ମେସୀଙ୍କ ଆର୍ଜେଣ୍ଟିନା ବିଶ୍ୱବିଜେତା
ଦୋହା, ୧୮ା୧୨ (ଏଜେନ୍ସି): ପ୍ରାୟ ଏକ ମାସ ଧରି ଚାଲିଥିବା ଉକ୍ରଣ୍ଠାପୂର୍ଣ୍ଣ ଫିଫା ବିଶ୍ୱକପ୍ ୨୦୨୨ ରବିବାର ଉଦ୍ୟାପିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ୨୨ତମ ସଂସ୍କରଣରେ ଡିଫେଣ୍ଡିଂ ଚାମ୍ପିଅନ୍ ଫ୍ରାନ୍ସକୁ ୪-୨ ପେନାଲ୍ଟି ସୁଟ୍ଆଉଟ୍ରେ ହରାଇ ଆର୍ଜେଣ୍ଟିନା ଚାମ୍ପିଅନ୍ ହୋଇଛି । ଆର୍ଜେଣ୍ଟିନାର ଏହା ତୃତୀୟ ମୁକୁଟ । ଅଧିନାୟକ ଲିଓନେଲ୍ ମେସିଙ୍କ ଏହା ପଞ୍ଚମ ତଥା ଶେଷ ବିଶ୍ୱକପ୍ ଥିଲା ଏବଂ ସେ ବିଜୟ ସହ ଫୁଟ୍ବଲ୍ ମହାକୁମ୍ଭରୁ ବିଦାୟ ନେଇଛନ୍ତି ।
ଫ୍ରାନ୍ସ ପକ୍ଷରୁ କିଲିଅନ୍ ଏମ୍ବାପ୍ପେ ହାଟ୍ରିକ୍ ଗୋଲ୍ ଦେଇଥିଲେ । ଇତ୍ୟବସରେ ମେସୀ ବିଶ୍ୱକପ୍ ଇତିହାସରେ ସର୍ବାଧିକ ଗୋଲ୍ ଦେଇଥିବା ଫୁଟ୍ବଲର୍ ହୋଇପାରିଛନ୍ତି ।
ତୃତୀୟ ମୁକୁଟ ଜିତିବା ଲକ୍ଷ୍ୟ ନେଇ ଉଭୟ ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଇଦାନକୁ ଓହ୍ଲାଇଥିଲେ । ଏହା ପୂର୍ବରୁ ଆର୍ଜେଣ୍ଟିନା ୧୯୭୮ ଓ ୧୯୮୬ରେ ବିଜେତା ହୋଇଥିବା ବେଳେ ଫ୍ରାନ୍ସ ୧୯୯୮ ଓ ୨୦୧୮ରେ ମୁକୁଟ ଜିତିଥିଲା ।
ଧାର୍ଯ୍ୟ ୯୦ ମିନିଟ୍ ମଧ୍ୟରେ ସ୍କୋର୍ଲାଇନ୍ ୨-୨ ସ୍ଥିତିରେ ଥିଲା । ଫଳରେ ମୁକାବିଲା ଅତିରିକ୍ତ ସମୟକୁ ଯାଇଥିଲା । ୧୦୮ତମ ମିନିଟ୍ରେ ମେସି ଆର୍ଜେଣ୍ଟିନା ପକ୍ଷରୁ ତୃତୀୟ ଗୋଲ୍ କରିଥିଲେ । ଏହାପରେ ୧୧୭ତମ ମିନିଟ୍ରେ ଏମ୍ବାପ୍ପେ ପେନାଲ୍ଟିରୁ ଗୋଲ୍ କରି ସ୍କୋର୍କୁ ୩-୩ ସ୍ଥିତିରେ ପହଞ୍ଚାଇଥିଲେ । ଅତିରିକ୍ତ ସମୟ ସୁଦ୍ଧା ଏହି ସ୍କୋର୍ଲାଇନ୍ ରହିବାରୁ ପେନାଲ୍ଟି ସୁଟ୍ଆଉଟ୍ର ସହାୟତା ନିଆଯାଇଥିଲା ।
ଆର୍ଜେଣ୍ଟିନା ଆକ୍ରମଣାତ୍ମକ ଆରମ୍ଭ କରିଥିଲା ଏବଂ ପ୍ରଥମାର୍ଦ୍ଧରେ ଦୁଇଟି ଗୋଲ୍ ଦେଇ ଅଗ୍ରଣୀ ରହିଥିଲା । ଆର୍ଜେଣ୍ଟିନା ଆକ୍ରମଣାତ୍ମକ ଆରମ୍ଭ କରିଥିଲା । ୨୩ତମ ମିନିଟ୍ରେ ମେସୀ ଟିମ୍ ପକ୍ଷରୁ ପେନାଲ୍ଟିରୁ ପ୍ରଥମ ଗୋଲ୍ ଦେଇ ମ୍ୟାଚ୍ରେ ଡେଡ୍ଲକ୍ ଭାଙ୍ଗିଥିଲେ । ୩୬ତମ ମିନିଟ୍ରେ ଏଞ୍ଜଲ୍ ଡି’ ମାରିଆ ଆର୍ଜେଣ୍ଟିନା ପକ୍ଷରୁ ଦ୍ୱିତୀୟ ସ୍କୋର୍ କରିଥିଲେ ।
ଦ୍ୱିତୀୟାର୍ଦ୍ଧରେ ଜୋର୍ଦାର ଲଢ଼େଇ ଦେଖିବାକୁ ମିଳିଥିଲା । ଫ୍ରାନ୍ସର କିଲିଅନ୍ ଏମ୍ବାପ୍ପେ ୯୭ ସେକେଣ୍ଡ ମଧ୍ୟରେ ଦୁଇ ଗୋଲ୍ କରି ସ୍କୋର୍କୁ ୨-୨ ବରାବର ସ୍ଥିତିକୁ ଆଣିଥିଲେ । ଏମ୍ବାପ୍ପେ ୮୦ତମ ମିନିଟ୍ରେ ପେନାଲ୍ଟିରୁ ଓ ୮୧ତମ ମିନିଟ୍ରେ ଫିଲ୍ଡ ଗୋଲ୍ ଦେଇଥିଲେ ।
ନଭେମ୍ବର ୨୦ରେ ଆରମ୍ଭ ହୋଇଥିବା ଟୁର୍ଣ୍ଣାମେଣ୍ଟରେ ମୋଟ୍ ୩୨ ଟିମ୍ ଭାଗ ନେଇଥିଲେ । ମୁକାବିଲାଗୁଡ଼ିକ ଆଠଟି ଷ୍ଟାଡିୟମ୍ରେ ଖେଳାଯାଇଥିଲା ।
୧୯୩୦ରୁ ଆରମ୍ଭ ହୋଇଥିବା ଫୁଟ୍ବଲ୍ ବିଶ୍ୱକପ୍ରେ ଏ ଯାବତ୍ ୨୨ ସଂସ୍କରଣ ଖେଳାଯାଇଛି । ଆଠଟି ରାଷ୍ଟ୍ର ମୁକୁଟ ଜିତିଛନ୍ତି । ଏ ସମସ୍ତ ରାଷ୍ଟ୍ର ଇଉରୋପ ଓ ଦକ୍ଷିଣ ଆମେରିକାର । ବ୍ରାଜିଲ୍ ସର୍ବାଧିକ ପାଞ୍ଚ ଥର ବିଜେତା ହୋଇଥିବା ବେଳେ ଇଟାଲୀ, ଜର୍ମାନୀ ଚାରି ଥର ଲେଖାଏଁ; ଆର୍ଜେଣ୍ଟିନା ତିନି ଥର; ଉରୁଗୁଏ ଓ ଫ୍ରାନ୍ସ ଦୁଇ ଥର ଲେଖାଏଁ ଏବଂ ଇଂଲଣ୍ଡ ଓ ସ୍ପେନ୍ ଥରେ ଲେଖାଏଁ ମୁକୁଟ ଜିତିବାର ଗୌରବ ଅର୍ଜନ କରିଛନ୍ତି ।