ଋଷିକୁଲ୍ୟା ମୁହାଣରେ ଏକାଠି ହେଲେଣି ଅଲିଭ୍ ରିଡ୍ଲେ

ବ୍ରହ୍ମପୁର (ବୁ୍ୟରୋ): ଋଷିକୂଲ୍ୟା ମୁହାଣରେ ଏକାଠି ହେଲେଣି ଅଲିଭ୍ ରିଡ୍ଲେ । ଗଣଅଣ୍ଡାଦାନ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ଗଭୀର ସମୁଦ୍ର ମଧ୍ୟରେ କଇଁଛଙ୍କ ମିଳନ କାର୍ଯ୍ୟ ଆରମ୍ଭ ହୋଇଥିବା ଯୋଗୁ ବନ ବିଭାଗ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି । କଇଁଛଙ୍କ ସୁରକ୍ଷିତ ଗଣଅଣ୍ଡାଦାନ ପ୍ରକ୍ରିୟା ନିମନ୍ତେ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଉପକୂଳ ଠାରୁ ୫କି.ମି ଦୂରରେ କଇଁଛଙ୍କ ମିଳନ ଜାରି ରହିଛି । ଜାନୁୟାରୀ ୧୫ ସୁଦ୍ଧା କଇଁଛଙ୍କ ମିଳନ ଶେଷ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ଆର୍ଯ୍ୟପଲ୍ଲୀରୁ ପ୍ରୟାଗୀ ପର୍ଯ୍ୟନ୍ତ ଋଷିକୂଲ୍ୟା ମୁହାଣରୁ ସମୁଦ୍ରର ୨୦କି.ମି ଯାଏଁ ସ୍ଥାନକୁ ନୋଫିସିଙ୍ଗ୍ ଜୋନ୍ ଘୋଷଣା କରାଯାଇଛି । ଏହି କଟକଣା ଆସନ୍ତା ମେ ମାସ ଶେଷ ପର୍ଯ୍ୟନ୍ତ ଲାଗିଛି । ୫୨କି.ମି ବିଶିଷ୍ଟ ବ୍ରହ୍ମପୁର କୋଷ୍ଟ ଲାଇନ୍ରେ ୧୧ ହେଚେରୀ କରାଯାଇଛି । ମତ୍ସ୍ୟଜୀବୀଙ୍କୁ ମତ୍ସ୍ୟ ବିଭାଗ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରେକର୍ଡ ସଂଖ୍ୟକ ଗଣଅଣ୍ଡାଦାନ ହେବା ନେଇ ଆଶାବାଦୀ ଅଛନ୍ତି ପରିବେଶବିତ୍ । ପ୍ରାଥମିକ ପର୍ଯ୍ୟାୟରେ ଚଳିତ ମାସ ପ୍ରାରମ୍ଭରୁ କଇଁଛଙ୍କ ମିଳନ ଆରମ୍ଭ ହୋଇଛି ।
ମିଳନ ଶେଷ ହେବା ପରେ କଇଁଛମାନେ ଲକ୍ଷାଧିକ ସଂଖ୍ୟାରେ ଋଷିକୂଲ୍ୟା ମୁହାଣକୁ ଆସି ଗଣଅଣ୍ଡାଦାନ କରିବେ । ଏହାର କିଛି ମାସ ପରେ ଅଣ୍ଡାରୁ ଶାବକ ବାହାରି ସମୁଦ୍ରକୁ ଯିବେ । କଇଁଛଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହେବା ନେଇ ସୂଚନା ପାଇବା ପରେ ବନ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଛତ୍ରପୁର ବ୍ଲକ୍ ଆର୍ଯ୍ୟପଲ୍ଲୀଠାରୁ ଗଞ୍ଜାମ ବ୍ଲକ୍ ପ୍ରୟାଗୀ ପର୍ଯ୍ୟନ୍ତ ଋଷିକୂଲ୍ୟା ବେଳାଭୂମିରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି । ଏହା ସହିତ ବନ ବିଭାଗ ପକ୍ଷରୁ ସମୁଦ୍ରରେ ପାଟ୍ରୋଲିଂ ମଧ୍ୟ ଆରମ୍ଭ ହୋଇଛି । ବନ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ କଇଁଛଙ୍କ ମିଳନ ଉପରେ ନଜର ରଖାଯାଇଛି । ନୋ ଫିସିଂ ଜୋନ୍ରେ ମତ୍ସ୍ୟଜୀବୀ ନିଜର ପାରମ୍ପାରିକ ଡଙ୍ଗା ବ୍ୟବହାର କରି ମାଛ ଧରିପାରିବେ । କିନ୍ତୁ ମେକାନାଇଜ ତଥା ମେସିନ୍ ଡଙ୍ଗା ଓ ଟ୍ରଲର ବ୍ୟବହାର କରିପାରିବେ ନାହିଁ । ନିୟମ ଉଲ୍ଲଂଘନ କଲେ ମତ୍ସ୍ୟଜୀବୀଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଡିଏଫ୍ଓ ଅମ୍ଲାନ ନାୟକ । ଇକୋ କ୍ଲବ୍ ମଧ୍ୟ ଦୀର୍ଘବର୍ଷ ଧରି ଅଲିଭ୍ ରିଡ୍ଲେଙ୍କ ସୁରକ୍ଷା ଦିଗରେ କାମ କରିଆସୁଛି । କଇଁଛଙ୍କ ଆଗମନ ମୁହାଣକୁ ସଫା ରଖିବା ପାଇଁ ଇକୋ କ୍ଲବ୍ ପକ୍ଷରୁ ନିୟମିତ ଭାବେ ସଫେଇ କରାଯାଉଛି । ଏହା ସହିତ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ କଇଁଛଙ୍କ ସୁରକ୍ଷା ନେଇ ସଚେତନ ମଧ୍ୟ କରାଯାଉଛି । ଚଳିତ ବର୍ଷ ଭଲ ଗଣଅଣ୍ଡାଦାନ ହେବ ବୋଲି ଆଶା ରଖାଯାଇଛି ବୋଲି କହିଛନ୍ତି ଇକୋ କ୍ଲବ୍ର ସଂଯୋଜକ ଶଙ୍କର ନାରାୟଣ ବେଜ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *