିକ୍ଷା ନୀତି ଅନୁସାରେ ପିଲାଙ୍କୁ ପରୀକ୍ଷା ଏକ ବୋଝ ହେବ ନାହିଁ ବୋଲି କୁହାଯାଉଥିବା ବେଳେ ପରୀକ୍ଷା ପରେ ପରୀକ୍ଷା କରାଯିବା କେଉଁଭଳି ନିୟମ । ଏହା ପିଲାମାନଙ୍କ ପାଇଁ ପରୀକ୍ଷା ବୋଝ ହେବ ବୋଲି ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ସରକାରୀ ବିଦ୍ୟାଳୟ ଗୁଡିକରେ ପାଠ୍ୟପୁସ୍ତକ ପଢ଼ାଇବା ପ୍ରତି ଜୋର ଦିଆଯାଉନାହିଁ । ଫଳରେ ପରୀକ୍ଷା ସମୟରେ ବିଭିନ୍ନ ବିଷୟରେ ପିଲାମାନେ ସଠିକ୍ ଉତ୍ତର ଦେଉପାରୁ ନାହାନ୍ତି । ପାଠ୍ୟପୁସ୍ତକ ପଢ଼ାଇବା ସହିତ ବିଭିନ୍ନ ପୁସ୍ତକ ପଢ଼ାଯାଉଥିବାରୁ ତାହା ପିଲାମାନଙ୍କ ମାନସିକତା ଉପରେ ଚାପ ସୃଷ୍ଟି କରାଯାଉଛି । ଯାହାଫଳରେ ପିଲା ଶିକ୍ଷା ଗ୍ରହଣ ପାଇଁ ସରକାରୀ ବିଦ୍ୟାଳୟ ଆସିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ଏବେ ସ୍ୱପ୍ନ ପାଲଟିଛି । ଫଳରେ ଅଭିଭାବକମାନେ ନିଜ ପିଲାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବେସରକରୀ ବିଦ୍ୟାଳୟ ଉପରେ ନିର୍ଭର କରୁଛନ୍ତି । ଅଣତାଲିମ ପ୍ରାପ୍ତ ଶିକ୍ଷକଙ୍କ ହାତରେ ପିଲାଙ୍କ ଭାଗ୍ୟ ଗଢ଼ାଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏଥିପ୍ରତି ରାଜ୍ୟସରକାର ତୁରନ୍ତ ଦୃଷ୍ଟି ଦେବାକୁ ମାହାଙ୍ଗା ଅଞ୍ଚଳ ବୁଦ୍ଧିଜୀବି ମହଲରେ ଦାବି ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *