ବିଶ୍ୱବିଜେତା ଆର୍ଜେଣ୍ଟିନାକୁ ୩୪୮ କୋଟି ପୁରସ୍କାର

ଦୋହା, ୧୯ା୧୨ (ଏଜେନ୍ସି): ଫିଫା ବିଶ୍ୱକପ୍ ୨୦୨୨ ଫାଇନାଲ୍ରେ ଆର୍ଜେଣ୍ଟିନା ଟିମ୍ ଫ୍ରାନ୍ସକୁ ପେନାଲ୍ଟି ସୁ୍ଟ୍ଆଉଟ୍ରେ ୪-୨ରେ ହରାଇ ଚାମ୍ପିଅନ୍ ହୋଇଛି । ଚାମ୍ପିଅନ୍ ଆର୍ଜେଣ୍ଟିନାକୁ ୩୪୮ କୋଟି ଟଙ୍କା (୪୨ ନିୟୁତ ଡଲାର) ପୁରସ୍କାର ମିଳିଛି । ରନର୍ସଅପ୍ ଫ୍ରାନ୍ସକୁ ୨୪୮ କୋଟି ଟଙ୍କା ମିଳିଛି । ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ସମସ୍ତ ୩୨ ଟିମ୍କୁ ମୋଟ୍ ୩୬୦୦ କୋଟି ଟଙ୍କାରୁ ଅଧିକ ପୁରସ୍କାର ରାଶି ଆବଣ୍ଟନ କରାଯାଇଛି ।
ମରକ୍କୋକୁ ହରାଇ ତୃତୀୟ ସ୍ଥାନରେ ରହିଥିବା କ୍ରୋଏସିଆ ଟିମ୍କୁ ୨୨୩ କୋଟି ଟଙ୍କା (୨୭ ନିୟୁତ ଡଲାର) ପୁରସ୍କାର ରାଶି ମିଳିଛି । କ୍ରୋଏସିଆକୁ ସେମିଫାଇନାଲ୍ରେ ଆର୍ଜେଣ୍ଟିନା ୩-୦ରେ ମାତ୍ ଦେଇଥିଲା । ତେବେ ଏହା ପୂର୍ବରୁ ଏହି ଟିମ୍ କ୍ୱାର୍ଟର୍-ଫାଇନାଲ୍ରେ ବ୍ରାଜିଲ୍ ଓ ପ୍ରି-କ୍ୱାର୍ଟର୍ଫାଇନାଲ୍ରେ ଜାପାନ୍କୁ ହରାଇଥିଲା । ଟିମ୍ ଗ୍ରୁପ୍-ଏଫ୍ରେ ଦ୍ୱିତୀୟ ସ୍ଥାନରେ ରହିଥିଲା ।
ଚତୁର୍ଥ ସ୍ଥାନରେ ରହିଥିବା ମରକ୍କୋକୁ ୨୦୭ (୨୫ ନିୟୁତ ଡଲାର) କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା । ଟିମ୍କୁ ସେମିଫାଇନାଲ୍ରେ ଫ୍ରାନ୍ସ ୨-୦ରେ ହରାଇଥିଲା । ମରକ୍କୋ କ୍ୱାର୍ଟର୍-ଫାଇନାଲ୍ରେ ପର୍ତ୍ତୁଗାଲ୍ ଓ ପ୍ରି-କ୍ୱାର୍ଟର୍ଫାଇନାଲ୍ରେ ସ୍ପେନ୍କୁ ହରାଇଥିଲା । ଏହି ଟିମ୍ ଗ୍ରୁପ୍-ଏଫ୍ରେ ପ୍ରଥମ ସ୍ଥାନରେ ରହିଥିଲା ।
ବ୍ରାଜିଲ୍, ଇଂଲଣ୍ଡ, ପର୍ତ୍ତୁଗାଲ୍ ଓ ନେଦରଲାଣ୍ଡ୍ସକୁ ୧୪୦ କୋଟି
କ୍ୱାର୍ଟର୍-ଫାଇନାଲ୍ରେ ହାରିଥିବା ଚାରି ଟିମ୍ ୧୪୦ କୋଟି ଟଙ୍କା (୧୭ ନିୟୁତ ଡଲାର) ଲେଖାଏଁ ମିଳିଥିଲା । ବ୍ରାଜିଲ୍, ପର୍ତ୍ତୁଗାଲ୍, ନେଦରଲାଣ୍ଡ୍ସ ଓ ଇଂଲଣ୍ଡ ନିଜ ନିଜ କ୍ୱାର୍ଟର୍-ଫାଇନାଲ୍ରେ ହାରି ଯାଇଥିଲେ । ଏହି ଚାରି ଟିମ୍କୁ ମିଶାଇ ୫୬୦ କୋଟି ଟଙ୍କା ଦିଆଯାଇଥିଲା । କ୍ୱାର୍ଟରରେ ବ୍ରାଜିଲ୍କୁ କ୍ରୋଏସିଆ, ପର୍ତ୍ତୁଗାଲ୍କୁ ମରକ୍କୋ, ନେଦରଲାଣ୍ଡ୍ସକୁ ଆର୍ଜେଣ୍ଟିନା ଓ ଇଂଲଣ୍ଡକୁ ଫ୍ରାନ୍ସ ହରାଇଥିଲା ।
ସ୍ପେନ୍ ସମେତ ଆଠଟି ଟିମ୍ ୧୦୮ କୋଟି ଟଙ୍କା ମିଳିଥିଲା । ଏଥିରେ ସ୍ୱିଜରଲାଣ୍ଡ, ସେନେଗଲ୍, ଜାପାନ, ଦକ୍ଷିଣ କୋରିଆ, ସ୍ପେନ୍, ପୋଲାଣ୍ଡ, ଅଷ୍ଟ୍ରେଲିଆ ଓ ଆମେରିକା ରହିଛି । ଏହି ସମସ୍ତ ଟିମ୍କୁ ମିଶାଇ ୮୬୪ କୋଟି ଟଙ୍କା ଦିଆଯାଇଥିଲା ।
ଗ୍ରୁପ୍ ପର୍ଯ୍ୟାୟରେ ହାରି ବିଦାୟ ନେଇଥିବା ଟିମ୍ଗୁଡ଼ିକ ପାଇଁ ମଧ୍ୟ ପୁରସ୍କାର ରାଶି ରହିଥିଲା । ଏଥିରେ ସମସ୍ତ ମ୍ୟାଚ୍ ହାରିଥିବା କତର ଓ କାନାଡ଼ା ବ୍ୟତୀତ ଇକ୍ୱେଡର୍, ସାଉଦୀ ଆରବ, ବେଲ୍ଜିୟମ, ଇରାନ୍, ୱେଲ୍ସ, ସର୍ବିୟା, ମରକ୍କୋ, କାମେରୁନ୍, ଘାନା, ଟୁ୍ୟନିସିଆ, ଡେନ୍ମାର୍କ, ଜର୍ମାନୀ, କୋଷ୍ଟା ରିକା ଓ ଉରୁଗୁଏ ରହିଛି । ପ୍ରତି ଟିମ୍କୁ ୭୩.୪୮ କୋଟି ଟଙ୍କା ମିଳିଛି । ସମସ୍ତ ଟିମ୍କୁ ମୋଟ୍ ୧୧୭୫ କୋଟି ଟଙ୍କା ଦିଆଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *