ଉତ୍ତର-ପୂର୍ବ ଆମ ସୁରକ୍ଷା, ସମୃଦ୍ଧିର ଦ୍ୱାରଦେଶ
ଶିଲଂ/ ଅଗରତାଲା (ଏଜେନ୍ସି): ତୱାଙ୍ଗରେ ଭାରତ-ଚୀନ୍ ସେନା ସଂଘର୍ଷ ଘଟଣାକୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର-ପୂର୍ବ ରାଜ୍ୟ (ମେଘାଳୟ ଏବଂ ତ୍ରିପୁରା) ଅଭିମୁଖେ ଗସ୍ତ କରିଛନ୍ତି । ରବିବାର ପ୍ରଥମେ ମେଘାଳୟରେ ପହଞ୍ଚôବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପରେ ମୋଦି ରାଜଧାନୀ ଶିଲଂରେ ଉତ୍ତର ପୂର୍ବ କାଉନ୍ସିଲର ୫ଠ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ସ୍ଥାନୀୟ ପାରମ୍ପରିକ ପୋଷାକ ପରିଧାନ ପୂର୍ବକ ସାମିଲ ହୋଇଥିଲେ ।
ଏହି ଅବସରରେ ମୋଦି, ଉତ୍ତର-ପୂର୍ବ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, ଉତ୍ତର-ପୂର୍ବ ହେଉଛି ଆମ ଦେଶର ସୀମା ଅଞ୍ଚଳ । ଏହା ଦେଶର ଏକ ଶେଷ ପଏଣ୍ଟ ନୁହେଁ ବରଂ ସୁରକ୍ଷା ଏବଂ ସମୃଦ୍ଧିର ଦ୍ୱାରଦେଶ । ଦେଶର ସୁରକ୍ଷା ଏହି ଠାରୁ ସୁନିଶ୍ଚିତ କରାଯାଇଥାଏ ଏବଂ ଅନ୍ୟ ଦେଶ ସହିତ ବାଣିଜ୍ୟ ମଧ୍ୟ ଏଠାରୁ ହୋଇଥାଏ । ମୋଦି କହିଛନ୍ତି, ଗତ ୮ବର୍ଷ ମଧ୍ୟରେ ତାଙ୍କ ସରକାର ଉତ୍ତର-ପୂର୍ବ ରାଜ୍ୟ ସମୂହଙ୍କ ବିକାଶ ସହ ଜଡିତ ଅନେକ ବାଧାବିଘ୍ନକୁ ହଟାଇଛନ୍ତି । ଗତ ୮ବର୍ଷ ଧରି ପୂର୍ବୋତ୍ତରରେ ଶାନ୍ତି ସ୍ଥାପନ କରାଯାଇପାରିଛି । ଭ୍ରଷ୍ଟାଚାର, ଭେଦଭାବ, ଭାଇ-ଭତିଜାବାଦ, ହିଂସା ଓ ରାଜନୈତିକ ଉଦେ୍ଦଶ୍ୟରେ ବିକାଶ ପ୍ରକଳ୍ପକୁ ଅଟକାଇ ରଖିବା ଭଳି ଭୋଟ୍ ବ୍ୟାଙ୍କ ରାଜନୀତିରୁ ଊଦ୍ଧ୍ୱର୍ରେ ରହି ତାଙ୍କ ସରକାର କାମ କରିଛନ୍ତି । ସେହିପରି ବିରୋଧୀ କଂଗ୍ରେସକୁ ଟାର୍ଗେଟ୍ କରିବାକୁ ଯାଇ ମୋଦି କହିଛନ୍ତି ଯେ, ଦୀର୍ଘ ଦିନ ଧରି କ୍ଷମତାରେ ଥିବା ଦଳଗୁଡିକ ଉତ୍ତର ପୂର୍ବ ପାଇଁ ଏକ ବିଭାଜନ ଚିନ୍ତାଧାରା ରଖିଥିଲେ । କିନ୍ତୁ ତାଙ୍କ ସରକାର ଏହି ବିଭାଜନ ମାନସିକତାକୁ ହଟାଇବା ଉଦେ୍ଦଶ୍ୟରେ କାମ କରୁଛି । ଉତ୍ତର-ପୂର୍ବ ରାଜ୍ୟ ପାଇଁ ବିକାଶରେ ଥିବା ବାଧକକୁ ତାଙ୍କ ସରକାର ରେଡ୍ କାର୍ଡ ଦେଖାଇଛି ।
ମୋଦି କହିଛନ୍ତି, ତାଙ୍କ ସରକାର ଦେଶରେ କ୍ରୀଡାର ବିକାଶ ଲାଗି ଏକ ନୂଆ ଦୃଷ୍ଟିକୋଣ ସହ ଆଗକୁ ବଢୁଛନ୍ତି, ଯାହାର ଲାଭ ଏବେ ପୂର୍ବୋତ୍ତର ଯୁବଗୋଷ୍ଠୀଙ୍କୁ ମିଳୁଛି । ଉତ୍ତରପୂର୍ବରେ ଦେଶର ପ୍ରଥମ କ୍ରୀଡା ବିଶ୍ୱବିଦ୍ୟାଳୟ ରହିଥିବା ବେଳେ ଏଠାରେ କ୍ରୀଡାର ବିକାଶ ପାଇଁ ନୂଆ ନୂଆ ପ୍ରକଳ୍ପ ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ପୂର୍ବ ସରକାରଙ୍କ ଭଳି ତାଙ୍କ ସରକାର କେବଳ ବଜେଟ୍, ଟେଣ୍ଡର ଓ ଶିଳାନ୍ୟାସରେ ସୀମିତ ହୋଇ ରହିନାହିଁ । ଆଧୁନିକ ଭାରତ ନିର୍ମାଣର ସଂକଳ୍ପ ନେଇ ତାଙ୍କ ସରକାର କାମ କରୁଥିବା ବେଳେ ପୂର୍ବୋତ୍ତରରେ ଭିତ୍ତିଭୂମିର ବିକାଶ ପାଇଁ ୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏତଦ୍ବ୍ୟତୀତ ମୋଦି ସୀମା ସଂଲଗ୍ନ ଅଞ୍ଚଳ ପ୍ରସଙ୍ଗରେ ମଧ୍ୟ ଏକ ବଡ଼ ସୂଚନା ଦେଇଛନ୍ତି । ମୋଦି କହିଛନ୍ତି, ବର୍ତ୍ତମାନ ସମୟରେ ସୀମାରେ ଗୋଟିଏ ପରେ ଗୋଟିଏ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ସୀମାର ସବୁ ସ୍ଥାନରେ ନିର୍ମାଣକୁ ଗତିଶୀଳ କରାଇବା ପାଇଁ ପ୍ରୟାସ କରାଯାଉଛି । ଗାଁ ଛାଡି ଯାଉଥିବା ଲୋକେ ପୁଣି ନିଜ ସ୍ଥାନକୁ ଫେରିଆସିବେ । କାର୍ଯ୍ୟକ୍ରମରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ସମେତ ମେଘାଳୟ, ଆସାମ ଆଦି ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟପାଳ ପ୍ରମୁଖ ଉପସ୍ଥିତ ଥିଲେ ।
ପରେ ତ୍ରିପୁରା ଗସ୍ତ କରିବା ପୂର୍ବକ ରାଜଧାନୀ ଅଗରତାଲାରେ ମୋଦି ଏକ ବିଶାଳ ରୋଡ୍ ଶୋ’ କରିଥିଲେ । ପରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି କହିଥିଲେ ଯେ, ତ୍ରିପୁରା ଏବେ ଉତ୍ତର ପୂର୍ବାଞ୍ଚଳ ପାଇଁ ଏକ ଗେଟ୍ ୱେ ସାବ୍ୟସ୍ତ ହୋଇଛି । ସ୍ୱଚ୍ଛତା ପାଇଁ ଜଣାଯାଉଥିବା ତି୍ରପୁରା ଭଳି ଏକ ଛୋଟ ରାଜ୍ୟ ମଧ୍ୟ ଦେଶର ଅନ୍ୟ ବଡ଼ ରାଜ୍ୟଙ୍କ ପାଇଁ ପ୍ରେରଣା ପାଲଟିଛି । ପଡୋଶୀ ଦେଶ ସହ ବାଣିଜି୍ୟକ ସମ୍ପର୍କକୁ ଉନ୍ନତି କରିବା ସହଜ ହୋଇପାରିଛି । ଏହି ପରିପ୍ରେକ୍ଷୀରେ ମୋଦି ତ୍ରିପୁରାରେ ପ୍ରାୟ ୪୩୫ଠ କୋଟି ବ୍ୟୟବରାଦିତ ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ତଥା ଶିଳାନ୍ୟାସ କରିଛନ୍ତି । ଏଥିମଧ୍ୟରେ ଏକ ଡେଣ୍ଟାଲ୍ ମେଡିକାଲ କଲେଜ୍ ମଧ୍ୟ ସାମିଲ ରହିଛି । ପ୍ରକାଶ, ଆସନ୍ତା ବର୍ଷ ପ୍ରଥମାର୍ଦ୍ଧରେ ଉଭୟ ତ୍ରିପୁରା ଏବଂ ମେଘାଳୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଅଛି ।